ଭୁବନେଶ୍ବର, ୧୮।୧ :  ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ଗଠନ କରିବୁ। ୭  ମାସରେ ସେହି ଦିଗରେ କାମ କରୁଛୁ। ଆମ ରାଜ୍ୟରେ କେମିତି ନିବେଶ ଅଧିକ ହେବ ସେ ନେଇ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି  । ମୁମ୍ବାଇ , ଦିଲୀ ଓ ସିଙ୍ଗାପୁରରେ ଏନେଇ ପୁଞ୍ଜି ନିବେଶକୁ ନେଇ ରୋଡ ଶୋ କରିଥିଲୁ। ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରାଯାଇଥିଲା ।  ସିଙ୍ଗାପୁର ରାଷ୍ଟ୍ରପତି  ଓଡିଶା ଆସିବ ପାଇଁ ନିମନ୍ତ୍ରଣ କରିଥିଲି। ସେ ଦୁଇ ଦିନ ପାଇଁ ଓଡିଶାକୁ ଆସିଲେ । ୮ ଟି ଏମଓୟୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।   ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ୮ଟି ଏମଓୟୁ ସ୍ବାକ୍ଷର ହୋଇଛି। 

ଓଡ଼ିଶାରେ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ  କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର  ହୋଇଛି।ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ,ଆଇଆଇଟି ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ ଏମଓୟୁ ସ୍ବାକ୍ଷର  ହୋଇଛି।  ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ ଏମଓୟୁ ହୋଇଛି। ।

ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ଏମଓୟୁ କରାଯାଇଛି । ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର । ସେହିପରି ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ ଏମଓୟୁ କରାଯାଇଛି।  ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ ଜିଏଫଟିଏନ ସହ ଏମଓୟୁ ସ୍ବାକ୍ଷର ହୋଇଛି।