ଭୁବନେଶ୍ୱର,୨୫/୦୯: ଅସୁରକ୍ଷିତ  ହୋଇପଡ଼ିଛି ରାଜଧାନୀ । ଅପହରଣ ପାଇଁ ଚଳନ୍ତା ଅଟୋରେ ଜଣେ ଯୁବତୀଙ୍କୁ ବେହୋସ୍‌ କରିବାକୁ  ଉଦ୍ୟମ ହୋଇଛି । ଆଉ ନିଜକୁ ବଞ୍ଚାଇବାକୁ ଯାଇ ଚଳନ୍ତା ଅଟୋରୁ ଡେଇଁ ପଡ଼ି ଗୁରୁତର ଆହାତ  ହୋଇଛନ୍ତି ଯୁବତୀ ଜଣଙ୍କ । ଅଭିଯୋଗ ପାଇ ନୂଆପଲ୍ଲୀ ଥାନା ପୁଲିସ ତନାଘନା ଆରମ୍ଭ କରି  ଦେଇଛି । ଚଳନ୍ତା ଅଟୋରେ ଜଣେ ଯୁବତୀଙ୍କୁ  ଅପହରଣ ଉଦ୍ୟମ ଘଟଣା ରାଜଧାନୀରେ  ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ,ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଗତକାଲି ରାତିରେ ଆଚାର୍ଯ୍ୟବିହାରରୁ ଅଟୋରେ ନୂଆପଲ୍ଲୀ ଆସୁଥିଲେ। ଅଟୋରେ ଚାଳକଙ୍କ ସମେତ ଅନ୍ୟଜଣେ ମହିଳା ମୁଣ୍ଡରେ ଓଢ଼ଣି ପକାଇ ବସିଥିଲେ । ଯୁବତୀ ଜଣଙ୍କ ଅଟୋରେ ବସିବା  ପରେ ମହିଳା ଜଣଙ୍କ ପ୍ରଥମେ ତାଙ୍କ ମୋବାଇଲ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ଯୁବତୀ ପାଟି କରିବାରୁ ମହିଳା ପାଖରେ ରଖିଥିବା  ଏକ କପଡ଼ାକୁ ତାଙ୍କ ମୁହଁରେ ପକାଇବା ପାଇଁ  ଉଦ୍ୟମ କରିଥିଲେ । ଏହି ସମୟରେ ଚାଳକ ଜଣଙ୍କ ଅଟୋକୁ ଦ୍ରୁତଗତିରେ ଚଳାଇଥିଲେ । ଯୁବତୀଜଣଙ୍କ ଅଟୋ ରଖିବା ପାଇଁ କହିଥିଲେ  ମଧ୍ୟ ଚାଳକ ଶୁଣି ନଥିଲେ ।

ସେପଟେ  ଅଟୋରେ ଥିବା ମହିଳା ଜଣଙ୍କ ଯୁବତୀଙ୍କ  ମୁହଁରେ କପଡ଼ା ଗୁଡ଼ାଇବା ପାଇଁ ଉଦ୍ୟମ  କରୁଥିଲେ । ଜୀବନ ବିକଳରେ ଯୁବତୀ ଜଣଙ୍କ  ଜୟଦେବବିହାର ନିକଟରେ ଚଳନ୍ତା ଅଟୋରୁ  ଡେଇଁ ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟିବା  ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି  ହୋଇଥିଲା । ସ୍ଥାନୀୟ ଲୋକେ ଯୁବତୀଙ୍କୁ  ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇ  ଯାଇଥିଲେ । ସେଠାରେ ଯୁବତୀଙ୍କ ଚିକିତ୍ସା  ଚାଲିଥିବା ବେଳେ ଖବରପାଇ ଯୁବତୀଙ୍କ  ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ ।  ଏନେଇ ଯୁବତୀଙ୍କ ମା’ ନୂଆପଲ୍ଲୀ ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ  ମାମଲା ରୁଜୁକରି ତନାଘନା ଚଳାଇଥିଲେ ମଧ୍ୟ  ଅପହର୍ତ୍ତାଙ୍କ ବିଷୟରେ ସୂଚନା ପାଇନାହିଁ ।  ରାଜଧାନୀରୁ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ  ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।