ନୂଆଦିଲ୍ଲୀ,୦୪/୧୦: ଆମେରିକୀୟ ପପ୍‌ ଷ୍ଟାର ଟେଲର ସ୍ୱିଫ୍ଟଙ୍କର ବହୁ ପ୍ରତିକ୍ଷିତ ନୂଆ ଆଲବମ୍‌ ‘ଦ ଲାଇଫ୍‌ ଅଫ୍‌ ଏ ଶୋଗର୍ଲ’ ଗୁରୁବାର ମଧ୍ୟରାତ୍ରିରେ ମ୍ୟୁଜିକ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ ସ୍ପଟିଫାଇରେ ରିଲିଜ୍‌ ହୋଇଛି । ଏଥିରେ ‘ଦ ଲାଇଫ୍‌ ଅଫ୍‌ ଶୋଗର୍ଲ’ ସମେତ ମୋଟ ୧୨ଟି ଗୀତ ରହିଛି । ନୂଆ ଆଲବମ୍‌ ରିଲିଜ୍‌ ହେବା ନେଇ ଘୋଷଣା କରି ସ୍ୱିଫ୍ଟ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ଏହି ଯାତ୍ରା ନେଇ ଗର୍ବିତ ବୋଲି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ସେହିପରି ଆଲବମ୍‌ଟି ରିଲିଜ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି । କିଛି ପ୍ରଶଂସକ କମେଣ୍ଟରେ ଏହାକୁ ‘ଫାୟାର’ ବୋଲି ଲେଖିଥିବାବେଳେ ଅନ୍ୟ କିଛି ଜଣ ଅଦ୍ୟାବଧି ଏହା ଟେଲର ସ୍ୱିଫ୍ଟଙ୍କର ସବୁଠୁ ଭଲ ଆଲବମ୍‌ ବୋଲି ଲେଖିଛନ୍ତି । କେବଳ ସେତିକି ନୁହେଁ, ଆଲବମ୍‌ଟି ରିଲିଜ୍‌ ହେବା କ୍ଷଣି ମ୍ୟୁଜିକ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ କ୍ରାଶ୍‌ ହୋଇଯାଇଥିବା କୁହାଯାଉଛି । ହଜାରରୁ ଊଦ୍ଧ୍ୱର୍ ସଙ୍ଗୀତପ୍ରେମୀ ଏହି ନୂଆ ଆଲବମ୍‌କୁ ଶୁଣିବାକୁ ପ୍ରୟାସ କରିବା ସମୟରେ ସ୍ପଟିଫାଇ କ୍ରାଶ୍‌ ହୋଇଯାଇଥିବା କହିଛନ୍ତି।