ନବେ ବର୍ଷ ଭିତରେ ଓଡ଼ିଶା ସରକାରଙ୍କ ବାର୍ଷିକ ବଜେଟ୍ ପରିମାଣ ୧କୋଟି ୭୭ଲକ୍ଷ ଟଙ୍କାରୁ ବଢ଼ିବଢ଼ି ୩ଲକ୍ଷ ୧୦ହଜାର କୋଟିରେ ପହଞ୍ଚିଲାଣି । ଏହା ସତ୍ତେ୍ୱ ବି ରାଜ୍ୟରେ ବେକାରୀ, ବେରୋଜଗାରୀ, ଦରଦାମ ବୃଦ୍ଧି, ନିଶା, ହିଂସା, ଭାଷା, ଅପରାଧ, ଦୁର୍ଘଟଣା, ଆତ୍ମହତ୍ୟା, ଦାଦନ ଆଦି ସମସ୍ୟା ଲାଗିରହିଛି । ରାସ୍ତାଘାଟ, କୋଠାବାଡ଼ି, ଗାଡ଼ି ମୋଟର ଆଦିର ସଂଖ୍ୟା ବଢ଼ିଥିଲେ ବି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଆମେ ଢେର୍ ପଛରେ ପଡ଼ିଛେ । ବଜେଟ୍ର କଳେବର ବୃଦ୍ଧି ସହିତ ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରଦୂଷଣ ଆଦି ପ୍ରାୟ ସବୁ କ୍ଷେତ୍ରକୁ କବଳିତ କରିଛି । ରାଜନୈତିକ ଓ ନୈତିକ ବ୍ୟବସ୍ଥାର ଦ୍ରୁତ ଅବକ୍ଷୟ ଯୋଗୁଁ ଆମ ପାଇଁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ଅସ୍ମିତା ଅପହଞ୍ଚ ଇଲାକା ଭାବେ ରହିଛି ।
୧୯୩୬-୩୭ ମସିହାରେ ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ବାର୍ଷିକ ବଜେଟ୍ ଥିଲା ୧କୋଟି ୭୭ଲକ୍ଷ ଟଙ୍କାର । ୧୯୩୭-୩୮ରେ ଏହା କୋଟିଏ ୮୭ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୧୯୩୯-୪୦ରେ ୨.୦୬ କୋଟି, ୧୯୪୩-୪୪ରେ ୨.୨୪ କୋଟି ଓ ୧୯୪୪-୪୫ ବର୍ଷରେ ୪.୧୫ କୋଟି ଟଙ୍କା ଥିଲା । ୧୯୪୬-୪୭ରେ ଓଡ଼ିଶାର ବଜେଟ୍ ୬.୯୪ କୋଟି ଥିବାବେଳେ ଏହା ବଢ଼ିବଢ଼ି ୧୯୫୧-୫୨ରେ ୨୫.୫୩ କୋଟି, ୧୯୫୫- ୫୬ରେ ୪୮.୩୩ କୋଟି ଓ ୧୯୬୦-୬୧ରେ ୫୬.୬୩ କୋଟି ଟଙ୍କାରେ ପହଞ୍ଚିଥିଲା । ୧୯୬୧-୬୨ରେ ଓଡ଼ିଶାର ବଜେଟ୍ ୭୩.୮୬ କୋଟି ଟଙ୍କା ରହିଥିବାବେଳେ ୧୯୬୩-୬୪ରେ ଏହା ୧୦୩.୬୩ କୋଟି ଓ ୧୯୬୫- ୬୬ରେ ୧୪୪.୭୧ କୋଟି ଟଙ୍କା ହୋଇଥିଲା । ୧୯୭୦- ୭୧ରେ ଓଡ଼ିଶା ବଜେଟ୍ ୨୧୮.୪୮ କୋଟି ଟଙ୍କାର ଥିବାବେଳେ ୧୯୭୫-୭୬ ବେଳକୁ ତାହା ୩୭୦.୦୪ କୋଟିକୁ ବୃଦ୍ଧି ପାଇଥିଲା ।
୧୯୭୮-୭୯ ବେଳକୁ ଓଡ଼ିଶାର ବଜେଟ୍ ୭୦୬.୧୩ କୋଟି ଟଙ୍କା ଥିବାବେଳେ ୧୯୮୨-୮୩ରେ ତାହା ୧୧୨୮.୫୮ କୋଟି ଟଙ୍କାରେ ପହଞ୍ଚିଥିଲା । ଏହା ବଢ଼ିବଢ଼ି ୧୯୮୭-୮୮ରେ ୨୩୩୩.୦୮ କୋଟି ଟଙ୍କା ଓ ୧୯୮୯-୯୦ରେ ୩୩୩୮.୭୨ କୋଟି ଟଙ୍କା ହୋଇଥିଲା । ୧୯୯୪-୯୫ରେ ଓଡ଼ିଶାର ବଜେଟ୍ ୬୪୩୩.୮୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୧୯୯୮-୯୯ରେ ତାହା ୧୦,୫୧୫.୬୬ କୋଟି ଟଙ୍କାକୁ ଟପିଥିଲା । ୨୦୦୦-୦୧ ବର୍ଷରେ ରାଜ୍ୟ ବଜେଟ୍ ପରିମାଣ ୧୩,୬୦୪.୫୮ କୋଟି ଟଙ୍କା ହୋଇଥିବାବେଳେ ୨୦୧୨-୧୩ରେ ତାହା ୫୨,୦୩୦.୭୦ କୋଟି ଓ ୨୦୧୬-୧୭ରେ ୯୪,୦୫୨.୬୫ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୧୭- ୧୮ରେ ଓଡ଼ିଶା ବଜେଟ୍ ୧,୦୬,୯୧୦.୮୭ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ ବର୍ଷରେ ତାହା ୨.୬୫ଲକ୍ଷ କୋଟି ଟଙ୍କାକୁ ଟପିଥିଲା । ୨୦୨୫-୨୬ ବର୍ଷରେ ଓଡ଼ିଶାର ମୂଳ ବଜେଟ୍ ପରିମାଣ ୨.୯୦ଲକ୍ଷ କୋଟି ଟଙ୍କାର ଥିବାବେଳେ ଅତିରିକ୍ତ ବଜେଟ୍ ଆସିବା ପରେ ତାହା ୩ଲକ୍ଷ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୬- ୨୭ ବର୍ଷ ପାଇଁ ଆସିଥିବା ମୂଳ ବଜେଟ୍ ପରିମାଣ ୩.୧୦ଲକ୍ଷ କୋଟି ଟଙ୍କା ଥିବାବେଳେ ପରବର୍ତ୍ତୀ ସମୟରେ ଅତିରିକ୍ତ ବଜେଟ୍ ଆସିଲେ ତାହା ୩ଲକ୍ଷ ୨୫ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ ।
ରାଜ୍ୟର ଜନସଂଖ୍ୟା ପ୍ରାୟ ସାଢ଼େ ୪କୋଟି ବୋଲି ଅନୁମାନ କରାଯାଉଥିବାବେଳେ ଏଥିମଧ୍ୟରୁ ୩କୋଟି ୩୫ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମାଗଣା ଚାଉଳରେ ବଞ୍ଚିବାକୁ ପଡୁଛି । ଏହାଛଡ଼ା ୫୬ଲକ୍ଷ ଲୋକଙ୍କୁ ବିଭିନ୍ନ ଭତ୍ତା ଉପରେ ନିର୍ଭର କରିବାକୁ ହେଉଛି । ସୁଭଦ୍ରା ଯୋଜନାରେ ତ ପ୍ରାୟ କୋଟିଏ ମହିଳାଙ୍କୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ଏଭଳି ସ୍ଥିତିରେ ଆମେ ପ୍ରଗତି ନା ଦୁର୍ଗତି ଭିତରେ ରହିଛୁ ତାହା ସମୀକ୍ଷାର ବିଷୟବସ୍ତୁ । ଏ ପରିପ୍ରେକ୍ଷୀରେ ଓଡ଼ିଶାର ମଙ୍ଗ କିଏ କେବେ ଧରିଥିଲେ ତାହା ମନେ ପକାଇଦେବା ପ୍ରାସଙ୍ଗିକ ହେବ ।
ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପରେ ୧୯୩୭ରେ ହୋଇଥିବା ପ୍ରଥମ ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ନୀତିଗତ କାରଣରୁ ସରକାର ଗଠନରୁ ଦୂରେଇ ରହିବାରୁ କ୍ୟାପ୍ଟେନ୍ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୦୧.୦୪.୧୯୩୭ରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ୧୯.୦୭.୧୯୩୭ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହି ସମୟରେ ବିଧାନସଭାର ଅଧିବେଶନ ବସିନଥିଲା । ପରେ କଂଗ୍ରେସ ବିଧାୟକ ଦଳ ନେତା ବିଶ୍ୱନାଥ ଦାଶ ପ୍ରଧାନମନ୍ତ୍ରିତ୍ୱ ଗ୍ରହଣ କରିବାରୁ ଗଜପତିଙ୍କୁ ପଦ ତ୍ୟାଗ କରିବାକୁ ପଡ଼ିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରସଙ୍ଗରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାରମାନେ ଇସ୍ତଫା ଦେବାରୁ ପୁଣିଥରେ କୃଷ୍ଣଚନ୍ଦ୍ର ଗଜପତି ୨୪.୧୧.୧୯୪୧ରୁ ୦୩.୦୬.୧୯୪୪ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ରହିଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ସେତେବେଳେ ବିଭିନ୍ନ ରାଜ୍ୟର ମୁଖିଆମାନଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା ।
୧୯୪୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ୩୦.୦୪.୧୯୪୬ରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ୧୨.୦୫.୧୯୫୦ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ । ମହତାବଙ୍କ ଇସ୍ତଫା ପରେ ନବକୃଷ୍ଣ ଚୌଧୁରୀ ୧୯.୧୦.୧୯୫୬ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଲେ ଏବଂ ତାଙ୍କ ଇସ୍ତଫା ପରେ ପୁଣି ମହତାବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ୨୫.୦୨.୧୯୬୧ ପର୍ଯ୍ୟନ୍ତ ସମ୍ଭାଳିଲେ । ୨୩.୦୬.୧୯୬୧ରୁ ୦୨.୧୦.୧୯୬୩ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଏବଂ ତାଙ୍କ ପରେ ବୀରେନ୍ ମିତ୍ର ୨୧.୦୨.୧୯୬୫ ଓ ସଦାଶିବ ତ୍ରିପାଠୀ ୦୮.୦୩.୧୯୬୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ରାଜେନ୍ଦ୍ର ନାରାୟଣ ସିଂହଦେଓ ୮.୩.୧୯୬୭ରୁ ୯.୧.୧୯୭୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୩.୪.୧୯୭୧ରେ ବିଶ୍ୱନାଥ ଦାଶ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ । ସେ ଇସ୍ତଫା ଦେବାରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ନନ୍ଦିନୀ ଶତପଥୀ ୧୪.୬.୧୯୭୨ରୁ ୧୬.୧୨.୧୯୭୬ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ ।
ନନ୍ଦିନୀ ଶତପଥୀଙ୍କ ଇସ୍ତଫା ପରେ ୨୯.୧୨.୧୯୭୬ରେ ବିନାୟକ ଆଚାର୍ଯ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ସରକାରର ପତନ ପରେ ନୀଳମଣି ରାଉତରାୟ ୨୬.୬.୧୯୭୭ରୁ ୧୭.୨.୧୯୮୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଲେ । ନୀଳମଣି ରାଉତରାୟଙ୍କ ପରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୯.୬.୧୯୮୦ରୁ ୭.୧୨.୧୯୮୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଜାନକୀବାବୁ ଇସ୍ତଫା ଦେବାରୁ ହେମାନନ୍ଦ ବିଶ୍ୱାଳ ୪.୩.୧୯୯୦ ପର୍ଯ୍ୟନ୍ତ ଏହି ପଦବି ସମ୍ଭାଳିଲେ । ପରେ ଓଡ଼ିଶା ବିଧାନସଭାରେ ଜନତା ଦଳ ରେକର୍ଡ ସଂଖ୍ୟକ ୧୨୩ ଆସନ ଦଖଲ କରିବାରେ ବିଜୁ ପଟ୍ଟନାୟକ ୫.୩.୧୯୯୦ରେ ଦ୍ୱିତୀୟଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ୧୫.୩.୧୯୯୫ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ୧୯୯୫ ନିର୍ବାଚନରେ କଂଗ୍ରେସ ପୁଣି ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ଜାନକୀବାବୁଙ୍କୁ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦବି ମିଳିଥିଲା । ତେବେ କଂଗ୍ରେସ ହାଇକମାଣ୍ଡଙ୍କ ଆଗ୍ରହ କ୍ରମେ ଶେଷ ପର୍ଯ୍ୟାୟରେ ଜାନକୀବାବୁଙ୍କ ବଦଳରେ ସେତେବେଳର କେନ୍ଦ୍ରମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲେ ବି ୨୦୦୦ ମସିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗିରିଧରଙ୍କୁ ବଦଳାଇ ହେମାନନ୍ଦ ବିଶ୍ୱାଳଙ୍କୁ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା ।
୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେତବେଳର କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ୨୦୦୯ରେ ମେଣ୍ଟ ଭାଙ୍ଗିଯିବାରୁ ବିଜେଡି ଏକକ ସଂଖ୍ୟାଗରିଷ୍ଠ ଭାବେ ଉଭା ହୋଇ ୨୦୨୪ ପର୍ଯ୍ୟନ୍ତ ଶାସନରେ ରହିଲେ ଏବଂ ଏହାର ମଙ୍ଗ ନବୀନ ଧରିଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ୫୧କୁ ଖସିଥିବାବେଳେ ବିଜେପି ୭୮ଟି ଆସନରେ ଜିଣି ଜୁନ୍ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଏକାକୀ ସରକାର ଗଢ଼ିବାରେ ସମର୍ଥ ହେଲା ।
ଗୋଟିଏ ସମୟରେ କଳିଙ୍ଗ ସାମ୍ରାଜ୍ୟ ଆଗଙ୍ଗ ଗୋଦାବରୀ ବିସ୍ତୃତ ଥିଲା । ଖାରବେଳଙ୍କଠାରୁ କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ଦିଗ୍ବିଜୟୀ ସମ୍ରାଟମାନଙ୍କ ବୀରତ୍ୱର ଗାଥା ଏବେ ସ୍ୱପ୍ନ ପରି । ଇଂରେଜମାନେ ପ୍ରାୟ ଶେଷରେ ଓଡ଼ିଶା ଅଧିକାର କରିଥିଲେ । ସେତେବେଳେ ବି ଓଡ଼ିଆ ଯୋଦ୍ଧାମାନେ ଇଂରେଜମାନଙ୍କ ସହ ନିର୍ଣ୍ଣାୟକ ଲଢ଼େଇ ଲଢ଼ିଥିଲେ । ଇଂରେଜ ଶାସନ ସମୟରେ ଆମ ଭୂଖଣ୍ଡକୁ ୪ଭାଗରେ ବିଭକ୍ତ କରି ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରଖାଯାଇଥିଲା । ଏକ ଗୌରବୋଜ୍ୱଳ ଜାତିର ଧ୍ୱଂସାବଶେଷ ଉପରେ ବ୍ରିଟିଶ ସରକାର ଶାସନ କରୁଥିଲା । ବହୁ ମହାମନୀଷୀଙ୍କ ଏକନିଷ୍ଠ ଉଦ୍ୟମ ଫଳରେ ୧୯୩୬ ମସିହାରେ ମାତ୍ର ୬ଟି ଜିଲ୍ଲା ଓ ୧୮ଟି ଉପଖଣ୍ଡକୁ ନେଇ ଜନ୍ମ ନେଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ପରବର୍ତ୍ତୀ ସମୟରେ ଏହାର ଭୂଗୋଳ ୧୩ଟି ଜିଲ୍ଲାକୁ ପ୍ରସାରିତ ହୋଇଥିଲା ଏବଂ ଜିଲ୍ଲା ପୁନର୍ଗଠନ ବେଳେ ୧୯୯୦ ଦଶକରେ ଏହା ୩୦ ଜିଲ୍ଲାକୁ ବୃଦ୍ଧିପାଇଲା ।
୯୦ବର୍ଷ ଭିତରେ ଓଡ଼ିଶାର ବଜେଟ୍ ଆକାର ବଢ଼ିବା ସହିତ ଋଣ ବୋଝ ବି ବଢ଼ିଚାଲିଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣବୋଝ ୧.୩୫ଲକ୍ଷ କୋଟି ଟଙ୍କାକୁ ଟପିବା ସମ୍ଭାବନା ଥିବାବେଳେ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଏହାର ପରିମାଣ ଦେଢ଼ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ବଜେଟ୍ ପରିମାଣ ବୃଦ୍ଧି ସହିତ ଋଣ ପରିମାଣ ବଢ଼ୁଥିଲେ ବି ରାଜ୍ୟରେ ଆର୍ଥିକ ବୈଷମ୍ୟ ଲାଗିରହିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଦାବି କରୁଛନ୍ତି ଯେ, ଏବେ ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ବାର୍ଷିକ ହାରାହାରି ଆୟ ୧ଲକ୍ଷ ୮୬ହଜାର ଟଙ୍କାରେ ପହଞ୍ଚିଲାଣି । ଅର୍ଥାତ୍ ଯେଉଁ ପରିବାରରେ ୧୦ଜଣ ସଦସ୍ୟ ଅଛନ୍ତି ସେ ପରିବାରର ବାର୍ଷିକ ଆୟ ୧୮ଲକ୍ଷ ୬୦ହଜାର ଟଙ୍କା ହେବା କଥା । ଏହି ସରକାରୀ ହିସାବ ମୁତାବକ ୧୦ଜଣିଆ ପରିବାରର ମାସିକ ହାରାହାରି ଆୟ କୁଆଡ଼େ ଲକ୍ଷେ ୫୫ହଜାର ଟଙ୍କା । ଏହାଛଡ଼ା ରାଜ୍ୟର ଜିଏସ୍ଡିପି ୯ଲକ୍ଷ କୋଟି ଟଙ୍କାକୁ ଟପିଗଲାଣି ବୋଲି ସରକାରୀ ଦସ୍ତାବିଜ କହୁଛି । ଯଦି ଏକଥା ସତ, ତେବେ ରାଜ୍ୟର ୩କୋଟି ୩୫ଲକ୍ଷ ଲୋକ କାହିଁକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମାଗଣା ଚାଉଳ ଉପରେ ନିର୍ଭର କରୁଛନ୍ତି? ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ବାରମ୍ବାର ମାଗଣା ବଣ୍ଟନ ବ୍ୟବସ୍ଥା ଘେନି ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି ।
ଦେଶର ଶ୍ରେଷ୍ଠ ୫ରାଜ୍ୟ ଭିତରେ ଓଡ଼ିଶାକୁ ରଖିବା ସହିତ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଅର୍ଥନୀତି ହାସଲ କରି ୨୦୪୭ ବେଳକୁ ରାଜ୍ୟର ବାର୍ଷିକ ହାରାହାରି ମୁଣ୍ଡପିଛା ଆୟ ୩୨ଲକ୍ଷ ଟଙ୍କାରେ ପହଞ୍ଚାଇବା ଲାଗି ଉଦ୍ୟମ ଚାଲିଛି ବୋଲି ଚଳିତ ରାଜ୍ୟ ବଜେଟ୍ ଅଧିବେଶନ ସମୟରେ କୁହାଯାଇଛି । ବେକାରୀ, ବେରୋଜଗାରୀଠାରୁ କୃଷକମାନଙ୍କ ସମସ୍ୟା ଏବଂ ଖଣି ଖାଦାନ ବିଷୟରେ ଅନେକ କଥା କୁହାହୋଇଛି । ପ୍ରତିବର୍ଷ ବଜେଟ୍ ବେଳେ ଅନ୍ୟୁନ ୫୦ବର୍ଷ ଧରି ରାଜ୍ୟବାସୀଙ୍କୁ ଏମିତି ଅନେକ ସୁନେଲି ସ୍ୱପ୍ନ ଦେଖାଯାଉଛି । ଏହାରି ଭିତରେ ୨୦୨୬-୨୭ ବର୍ଷର ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ୍ ଆମ ସମସ୍ୟାର କେତେ ସମାଧାନ କରିବ ତାହା ଉପରେ ସମସ୍ତଙ୍କ ନଜର ।