ନୂଆଦିଲ୍ଲୀ ୦୭/୦୧: ଗତ ରବିବାର ସନ୍ଧ୍ୟାରେ କାଲିଫର୍ଣ୍ଣିଆର ବେଭର୍‌ଲି ହିଲ୍ସରେ ଅନୁଷ୍ଠିତ ହୋଇଛି ୮୨ତମ ଗୋଲ୍ଡେନ୍‌ ଗ୍ଲୋବ୍‌ ଆୱାର୍ଡସ୍‌ । ଅସ୍କାର ଆୱାର୍ଡସ୍‌ର ମାର୍ଗଦର୍ଶକ ଭାବେ ପରିଚିତ ଗୋଲ୍ଡେନ୍‌ ଗ୍ଲୋବ୍ସ ଉଭୟ ଫିଲ୍ମ ଓ ଟେଲିଭିଜନ୍‌ ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଭାଙ୍କୁ ସମ୍ମାନିତ କରେ । ଏଥର ମହୋତ୍ସବରେ ହୋଷ୍ଟ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ନିକି ଗ୍ଲାସର୍‌ । ଗୋଲ୍ଡେନ୍‌ ଗ୍ଲୋବ୍‌ ଇତିହାସରେ ପ୍ରଥମ ଥର ଜଣେ ମହିଳା ଏକାକୀ ଉତ୍ସବର ସଂଚାଳନା କରିଥିଲେ । 

ଫ୍ରେଞ୍ଚ୍‌ ମ୍ୟୁଜିକାଲ କ୍ରାଇମ୍‌ କମେଡି ‘ଏମିଲିଆ ପେରେଜ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସହ- ଅଭିନେତ୍ରୀ (ଜୋ ସାଲଦାନା), ଶ୍ରେଷ୍ଠ ଅଣ-ଇଂରାଜୀ ଫିଚର୍‌ ଓ ଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ହାସଲ କରିଛି । ଏହା ଶ୍ରେଷ୍ଠ ଚଳଚ୍ଚିତ୍ର (ମ୍ୟୁଜିକାଲ/କମେଡି), ଶ୍ରେଷ୍ଠ ନିର୍ଦ୍ଦେଶକ (ଜାକ୍ୟୁସ୍‌ ଅଡିଆର୍ଡ), ଶ୍ରେଷ୍ଠ ଅଭିନେତ୍ରୀ (କାରଲା ସୋଫିଆ ଗାସକନ୍‌) ଓ ଶ୍ରେଷ୍ଠ ସହ-ଅଭିନେତ୍ରୀ (ଜୋ ସାଲଦାନା ଓ ସେଲେନା ଗୋମେଜ୍‌) ଭଳି ୧୦ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୋମିନେଟ୍‌ ହୋଇଥିଲା ।

ବ୍ରାଡି କୋରବେଟ୍‌ଙ୍କ ଫିଲ୍ମ ‘ବ୍ରୁଟାଲିଷ୍ଟ୍‌’ ୭ ନୋମିନେସନ୍‌ ମାଧ୍ୟମରେ ୨ୟ ସ୍ଥାନରେ ଥିଲାବେଳେ ୩ ବଡ଼ ପୁରସ୍କାର- ଶ୍ରେଷ୍ଠ ଅଭିନେତା (ଆଡ୍ରିନ୍‌ ବ୍ରଡି), ଶ୍ରେଷ୍ଠ ନିର୍ଦ୍ଦେଶକ (ବ୍ରାଡି) ଓ ଶ୍ରେଷ୍ଠ ଚଳଚ୍ଚିତ୍ର (ଡ୍ରାମା) ପୁରସ୍କାର ଟାଇଟଲ୍‌ ହାସଲ କରିଛି । ଟେଲିଭିଜନ୍‌ ବିଭାଗରେ ବହୁ ଲୋକପ୍ରିୟ ଏଫ୍‌ଏକ୍ସ ସିରିଜ୍‌ ‘ଦ ବିୟର’ ୫ ବିଭାଗରେ ନୋମିନେଟ୍‌ ହୋଇଥିଲା । ଆଉ ଏକ ଏଫ୍‌ଏକ୍ସ ସିରିଜ୍‌ ‘ଶୋଗୁନ’ ଏବଂ ହୁଲୁର ‘ଓନ୍‌ଲି ମର୍ଡର୍ସ ଇନ୍‌ ଦ ବିଲ୍ଡିଂ’ ୪ ବିଭାଗରେ ନୋମିନେଟ୍‌ ହୋଇଥିଲେ । ‘ଶୋଗୁନ୍‌’ ସବୁ ରେକର୍ଡ ଭାଙ୍ଗି ସମସ୍ତ ୪ ବିଭାଗ ଯଥା- ଶ୍ରେଷ୍ଠ ସିରିଜ୍‌, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଓ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ହାସଲ କଲା । 

‘ଦ ବିୟର’ ପାଇଁ ଜେରେମି ଆଲେନ୍‌ ହ୍ୱାଇଟ୍‌ (କମେଡି/ମ୍ୟୁଜିକାଲ) ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କଲେ । ‘ଜିନ୍‌ ସ୍ମାର୍ଟ’ କମେଡି/ମ୍ୟୁଜିକାଲ କ୍ଷେତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କଲା । ପାୟଲ କପାଡ଼ିଆଙ୍କ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ ଦୁଇଟି ବିଭାଗରେ ନୋମିନେଟ୍‌ ହୋଇଥିଲା । ଭାରତକୁ ଅନ୍ତର୍ଜାତୀୟ ମଞ୍ଚରେ ଏହା ଗୌରବାନ୍ୱିତ କରିବ ବୋଲି ଆଶା କରାଯାଉଥିଲା । ଶ୍ରେଷ୍ଠ ଅଣ-ଇଂରାଜୀ ଫିଚର୍‌ ଫିଲ୍ମ ବିଭାଗରେ ପୁରସ୍କାରରୁ ଫିଲ୍ମଟି ବଞ୍ଚିତ ହୋଇଛି । ‘ଏମିଲିଆ ପେରେଜ୍‌’ ଏହି ପୁରସ୍କାର ହାସଲ କରିଛି । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାରରୁ ମଧ୍ୟ ପାୟଲ ବଞ୍ଚିତ ହୋଇଛନ୍ତି ।