PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ମୃତକଙ୍କ ମଧ୍ୟରେ ୬୮% ପୁରୁଷ, ପ୍ରତି ୧୦ ଲକ୍ଷ ଲୋକରେ ଦିନକୁ ୪୭୯ ଟେଷ୍ଟିଂ

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ଯେତିକି ମୃତ୍ୟୁ ଘଟିଛି ସେଥିରୁ ୬୮ ପ୍ରତିଶତ ହେଉଛନ୍ତି ପୁରୁଷ ଏବଂ ୩୨ ପ୍ରତିଶତ ମହିଳା । ସେହିଭଳି ୩୭ ପ୍ରତିଶତ ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ବୟସର ହୋଇଥିଲା ବେଳେ ୫୦ ପ୍ରତିଶତ ମୃତକଙ୍କ ବୟସ ୬୦ରୁ ଅଧିକ ରହିଛି । ୧୧ ପ୍ରତିଶତ ମୃତକଙ୍କ ବୟସ ୨୬ରୁ ୪୪ ବର୍ଷ ମଧ୍ୟରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ପକ୍ଷରୁ ଆଜି ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଅନେକ ରାଜ୍ୟ ଉଭୟ ଆରଟି-ପିସିଆର ଏବଂ ରାପିଡ ଆଣ୍ଟିଜେନ ଟେଷ୍ଟିଂ ବଢ଼ାଇଛନ୍ତି । ଦେଶରେ ବର୍ତ୍ତମାନ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୪୭୯ ଟେଷ୍ଟିଂ ହେଉଛି । ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ପ୍ରତିଦିନ ୧୪୦ରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି । ଗୋଆ, ଦିଲ୍ଲୀ, ତ୍ରିପୁରା ଓ ତାମିଲାନାଡୁ ସେମାନଙ୍କ ନମୁନା ପରୀକ୍ଷାକୁ ବ୍ୟାପକ କରିଛନ୍ତି । ଗତ ୨୪ ଘଣ୍ଟାରେ ୬ ଲକ୍ଷ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୨ କୋଟିରୁ ଅଧିକ ନମୁନା ପରୀକ୍ଷା କରାଗଲାଣି । ଦେଶରେ ଏବେ ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହୋଇଛି । ପ୍ରଥମ ଲକ୍‌ଡାଉନ ସମୟରେ ଯେତିକି ମୃତ୍ୟୁ ଘଟୁଥିଲା ତାହା ଠାରୁ ଏବେ ଯଥେଷ୍ଟ ହ୍ରାସ ପାଇଛି । ଏବେ ମୃତ୍ୟୁହାର ୨.୧୦ ପ୍ରତିଶତ ରହିଛି । କରୋନା ସଂକ୍ରମଣ ବୃଦ୍ଧି ହାର ଏବେ ୮.୮ ପ୍ରତିଶତ ରହିଛି । ଗତ ସପ୍ତାହରେ ଏହା ୧୧ ପ୍ରତିଶତ ଥିଲା । କରୋନା ଭାଇରସ୍‌ କେତକେ ନୂଆ ଅଞ୍ଚଳକୁ ବ୍ୟାପିଛି । କିନ୍ତୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୨ ପ୍ରତିଶତ କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହିଁ ରହିଛନ୍ତି । ୫୦ଟି ଜିଲ୍ଲାରେ ଏବେ ଦେଶର ୬୬ ପ୍ରତିଶତ କରୋନା ମାମଲା ରହିଛି । କରୋନା ମହାମାରୀକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ସେଭଳି କୌଣସି ପ୍ରଭାବୀ ଔଷଧ କିମ୍ବା ଟିକା ବାହାରି ନ ଥିବା ସେ କହିଛନ୍ତି ।

ସେହିଭଳି ଆଇସିଏମ୍‌ଆର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଯେ ବର୍ତ୍ତମାନ ଭାରତ ସମେତ ବିଶ୍ୱର ଅନେକ ଦେଶରେ କରୋନା ମହାମାରୀ ବଢ଼ିଚାଲିଥିଲା ବେଳେ ଟିକାର ଆବଶ୍ୟକତା ଦେଖାଦେଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟିକା ଆସିପାରିନାହିଁ । ଆସିବାକୁ ଆହୁରି କିଛିଦିନ ସମୟ ଲାଗିବ । ତେଣୁ ବର୍ତ୍ତମାନ ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ଟିକା ହୋଇପାରିବ । କରୋନା ପ୍ରତିହତ ଲାଗି ବିଶ୍ୱରେ ୧୪୧ଟି ଟିକା ବିକଶିତ କରାଯିବା ଉପରେ କାର୍ଯ୍ୟ ଜାରି ରହିଛି । ସେଥିରୁ ୨୬ଟି ଟିକା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷାକୁ ଆସିଛି । ଭାରତରେ ଏବେ ୩ଟି ଟିକାର ପରୀକ୍ଷା ଚାଲିଛି । ଭାରତ ବାୟୋଟେକ ପକ୍ଷରୁ ବିକଶିତ ଟିକାର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଜାଇଡସ କାଡିଲାର ଡିଏନ୍‌ଏ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇସାରିଛି । ଭାରତର ୧୧ଟି ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ସେହିଭଳି ଅନ୍ୟ ଟିକାଟି ହେଉଛି ଅକ୍ସଫୋର୍ଡ ବିକଶିତ । ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଲାଗି ଅନୁମତି ପ୍ରଦାନ କରାଯାଇଥିବା ସେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା ଅନୁସାରେ ପିଏମ୍‌ କେୟାର ପାଣ୍ଠିରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୫୦ ହଜାର ଭେଣ୍ଟିଲେଟର ଅଣାଯିବାର ବ୍ୟବସ୍ଥା କରାଯାଇଛି । ଏଜିଭିଏ ଭେଣ୍ଟିଲେଟର ପ୍ରତ୍ୟାଖ୍ୟାନ କରାଯିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଭୂଷଣ କହିଛନ୍ତି ଏହାକୁ ଅନ୍ୟ ଏକ କମ୍ପାନି ପ୍ରସ୍ତୁତ କରିଥିଲା ଏବଂ ମହାରାଷ୍ଟ୍ର ସରକାର ତାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଏମ୍‌ସି ପରିଚାଳିତ ହସ୍ପିଟାଲ ଓ ମହାରାଷ୍ଟ୍ରର ଅନ୍ୟ କେତେକ ହସ୍ପିଟାଲକୁ ଏହି ଭେଣ୍ଟିଲେଟର ଦେଇଥିଲା । କେନ୍ଦ୍ର ସରକାର ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଠାରୁ ୩୦ ହଜାର ଭେଣ୍ଟିଲେଟର ଆଣିବାକୁ ଅର୍ଡର କରିଛନ୍ତି । ଆନ୍ଧ୍ରପ୍ରଦେଶର ମେଡ ଟେକ୍‌ ଜୋନ ଠାରୁ ୧୩ ହଜାର ୫୦୦ ଏବଂ ଏଜିଭିଏ କମ୍ପାନି ନିକଟରୁ ୧୦ ହଜାର ଭେଣ୍ଟିଲେଟର ଆଣାଯାଉଛି । ଦେଶରେ ଏବେ ମାତ୍ର ୦.୨୭ ପ୍ରତିଶତ ସକ୍ରିୟ ରୋଗୀ ଭେଣ୍ଟିଲେଟର ଆବଶ୍ୟକତା କରୁଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୧୮ ହଜାର ଭେଣ୍ଟିଲେଟର ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯାଇସାରିଛି ବୋଲି ସେ ସୂଚନା ଦେଇଛନ୍ତି ।