କଟକ ୦୧/୦୪: ଉତ୍କଳ ଦିବସରେ ତଥା ୧୯୩୬ ଏପ୍ରିଲ୍‌-୧ରେ  ଓଡ଼ିଶା ପୁଲିସ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ   ରାଜ୍ୟ ପୁଲିସ ବାହିନୀ ତାର ୯୦ ତମ ପ୍ରତିଷ୍ଠା ଦିବସ ପାଳନ ହେବ ।  ପୁଲିସ୍‌ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍‌ରେ ଅଭିବାଦନ ଦେବେ । ପୁଲିସ ପାଇଁ ଏହି ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ରାଜ୍ୟ ପୁଲିସ ବାହିନୀର ବହୁ ଆଇପିଏସ୍‌ ଅଧିକାରୀଙ୍କ ସମେତ ଅନ୍ୟ  ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ବିଭିନ୍ନ ବାଟାଲିୟନ୍‌ର ଅଧିକାରୀମାନେ ଯୋଗଦେବେ । 

ଆଗାମୀ ଦିନରେ ରାଜ୍ୟରେ ପୁଲିସ୍‌ ବାହିନୀ ପାଇଁ  କ’ଣ ଚ୍ୟାଲେଞ୍ଜ ରହିଛି ଏବଂ କିପରି ପ୍ରତିଟି ଚ୍ୟାଲେଞ୍ଜକୁ ଦକ୍ଷତାର  ସହ ମୁକାବିଲା କରିବାକୁ ହେବ ସେ ସମ୍ପର୍କରେ ରାଜ୍ୟ ପୁଲିସ ମୁଖିଆ  ଭାବେ ଡିଜି ଖାକି ବାହିନୀଙ୍କୁ ପ୍ରତିଷ୍ଠା ଦିବସରେ ନୂତନ ଆହ୍ୱାନ ଦେବେ । ଅନେକ ଆହ୍ୱାନ ମଧ୍ୟରେ ରାଜ୍ୟରେ ମହିଳା ଓ ଶିଶୁ ହିଂସାକାଣ୍ଡ, ସଂଗଠିତ  ଅପରାଧ, ସାଇବର ଅପରାଧ, ବେଆଇନ ନିଶା ଚାଲାଣ ଉପରେ ନିୟନ୍ତ୍ରଣ  ଓ ତଦନ୍ତରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଁ ପୁଲିସ୍‌ ଅଧିକାରୀମାନେ  କିପରି ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିବେ ତାହା ଉପରେ ଡିଜି  ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ପୁଲିସ ସେବାରେ  ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫଳ ଅଧିକାରୀ ଓ କର୍ମଚାରୀମାନଙ୍କୁ  ସମ୍ମାନ ଜନକ ଡିଜିପି ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରାଯିବ ।  ଏଥିଲାଗି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।