ବୌଦ୍ଧ,୧୨/୦୭: ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମହାନଦୀ ମଝିରେ ଥିବା ଦ୍ଵୀପ ପୁଞ୍ଜ କୁଲାରିକୁଦଠାରେ ଏକ ୮ ଟିକିଆ ହାତୀପଲ ଫସି ରହିଛନ୍ତି । ହାତୀ ପଲରେ ଦୁଇଟି ଛୁଆ ହାତୀ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀଗୁଡିକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଟୁ ପୂର୍ଣ୍ଣଗଭା ମହାନଦୀରେ ପହଁରି ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ନଦୀ ମଝିରେ ଥିବା କୁଲାରିକୁଦରେ ଅଟକି ରହିଛନ୍ତି । କୁଲାରିକୁଦର ଚାରିପଟେ ମହାନଦୀ ରହିଥିବା ବେଳେ ସେଠାରେ ଥିବା ଜଙ୍ଗଲରୁ ହାତୀଙ୍କ ଖାଦ୍ୟ ପାଇଁ ସୁବିଧା ଥିବାରୁ ସେମାନେ ସେଠାରେ ସୁରକ୍ଷିତ ଭାବରେ ଅଛନ୍ତି ।
ତେବେ ଏହି ହାତୀ ପଲ ବୌଦ୍ଧ ପଟକୁ ଆସିବାର ସମ୍ଭାବନା ରହିଥିବାରୁ ବନ ବିଭାଗ ଡେରା ପକାଇ ରହିଛି । ବୌଦ୍ଧ ଏସିଏଫ୍ ଆଶିଷ କୁମାର କହଁର, ଫରେଷ୍ଟର ପ୍ରସନ୍ନ ପ୍ରଧାନ, ପ୍ରଦ୍ୟୁମ୍ନ ବାଘ, ମନ ରଞ୍ଜନ ନାୟକ ପ୍ରମୁଖ ମର୍ଜାକୁଦ ଲାଞ୍ଚିରେ ରହି ଡ୍ରୋନ୍ ସାହାଯ୍ୟରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।