କପ୍ତିପଦା, ୨୪/୧୦: କପ୍ତିପଦା ବ୍ଲକ ଶରତ ଥାନା ଅଧୀନ ପାତାସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଶାସକ୍ତ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ହୋଇଛି ମୃତ୍ୟୁ।
ଘଟଣାରୁ ପ୍ରକାଶ କପ୍ତିପଦା ଶରତ ରାସ୍ତାର ଠାକୁରାଣୀ ନିକଟରେ ପାତାସାହି ଗ୍ରାମର ଭଞ୍ଜ ପୂର୍ତ୍ତି (୫୫)ତାଙ୍କ ସ୍ତ୍ରୀ ଗୁରୁବାରୀ ପୂର୍ତ୍ତି(୪୫)କୁ ପ୍ରତିଦିନ ନିଶା ଖାଇବା ପରେ ପାଟିତୁଣ୍ଡ ଓ ପିଟାପିଟି କରେ। ଭଞ୍ଜ ପୂର୍ତ୍ତିର ଚାରି ଜଣ ପୁଅ ରହିଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ବିବାହିତ. ଦ୍ୱିତୀୟ ପୁଅ କୁସୁନ ଘର ଠାରୁ ଅଳ୍ପ କିଛି ଦୂରରେ ଘର କରି ନିଜର ସ୍ତ୍ରୀ ପାଦାନୀ ଓ ପାଞ୍ଚ ବର୍ଷର ଝିଅ ସହିତ ରହନ୍ତି।
ଭଞ୍ଜ ନିଜ ସ୍ତ୍ରୀକୁ ପ୍ରତିଦିନ ପିଟାପିଟି କରୁଥିବାରୁ ଅନ୍ୟ ପୁଅମାନେ ମାଆ ଗୁରୁବାରୀକୁ କୁସୁନ ପାଖରେ ଛାଡ଼ି ଥିଲେ। ଗୁରୁବାର ଦିନ ଅପରାହ୍ନ ୫ଟାରେ ଭଞ୍ଜ ନିଶା ଖାଇ ସାଇକେଲ ନେଇ ପୁଅ କୁସୁନ ଘରକୁ ଯାଇଥିଲେ। କୁସୁନର ସ୍ତ୍ରୀ ପାଣି ଆଣିବା ପାଇଁ ଟିକେ ଦୁରକୁ ଯାଇଥିବାର ସୁଯୋଗରେ ଭଞ୍ଜ ଏକ କାଠ ଫାଳିଆରେ ନିଜ ସ୍ତ୍ରୀର ମୁଣ୍ଡକୁ ଶକ୍ତ ଆଘାତ ଦେଇ ସଙ୍ଗେ ସଙ୍ଗେ ସେଠାରୁ ଗ୍ରାମ ଚୌକିଆ ପାଖକୁ ପଳାଇ ଥିଲେ। ବୋହୂ ପାଣି ନେଇ ଆସିବା ପରେ ରକ୍ତାକ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ଶାଶୁ ପଡିଥିବାର ଦେଖି ବହୂ ପାଦାନୀ ପରିବାର ଲୋକଙ୍କୁ ଡାକିଥିଲେ। ପୁଅ କୁସୁନ ଗରୁ ଚରାଇ ସେଇ ସମୟରେ ଘରେ ପହଞ୍ଚି ମାଆର ଏଭଳି ଅବସ୍ଥା ଦେଖି ସଙ୍ଗେସଙ୍ଗେ ଅନ୍ୟ ଭାଇ ମାନଙ୍କୁ ଡାକି ଏକ ଟେମ୍ପୁରେ କପ୍ତିପଦା ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ହୋଇଥିଲା।
ଅନ୍ୟପଟେ ଚୌକିଦାର ସେଠାରେ ପହଞ୍ଚି ଗୁରୁବାରୀର ମୃତ୍ୟୁ ହୋଇ ଯାଇଥିବାର ଦେଖି ଶରତ ଥାନାକୁ ଖବର ଦେଇଥିଲେ। ଶରତ ପୁଲିସ ସେଠାରେ ପହଞ୍ଚି କେସ ନଂ 99/2025ରେ ଏକ ହତ୍ୟା ମାମଲା ୠଜୁ କରି ଉଦଳା ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଅ କୁସୁନର ଲିଖିତ ବୟାନ ମୁତାବକ ବାପା ଭଞ୍ଜ ପୂର୍ତ୍ତିକୁ ଆରେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର ପ୍ରକାଶ କରିଛନ୍ତି।