ନୟାଗଡ, ୭।୪ : ରଣପୁର ଥାନା ବରପଲ୍ଲି ଗାଁର ବିକାଶ ପ୍ରଧାନଙ୍କ ହତ୍ୟା ଘଟଣାର ପର୍ଦ୍ଦ।ଫାସ କରିଛି ରଣପୁର ଥାନା ପୁଲିସ। ଘଟଣା ଘଟିବାର ୨ ମାସ ପରେ ବିକାଶଙ୍କ ପ୍ରେମିକାର ବଡବାପାଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ। ପ୍ରେମ କାରଣରୁ ବିକାଶଙ୍କୁ ହତ୍ୟା କରାଯାଇଥିବା ଏସ୍.ପି. ଏସ୍.ସୁଶ୍ରୀ ସୂଚନା ଦେଇଛନ୍ତି ।
ବରପଲ୍ଲି ଗାଁର ଭୀମସେନ୍ ପ୍ରଧାନଙ୍କ ପୁଅ ବିକାଶ ସିନ୍ଦୁରିଆ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ବିଭିନ୍ନ ସମୟରେ ବିକାଶ ପ୍ରେମିକାକୁ ଦେଖା କରିବାକୁ ଲୁଚିଛପି ଯାଉଥିବାର ଖବର ଯୁବତୀଙ୍କ ପରିବାର ଜାଣିବାକୁ ପାଇଥିଲେ । ଜାନୁଆରୀ ମାସ ୨୬ ତାରିଖରେ ବିକାଶ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ଯୁବତୀଙ୍କ ବଡବାପା ଏବଂ ଅନ୍ୟ ସମ୍ପର୍କୀୟମାନେ ତାଙ୍କୁ ଗଛରେ ବାନ୍ଧି ଠେଙ୍ଗାରେ ମାଡ ମାରିଥିଲେ । ପ୍ରବଳ ମାଡରେ ବିକାଶଙ୍କ ମୃତ୍ୟୁ ହୋଇଯିବା ପରେ ଘଟଣାକୁ ଲୁଚାଇବା ପାଇଁ ସେମାନେ ମୃତଦେହକୁ ନିକଟସ୍ଥ କଣିଆଁ ନାଳରେ ଫିଙ୍ଗି ଦେଇଥିଲେ । ବିକାଶଙ୍କ ନିଖୋଜ ସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାର ୫ ଦିନ ପରେ ନାଳରୁ ବିକାଶଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ହତ୍ୟାକାଣ୍ଡ ନେଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ବିକାଶଙ୍କ ପ୍ରେମିକାଙ୍କ ବଡବାପାଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।