ନୂଆଦିଲ୍ଲୀ, ୪।୬: ବଦଳୁଥିବା ସମୟ ଏବଂ ଆଧୁନିକ ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ଭାରତୀୟ ସଶସ୍ତ୍ର ସେନା ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଆହୁରି ମଜବୁତ କରି ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସେନା ପାଇଁ ଦେଶର ଇତିହାସରେ ସବୁଠାରୁ ବଡ଼ 'ସ୍ୱଦେଶୀ ଡ୍ରୋନ୍' କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାୟ ୨ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ଏହି ବିଶାଳ ଡିଲ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ କମ୍ପାନୀଗୁଡ଼ିକ ସହିତ କରାଯାଉଛି । ଏହି ମେଗା ଡିଲ୍ ଭାରତୀୟ ସେନାର ଶକ୍ତିକୁ ବହୁଗୁଣିତ କରିବା ସହ ଶତ୍ରୁ ଶିବିରରେ କମ୍ପନ ସୃଷ୍ଟି କରିଛି ।
ଚଳିତ ବର୍ଷରୁ ହିଁ ମିଳିବ ଡ୍ରୋନ୍, ଫାଷ୍ଟ-ଟ୍ରାକ୍ରେ ହେବ କାମ:
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ସେନାକୁ ସର୍ବଦା ଯୁଦ୍ଧ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖିବା ସହ ସାମରିକ ଆଧୁନିକୀକରଣ ଲକ୍ଷ୍ୟରେ ଏହି ସୌଦା କରାଯାଉଛି । ଏହି ବିଶାଳ କ୍ରୟ ପ୍ରକ୍ରିୟା ପାଇଁ ସରକାର 'ଫାଷ୍ଟ-ଟ୍ରାକ୍ କ୍ରୟ ପ୍ରକ୍ରିୟା' ଆପଣାଇପାରନ୍ତି । ଅନମ୍ୟାନ୍ଡ ଏରିଆଲ୍ ଭେହିକିଲ୍ (UAV) ବା ଡ୍ରୋନ୍ ସିଷ୍ଟମର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ୧୮ ରୁ ୨୪ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ କମ୍ପାନୀଗୁଡ଼ିକ ଚଳିତ ବର୍ଷଠାରୁ ହିଁ ସେନାକୁ ଡ୍ରୋନ୍ ଯୋଗାଇବା ଆରମ୍ଭ କରିଦେବେ ବୋଲି ଆଶା କରାଯାଉଛି । ନିକଟରେ ହୋଇଥିବା ୩,୦୦୦ କୋଟିର ଟାକ୍ଟିକାଲ୍-କ୍ଲାସ୍ ଡ୍ରୋନ୍ ଡିଲ୍ ତୁଳନାରେ ଏହି ନୂତନ ୨୦,୦୦୦ କୋଟିର ମେଗା ଡିଲ୍ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବ ।
ଆଧୁନିକ ଯୁଦ୍ଧରେ ଡ୍ରୋନର ବହୁମୁଖୀ ଭୂମିକା:
'ଅପରେସନ ସିନ୍ଦୂର' ପରଠାରୁ ହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାରେ ଡ୍ରୋନ୍ ବା ମାନବବିହୀନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ବର୍ତ୍ତମାନ ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟ-ପ୍ରାଚ୍ୟରେ ଇରାନ-ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷରୁ ଡ୍ରୋନର ପ୍ରକୃତ ସାମର୍ଥ୍ୟ ସ୍ପଷ୍ଟ ହୋଇସାରିଛି । ଆଧୁନିକ ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ଏକ ସାଧାରଣ ଉପକରଣ ନୁହେଁ, ବରଂ ଏକ ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇଛି । ଶତ୍ରୁର ଗତିବିଧି ଉପରେ ନଜର ରଖିବା ଏବଂ ଗୁପ୍ତ ସୂଚନା ଆଣିବାରେ ଏହା ସବୁଠାରୁ କାର୍ଯ୍ୟକ୍ଷମ । କୌଣସି ମାନବୀୟ ଭୁଲ୍ ବିନା ଶତ୍ରୁର ଆଡ୍ଡାକୁ ସଠିକ୍ ଭାବେ ଧ୍ୱଂସ କରିବାର କ୍ଷମତା ଏହି ଡ୍ରୋନ୍ ଗୁଡ଼ିକ ପାଖରେ ରହିଛି । ଦୁର୍ଗମ ଅଞ୍ଚଳରେ ଥିବା ସୈନିକମାନଙ୍କ ପାଖକୁ ଯୁଦ୍ଧ ସାମଗ୍ରୀ, ଔଷଧ ଓ ଖାଦ୍ୟ ପହଞ୍ଚାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଡ୍ରୋନର ବ୍ୟବହାର ଯୋଗୁଁ ଯୁଦ୍ଧଭୂମିରେ ସୈନିକମାନଙ୍କ ଜୀବନହାନି ଆଶଙ୍କା ଯଥେଷ୍ଟ କମିଯାଇଥାଏ । ଏହା ସହିତ ଏହା ଏକ ଅତ୍ୟନ୍ତ ଶସ୍ତା, ସୁଗମ ଏବଂ ସଠିକ୍ ରଣନୀତିକ ଅସ୍ତ୍ର ।
'ଆତ୍ମନିର୍ଭର ଭାରତ' ର ବଡ଼ ସଫଳତା: ୬୦୦ରୁ ଅଧିକ ସ୍ୱଦେଶୀ କମ୍ପାନୀ ପ୍ରସ୍ତୁତ
ପ୍ରତିରକ୍ଷା କ୍ଷେତ୍ରରେ କେବଳ ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭର ନକରି ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବାର ସୁଫଳ ଏବେ ମିଳିବାକୁ ଆରମ୍ଭ କରିଛି । ମିଲିଟ୍ରି ସେକ୍ଟରରେ ନୀତିଗତ ପରିବର୍ତ୍ତନ ଯୋଗୁଁ ଦେଶରେ ଡ୍ରୋନର ଚାହିଦା ବହୁତ ବଢ଼ିଯାଇଛି । ବର୍ତ୍ତମାନ ଭାରତରେ ୬୦୦ ରୁ ଅଧିକ କମ୍ପାନୀ ଏବଂ ଡିଫେନ୍ସ ଷ୍ଟାର୍ଟଅପ୍ ରହିଛନ୍ତି, ଯେଉଁମାନେ ଅତ୍ୟାଧୁନିକ ଡ୍ରୋନ୍ ଏବଂ ଏହାର ଯନ୍ତ୍ରାଂଶ ପ୍ରସ୍ତୁତ କରୁଛନ୍ତି । ସରକାରୀ ସଂସ୍କାର ଏବଂ ସହଜ ନୀତି ଯୋଗୁଁ ଏହି କ୍ଷେତ୍ରରେ ଇନୋଭେସନ ବୃଦ୍ଧି ପାଇବା ସହ ବହୁ ପରିମାଣର ନିବେଶ ମଧ୍ୟ ଆକର୍ଷିତ ହେଉଛି । ଏହି ୨୦,୦୦୦ କୋଟିର ସୌଦା ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଏବଂ ଭବିଷ୍ୟତରେ ଭାରତ ବିଶ୍ୱର ଏକ ପ୍ରମୁଖ ଡ୍ରୋନ୍ ହବ୍ ଭାବେ ଉଭା ହେବାର ପଥ ପରିଷ୍କାର କରିବ ।
ଆହୁରି ପଢ଼ନ୍ତୁ... ଜାତିସଙ୍ଘରୁ ହଟିବ ପାକିସ୍ତାନ ! ପ୍ରଥମ ଥର ପାଇଁ ସୁରକ୍ଷା ପରିଷଦରେ ସାମିଲ ହେଲା ଏହି ଦେଶ, ୨ ବର୍ଷ ଯାଏଁ କରିବ ରାଜ୍...