ବାରଙ୍ଗ, ୩୦/୦୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ତିନି ବର୍ଷ ବ୍ୟବଧାନ ପରେ ଏକ ମାଈ ହଳଦିଆ ଆନାକୋଣ୍ଡା ୭ଟି ଶାବକ ଜନ୍ମ ଦେଇଛି । ସମସ୍ତ ଶାବକଙ୍କ ରଙ୍ଗ ହଳଦିଆ । ମା’ ଆନାକୋଣ୍ଡା ସହ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ  ଉପନିର୍ଦ୍ଦେଶକ ସନଥ କୁମାର  ନାରାୟଣ ସୂଚନା ଦେଇଛନ୍ତି । ଏହି ଶାବକ ଜନ୍ମ ହେବା ପରେ  ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ସଂଖ୍ୟା  ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଦୁଇଟି  ଅଣ୍ଡିରା, ଦୁଇଟି ମାଈ ଓ ୧୦ଟି ଛୁଆ  ହଳଦିଆ ରଙ୍ଗର । 

୨୦୧୯ ଅକ୍ଟୋବର  ୨୨ରେ ମାଡ୍ରାସ କ୍ରକୋଡାଇଲ ବ୍ୟାଙ୍କ  ଅଫ୍‌ ଟ୍ରଷ୍ଟରୁ ୮ଟି ଅଣ୍ଡିରା ଓ ମାଈ  ହଳଦିଆ ଆନାକୋଣ୍ଡା ନନ୍ଦନକାନନ ଅଣାଯାଇଥିଲା । ଶେଷ ଥର ୨୦୨୨ ଜୁଲାଇରେ ଗୋଟିଏ ଆନାକୋଣ୍ଡା ୯ଟି  ଶାବକ ଜନ୍ମ ଦେଇଥିଲା । ସେମାନଙ୍କ  ମଧ୍ୟରୁ ୨୦୨୨ ମସିହା ଜୁଲାଇ ୬  ତାରିଖରେ ଏକମାତ୍ର ଶାବକ ଜନ୍ମ  ନେଇଥିଲା । ଅନ୍ୟ ଶାବକମାନେ ଜୁଲାଇ  ୮ ତାରିଖରେ ଜନ୍ମ ହୋଇଥିଲେ । 

ବର୍ତ୍ତମାନ ଏହି ନୂଆ ଶାବକମାନେ  ଜନ୍ମ ହେବା ପରେ ନନ୍ଦନକାନନରେ ଦୁଇଟି ବୟସ୍କ ଅଣ୍ଡିରା ଆନାକୋଣ୍ଡା ରହିଥିବା ବେଳେ ୨ଟି ବୟସ୍କ ମାଈ  ଆନାକୋଣ୍ଡା ରହିଛନ୍ତି । ଏହି ୭ଟି ଶାବକଙ୍କୁ ନେଇ ଶାବକ ଆନାକୋଣ୍ଡାଙ୍କ  ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଯେଉଁ  ଦୁଇଟି ମାଈ ଆନାକୋଣ୍ଡା ରହିଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ଆସନ୍ନ ପ୍ରସବା ରହିଛି । ନିକଟରେ ସେ ଶାବକ ଜନ୍ମ  ଦେଇପାରେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା  ଦେଇଛନ୍ତି । ସେହି ଦୃଷ୍ଟିରୁ ବର୍ତ୍ତମାନ ସରୀସୃପ  ଖୁଆଡ଼ର ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଛି । ଯେଉଁ  ଆନାକୋଣ୍ଡାଟି ଆସନ୍ନ ପ୍ରସବା ରହିଛି ତା’ର ଯତ୍ନ ନେବାରେ ଯେମିତି କୌଣସି ଅବହେଳା ନହୁଏ  ସେଥିଲାଗି ଖୁଆଡ଼ ରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।