ନୂଆଦିଲ୍ଲୀ ୦୯/୦୨: ସିଙ୍ଗାପୁରରେ ଜଣେ ୯୭ ବର୍ଷୀୟ ବୃଦ୍ଧ ବ୍ୟକ୍ତି ୫୦ ବର୍ଷର ଅପେକ୍ଷା ପରେ ଏବେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି । ବୃଦ୍ଧ ଏକ ରସାୟନ କମ୍ପାନିର ମାଲିକ । ୧୯୫୦ ମସିହାରେ ପ୍ରଥମେ ସେ ବାହା ହୋଇଥିଲେ । ପ୍ରଥମ ପତ୍ନୀଙ୍କ ସହ ତାଙ୍କର ୩ଟି ପୁଅ ହୋଇଥିଲେ । ଇତିମଧ୍ୟରେ ୧୯୭୬ ମସିହାବେଳକୁ ସେ ନିଜ ସେକ୍ରେଟେରିଙ୍କ ପ୍ରେମରେ ପଡ଼ିଯାଇଥିଲେ । ତାଙ୍କ ପତ୍ନୀ ପରେ ଏକଥା ଜାଣିବାକୁ ପାଇଥିଲେ ବି ସ୍ୱାମୀଙ୍କୁ ବିରୋଧ କରିନଥିଲେ । ୨୦୧୪ରେ ପତ୍ନୀଙ୍କ ନିଧନ ପରେ ବୃଦ୍ଧ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ରହିବାକୁ ଘରକୁ ଆଣିଥିଲେ ।
ଏହାର ୭ ବର୍ଷ ପରେ ୨୦୨୧ରେ ବିବାହ କରିବାକୁ ମନସ୍ଥ କରିଥିଲେ ପ୍ରେମୀଯୁଗଳ । କିନ୍ତୁ ବୃଦ୍ଧଙ୍କର ଦ୍ୱିତୀୟ ପୁଅ ଏହା ବିରୋଧରେ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜର ଆବେଦନରେ ସେ ଦର୍ଶାଇଥିଲେ ଯେ, ପିତାଙ୍କୁ ଭୁଲା ରୋଗ ଅଛି । ଏହାର ସୁଯୋଗ ନେଇ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ବାହା ହୋଇ ସମ୍ପତି ହଡ଼ପ କରିବାକୁ ଚାହୁଁଛନ୍ତି । ପରିବାର ଅଦାଲତ ଏହି ଅଭିଯୋଗ ଆଧାରରେ ବୃଦ୍ଧଙ୍କର ମେଡିକାଲ ଯାଞ୍ଚ କରାଇଲେ । ସେଥିରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡି଼ଲା । ତେଣୁ କୋର୍ଟ ବୃଦ୍ଧଙ୍କ ସପକ୍ଷରେ ରାୟ ଦେଲେ ।
ଆହୁରି ପଢ଼ନ୍ତୁ...ପ୍ରେମ ନିବେଦନ କରି ମନ କଥା କହିଲେ, ଆଜି ଦେବେ ଚକୋଲେଟ୍
କୋର୍ଟ କହିଲେ ଯେ, ବ୍ୟକ୍ତିଜଣକ ସେହି ମହିଳାଙ୍କ ସହ ୫୦ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କରେ ଅଛନ୍ତି । ଏହି ସମୟ ମଧ୍ୟରେ ମହିଳା ତାଙ୍କଠାରୁ ସମ୍ପତ୍ତି ହଡ଼ପ କରିବା ଲାଗି ଉଦ୍ୟମ କରିଥିବାର କୌଣସି ପ୍ରମାଣ ନାହିଁ । ତେଣୁ ବୃଦ୍ଧ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ବିବାହ କରିପାରିବେ । ଏହାପରେ ଏବେ ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଅନ୍ୟପଟେ ଦ୍ୱିତୀୟ ପୁଅର କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ଥିବା ବୃଦ୍ଧ ପୁଅ ଏବଂ ନାତିକୁ ସମ୍ପତ୍ତିରୁ ବେଦଖଲ କରିଦେଇଛନ୍ତି । ପୁଅ ନାମରେ ସେ କରିଥିବା ୨୫ କୋଟିର ସମ୍ପତ୍ତି ଏବଂ କମ୍ପାନିକୁ ବି ଫେରାଇବାକୁ କହିଛନ୍ତି ।