ଭୁବନେଶ୍ୱର, ୦୯/୧୧ : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟ ପରିବହନ କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ମାଇଲ ଖୁଣ୍ଟ । ରାଜ୍ୟରେ ନିର୍ମାଣ ହେବ ନୂଆ ଏକ୍ସପ୍ରେସ୍‌ ୱେ । ଖଡ଼ଗପୁରରୁ-ବିଶାଖାପାଟଣା ଯାଏ ନିର୍ମାଣ ହେବାକୁ ଥିବା ଏ ଏକ୍ସପ୍ରେସ୍‌ ୱେ ଓଡ଼ିଶା ଦେଇ ଯିବ । ଏହି ଏକ୍ସପ୍ରେସ୍‌ ୱେ ନିର୍ମାଣ ସରିଲେ, ରାସ୍ତାରେ ଆଉ ବ୍ରେକ୍‌ ଦେବାକୁ ପଡ଼ିବ ନାହିଁ । ଥରେ ଯାତ୍ରା ଆରମ୍ଭ କଲେ ନନଷ୍ଟପ୍‌ ସିଧା ଗନ୍ତବ୍ୟସ୍ଥଳରେ ଯାଇ ପହଞ୍ଚି ହେବ । ଖଡ଼ଗପୁର-ବିଶାଖାପାଟଣା ୭୮୩ କିମି ଯାତାୟତ ପାଇଁ ଲାଗିବ ମାତ୍ର ୮ ଘଣ୍ଟା । ଏହାର ପ୍ରକଳ୍ପ ରିପୋର୍ଟ ପାଇଁ ଟେଣ୍ଡର ଡାକିଛି ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଏଆଇ) । 

ଭାରତମାଳା ପରିଯୋଜନାରେ ଏହି ଏକ୍ସପ୍ରେସ୍‌ ୱେ ନିର୍ମାଣ ହେବ । ୭୮୩ କିମି ବିଶିଷ୍ଟ ଏହି ସୁଦୀର୍ଘ ରାସ୍ତା କାମକୁ ୨ଟି ପ୍ୟାକେଜରେ ବିଭକ୍ତ କରାଯାଇଛି । ପ୍ୟାକେଜ-୧ରେ ଖଡ଼ଗପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ୩୯୦ କିମି ରାସ୍ତା ଓ ପ୍ୟାକେଜ୨ରେ ଟାଙ୍ଗୀରୁ ବିଶାଖାପାଟଣା ପର୍ଯ୍ୟନ୍ତ ୩୯୩ କିମି ରାସ୍ତା ନିର୍ମାଣ ହେବ । ୪ ଲେନ ଓ ୬ ଲେନ ବିଶିଷ୍ଟ ଏହି ରାସ୍ତାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତି ପାଇଁ ଏନଏଚଏଆଇ ଟେଣ୍ଡର ଆହ୍ୱାନ କରିଛନ୍ତି । ୧୮ଟି ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୧୦ଟି ସଂସ୍ଥା ପ୍ୟାକେଜ-୧ରେ ଓ ୮ଟି ସଂସ୍ଥା ପ୍ୟାଜେକ୍‌-୨ରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ୟାକେଜ୍‌-୧ରେ ଖଡ଼ଗପୁରରୁ ଚଣ୍ଡିଖୋଲ, ଚଣ୍ଡିଖୋଲରୁ କଟକ, କଟକରୁ ଖୋର୍ଦ୍ଧା ଓ ଖୋର୍ଦ୍ଧାରୁ ଟାଙ୍ଗି ନିର୍ମାଣ କାମ ହେବ । ଏଥି ପ୍ୟାକେଜ୍‌ ଡିପିଆର ପାଇଁ ଆର୍ଭି ଆସୋସିଏଟସ୍‌ ଆର୍କିଟେକ୍ଟସ୍‌ ଇଞ୍ଜିନିୟର୍ସ ଆଣ୍ଡ କନସଲଣ୍ଟାଣ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଚୈତନ୍ୟ ପ୍ରୋଜେକ୍ଟସ୍‌ କନସଲଣ୍ଟାନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ଆବେଦନ କରିଛନ୍ତି । ଅନ୍ୟ ୮ଟି ସଂସ୍ଥା ଉଭୟ ପ୍ୟାକେଜ୍‌ ପାଇଁ ଆବେଦନ କରିଛନ୍ତି । ତେବେ ଆସନ୍ତା ୨୦୨୬ ସୁଦ୍ଧା ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । 

ସେହିପରି ପ୍ୟାକେଜ ୨ରେ ଟାଙ୍ଗୀରୁ ବିଶାଖାପାଟଣା ପର୍ଯ୍ୟନ୍ତ ୩୯୩ କିମି ରାସ୍ତା ନିର୍ମାଣ ହେବ । ଟାଙ୍ଗୀରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ କାମ ହେବ । ଡିପିଆର ପ୍ରସ୍ତୁତି ପରେ ବିଭିନ୍ନ ଆନୁଷଙ୍ଗିକ ଅନୁମତି ପାଇଁ ଆବେଦନ କରାଯିବ । ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏକ୍ସପ୍ରେସ ୱେ ନିର୍ମାଣ ହେଲେ ଖଡଗପୁରରୁ ବିଶାଖାପାଟଣାକୁ ଯାତ୍ରାର ସମୟ ହ୍ରାସ ପାଇବ । ଏହା ସହ ରାଜପଥରେ ଯାନବାହାନ ଭିଡ଼ ନିୟନ୍ତ୍ରଣ ହେବ । ଏହି ଏକ୍ସପ୍ରେସ ୱେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଯୋଡ଼ିବ । ସୂଚନାଯୋଗ୍ୟ, ଭାରତମାଳା ଯୋଜନାରେ କେନ୍ଦ୍ର ସରକାର ୨୦ଟି ହାଇ ସ୍ପିଡ୍‌ କରିଡର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ସବୁ କରିଡରର ନିର୍ମାଣ ଆରମ୍ଭ ହେବ । ଖଡ଼ଗପୁରବିଶାଖାପାଟଣା ଏକ୍ସପ୍ରେସ୍‌ ୱେ ଓଡ଼ିଶା ସହ ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ପରିବହନ କ୍ଷେତ୍ରରେ ବେଶ୍‌ ସହାୟକ ହେବ ।