ନୂଆଦିଲ୍ଲୀ: ଉତ୍ତର ଇଂଲଣ୍ଡରେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ସନ୍ଦେହରେ ଜଣେ ପୁରୁଷଙ୍କୁ ଗିରଫ କରିବା ପାଇଁ ବ୍ରିଟିଶ ପୋଲିସ ଏକ ଜରୁରୀକାଳୀନ ଆବେଦନ ଅପିଲ କରିଛି। ପୀଡିତ ମହିଳା ଜଣକ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି। ୱେଷ୍ଟ ମିଡଲ୍ୟାଣ୍ଡସ୍ ପୋଲିସ ଜାରି କରିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ୱାଲସଲର ପାର୍କ ହଲ୍ ଅଞ୍ଚଳର ରାସ୍ତାରେ ଜଣେ ମହିଳାଙ୍କୁ କଷ୍ଟ ହେଉଥିବାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଜାରି କରିଥିଲା ​​ଏବଂ ଏହାକୁ 'ଜାତିଗତ ଆକ୍ରମଣ ଜନିତ ଦୁଷ୍କର୍ମ' ଭାବରେ ବର୍ଣ୍ଣନା କରିଥିଲା।

ପୋଲିସ ତଦନ୍ତର ନେତୃତ୍ୱ ନେଉଥିବା ଡିଟେକ୍ଟିଭ୍ ସୁପରିଣ୍ଟେଣ୍ଡେଣ୍ଟ୍ ରୋନାନ୍ ଟାୟାର କହିଛନ୍ତି, "ଏହା ଜଣେ ଯୁବତୀ (୨୦ ବର୍ଷ)ଙ୍କ ଉପରେ ଏକ ଅତ୍ୟନ୍ତ ଭୟଙ୍କର ଆକ୍ରମଣ ଥିଲା। ଆମେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଯଥାସମ୍ଭବ ଚେଷ୍ଟା ଜାରି ରଖିଛୁ।" ସେ କହିଛନ୍ତି ଯେ ପୋଲିସ ଏହି ଘଟଣା ନେଇ ପ୍ରମାଣ ସଂଗ୍ରହ କରୁଛି ଏବଂ ଆକ୍ରମଣକାରୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରୁଛି। ଯଦି କେହି ସେହି ସମୟରେ ଉକ୍ତ ଅଞ୍ଚଳରେ କୌଣସି ପୁରୁଷ ସନ୍ଦେହଜନକ ଗତିବିଧି କରୁଥିବାର ଦେଖନ୍ତି, ତେବେ ପୋଲିସକୁ ଜଣାଇବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପୋଲିସ କହିଛି ଯେ ଆକ୍ରମଣକାରୀ ଜଣେ ଶ୍ୱେତାଙ୍ଗ ହୋଇଥିବା ବେଳେ ତାଙ୍କ ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତ ଜଣଙ୍କର କେଶ ଛୋଟ ଥିବା ବେଳେ ଏହି ଆକ୍ରମଣ ସମୟରେ ସେ କଳା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲେ।

ଏହି ମାମଲାରେ ପୀଡିତା ଜଣଙ୍କ ଜଣେ ପଞ୍ଜାବୀ ମହିଳା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। କିଛି ସପ୍ତାହ ପୂର୍ବରୁ ଜାତିଗତ ଭେଦଭାବକୁ ଆଧାର କରି ଓଲ୍ଡବରୀ ଅଞ୍ଚଳରେ ଜଣେ ବ୍ରିଟିଶ ଶିଖ ମହିଳାଙ୍କୁ ମଧ୍ୟ ବଳାତ୍କାର କରାଯାଇଥିଲା। ୱାଲସାଲ ପୋଲିସ ମୁଖ୍ୟ ସୁପରିଟେଣ୍ଡଣ୍ଟ ଫିଲ୍ ଡଲବି କହିଛନ୍ତି ଯେ ପୋଲିସର ଧ୍ୟାନ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ଗିରଫ କରିବା ଉପରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ୱାଲସାଲ ଏକ ବହୁସଂସ୍କୃତିକ ଅଞ୍ଚଳ। ଏହି ଭୟଙ୍କର ଆକ୍ରମଣ ସମ୍ପ୍ରଦାୟରେ ଚିନ୍ତା ସୃଷ୍ଟି କରିଛି। ଆମେ ଲୋକଙ୍କ କଥା ଶୁଣୁଛୁ ଏବଂ ଆଗାମୀ ଦିନରେ ଏହି ଅଞ୍ଚଳରେ ପୋଲିସ ଉପସ୍ଥିତି ବୃଦ୍ଧି କରିବାକୁ ଯାଉଛୁ।"

ଶିଖ ଫେଡେରେସନ ୟୁକେ କହିଛି ଯେ ୱାଲସଲ ବଳାତ୍କାର ପୀଡିତା ଜଣେ ପଞ୍ଜାବୀ ଥିଲେ। ସଂଗଠନ କହିଛି ଯେ ଆକ୍ରମଣକାରୀ ପୀଡିତାଙ୍କ ଘରର ଦ୍ୱାର ଭାଙ୍ଗି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପଶ୍ଚିମ ମିଡଲ୍ୟାଣ୍ଡସ୍ ପୋଲିସ ଗତ ଦୁଇ ମାସ ମଧ୍ୟରେ ଦୁଇଟି ସମାନ ମାମଲାର ତଦନ୍ତ କରିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବାକୁ ଚେଷ୍ଟା ଜାରି ରଖିଛି। ପୋଲିସ ପୂର୍ବରୁ ଓଲଡବରୀର ଏହି ମାମଲାରେ କିଛି ଜଣଙ୍କୁ ଗିରଫ କରିଥିଲା, କିନ୍ତୁ ପରେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।