ମଦୁରାଇ, ୨୬/୧୨ : ଅଷ୍ଟ୍ରେଲିଆ ଭଳି ଭାରତରେ ବି ପିଲାଙ୍କ ପାଇଁ ବ୍ୟାନ୍ ହେଉ ସୋସିଆଲ ମିଡିଆ। କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ମାଡ୍ରାସ୍ ହାଇକୋର୍ଟ। ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଦୁରାଇ ବେଞ୍ଚ କହିଛନ୍ତି। ଜଷ୍ଟିସ୍ କେକେ ରାମକୃଷ୍ଣନ ଏବଂ ଜଷ୍ଟିସ୍ ଜି ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରିବା ବେଳେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି। 

ଆବେଦନକାରୀ ଏସ୍ ବିଜୟକୁମାର କୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ସେ ସାରା ଦେଶରେ ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପ୍ୟାରେଣ୍ଟାଲ ୱିଣ୍ଡୋ କିମ୍ଵା ପ୍ୟାରେଣ୍ଟାଲ କଣ୍ଟ୍ରୋଲ ସୁବିଧା ଅନିବାର୍ଯ୍ୟ କରିବା ପାଇଁ ଦାବି କରିଥିଲେ। ଆବେଦନକାରୀଙ୍କ ମୁଖ୍ୟ ଯୁକ୍ତି ଥିଲା ଯେ, ଏବେ ଇଣ୍ଟରନେଟ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଏବଂ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ କଣ୍ଟେଣ୍ଟ ସହଜରେ ମିଳିଯାଉଛି। ଯାହାକି ପିଲାମାନଙ୍କ ପାଖରେ ପହଞ୍ଚୁଛି। ଏହାଦ୍ଵାରା ପିଲାଙ୍କ ମାନସିକ ଏବଂ ଭାବନାତ୍ମକ ବିକାଶ ଉପରେ ଗୁରୁତର ପ୍ରଭାବ ପଡୁଛି। 

ହାଇକୋର୍ଟ ଏହି ଆବେଦନର ଶୁଣାଣି କରି କହିଛନ୍ତି ଯେ, ଅନଲାଇନ୍ CSAM ୱେବସାଇଟ୍ ଏବଂ URL ଲଗାତର ଅପଡେଟ୍ ହେଉଛି। ଏହା ସହ ୟୁଜର ଏଣ୍ଡ ଉପରେ ବି ନିୟନ୍ତ୍ରଣ ଜରୁରୀ। ଏହି ନିୟନ୍ତ୍ରଣ କେବଳ  ପ୍ୟାରେଣ୍ଟ କଣ୍ଟ୍ରୋଲ ଆପ୍ ଦ୍ଵାରା ସମ୍ଭବ। ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ବ୍ୟକ୍ତିଗତ ଚଏସ୍। ହେଲେ ପିଲାମାନେ ତାହା ଜାଣିପାରନ୍ତି ନାହିଁ। ଏଥିପାଇଁ ମାତାପିତାଙ୍କ ଦାୟିତ୍ଵ ସେମାନେ ପିଲାମାନଙ୍କୁ ଏହି କଣ୍ଟେଣ୍ଟ ଠାରୁ ଦୂରେଇ ରଖିବେ। ସରକାର ଏଥିପାଇଁ ଅଷ୍ଟ୍ରେଲିଆ ଭଳି ଆଇନ ଆଣି ପାରିବେ। ଯାହାଦ୍ଵାରା ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ଦେଖିବା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ। କେନ୍ଦ୍ର ଏବଂ ରାଜ୍ୟ ସରକାର ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୋର୍ଟ ଆଶାବାଦୀ ଅଛନ୍ତି। 

ଏହି ଖବରଟିକୁ ପଢନ୍ତୁ- କଲମ ଚୋରି ମାନିବାକୁ ଛାତ୍ରଙ୍କୁ ମାନସିକ ନିର୍ଯାତନା , ଘର କାନ୍ଥରେ ଲେଖିଲେ 'HELP- HELP'