ନୂଆଦିଲ୍ଲୀ, ୨୬/୧୨ : ଗଡ଼ୁଛି ଦିନ ସରୁଛି ସମୟ। ଆଉ ମାତ୍ର ୫ଟା ଦିନ... ଡିସେମ୍ଵର ୩୧ ସହ ସ୍ମୃତି ହୋଇଯିବ ସପ୍ତମ ବେତନ କମିଶନ। କେନ୍ଦ୍ରୀୟ ସରକାରୀ କର୍ମଚାରୀ ପାଇଁ ନୂଆବର୍ଷରେ ନୂଆ ଆଶା ନେଇ ଆସିବ ଅଷ୍ଟମ ବେତନ କମିଶନ। ନୂଆ ବେତନ ଆୟୋଗରେ ବଢିବ ମାସିକ ଆୟ। ତେବେ ଦରମା ଓ ପେନସନ୍ ବୃଦ୍ଧି ପାଇଁ କ'ଣ ରହିବ ଫିଟମେଣ୍ଟ ଫ୍ୟାକ୍ଟର, ଜାଣନ୍ତୁ-
ଫିଟମେଣ୍ଟ ଫ୍ୟାକ୍ଟର କ'ଣ ?
୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଭୋଗୀଙ୍କ ବେତନରେ ସଂଶୋଧନ ହେବାକୁ ଯାଉଛି। ସରଳ ଭାଷାରେ କହିବାକୁ ଗଲେ, ଫିଟମେଣ୍ଟ ଫ୍ୟାକ୍ଟର ବର୍ତ୍ତମାନର ମୂଳ ଦରମା କିମ୍ବା ପେନସନରେ ଲାଗୁ ହୋଇଥିବା ଗୁଣକ। ଯାହା ନୂତନ ଦରମା ନିର୍ଦ୍ଧାରିତ କରିବ। ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ଅଧିକ ଦରମା। କମ୍ ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ମାମୁଲି ଦରମା। ଏହି ଗୁଣକରେ ସାମାନ୍ୟ ପରିବର୍ତ୍ତନ ମାସିକ ଦରମା ଏବଂ ଦୀର୍ଘକାଳୀନ ଲାଭ ଉପରେ ବଡ଼ ପ୍ରଭାବ ପକାଇବ। ଏହି ଫିଟମେଣ୍ଟ ଫ୍ୟାକ୍ଟର କେତେ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ୨୦ ରୁ ୩୫ ପ୍ରତିଶତ ଯାଏଁ ବଢିବ ବୋଲି ଅନୁମାନ କରାଯାଉଛି। ଷଷ୍ଠ ବେତନ ଆୟୋଗରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇଥିଲା। ୭ମ ବେତନ ଆୟୋଗରେ ୨୩ ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଥିଲା। ଅଷ୍ଟମ ବେତନ ଆୟୋଗରେ ଏହା ୨.୪ ରୁ ୩.୦ ମଧ୍ୟରେ ରହିପାରେ। ତେବେ ଏଥିପାଇଁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ।
କେବେ ଲାଗୁ ହେବ ?
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ। ହେଲେ ଟଙ୍କା ମିଳିବା ବେଳକୁ ସମୟ ଲାଗିବ। ୨୦୨୬ ଶେଷ କିମ୍ଵା ୨୦୨୬-୨୭ ସମୟରେ ବର୍ଦ୍ଧିତ ଦରମା ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ବିଳମ୍ବ ସାଧାରଣ କଥା। ସପ୍ତମ ବେତନ ଆୟୋଗ ସମୟରେ ବି ଏତିକି ସମୟ ଲାଗିଥିଲା।
ଏହି ଖବରଟିକୁ ପଢନ୍ତୁ- ପିଲାଙ୍କ ପାଇଁ ବ୍ୟାନ୍ ହେଉ ସୋସିଆଲ ମିଡିଆ, କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ମାଡ୍ରାସ୍ ହାଇକୋର୍ଟ