ନୂଆଦିଲ୍ଲୀ: ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି(DHS) ବିଭାଗ ନିଜଆଡୁ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟ (EADs)ର କିଛି ଅଂଶକୁ ବଦଳାଇଛି। ଯାହା ସେଠାରେ ରହୁଥିବା H-1 ଭିସା ହୋଲ୍ଡରଙ୍କ ପତି/ପତ୍ନୀ, OPT ଅଧିନରେ ଥିବା F-1 ଛାତ୍ରଙ୍କ ସମେତ ଆସାଇଲମ ଆଶାୟୀମାନଙ୍କ ପାଇଁ ପୁଣି ଆଉ ଏକ ନୂଆ ଅସୁବିଧା ସୃଷ୍ଟି କରିବାକୁ ଯାଉଛି।
ଖବର ମୁତାବକ, ଅକ୍ଟୋବର ୩୦ ତାରିଖ, ଗୁରୁବାର(ସ୍ଥାନିୟ ସମୟ) ଦିନ ରାତାରାତି ଏହି ନିୟମରେ ପରିବର୍ତ୍ତନ ଅଣାଯାଇଛି। ଯାହାଦ୍ୱାରା ଚାକିରୀ ଆଶାୟି ମାନଙ୍କୁ ସେମାନଙ୍କର ନବୀକରଣ ପ୍ରକ୍ରିୟାକରଣ କରିବାକୁ ମାତ୍ର ଅଳ୍ପ ସମୟ ପ୍ରଦାନ କରାଯାଇଛି। ଏହି ପରିବର୍ତ୍ତୀତ ନିୟମ ଆମେରିକାରେ ରହୁଥିବା ଭାରତୀୟ କର୍ମଜୀବିମାନଙ୍କୁ ଏକ ନୂଆ ଅସୁବିଧାରେ ପକାଇଛି। କାରଣ ଆମେରିକାରେ H-1B ଭିସାଧାରକଙ୍କ ମଧ୍ୟରେ ସିଂହଭାଗ ଭାରତୀୟ କର୍ମଜୀବି ଓ ଛାତ୍ର ସାମିଲ ରହିଛନ୍ତି।
ବର୍ତ୍ତମାନ H-1B ଭିସା ଅଧିନରେ ଆମେରିକାରେ ଥିବା ବିଦେଶୀ କର୍ମଜୀବିମାନେ ସେମାନଙ୍କର ନିଯୁକ୍ତି ଅନୁମୋଦନ ନବୀକରଣ ପାଇଁ ସ୍କ୍ରିନିଂ ଏବଂ ଯାଞ୍ଚର ସମ୍ମୁଖୀନ ହେବେ। ଏନେଇ DHS କହିଛି ଯେ ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଯାଞ୍ଚ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଠକେଇକୁ ରୋକିବା।
ବାଇଡେନଙ୍କ ଶାସନକାଳ ସମୟରେ ଆମେରିକାରେ ପ୍ରବାସିମାନଙ୍କୁ କେତେକ ଭାଗରେ ବିଭକ୍ତ କରାଯାଇଥିଲା। ଯେଉଁଥିରେ ନିର୍ଦ୍ଦିଷ୍ଟ ବର୍ଗର ପ୍ରବାସୀ - H-1B ଭିସା ଧାରକଙ୍କ ପତି/ପତ୍ନୀ(H-4) ଏବଂ ଇଚ୍ଛାଧୀନ ବ୍ୟବହାରିକ ତାଲିମ (OPT) ଅଧୀନରେ ଥିବା ଛାତ୍ରମାନେ ଯଦି ସମୟସୀମା ମଧ୍ୟରେ ନବୀକରଣ ଦାଖଲ କରିଥାନ୍ତି ତେବେ ସେମାନେ ଅଟୋମେଟିକ ଏକ୍ସଟେନସନ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଯାହାଦ୍ୱାରା ସେମାନେ ସେମାନଙ୍କର EAD ଶେଷ ହେବା ପରେ ମଧ୍ୟ ଆଇନଗତ ଭାବରେ କାମ ଜାରି ରଖିବାକୁ ସମର୍ଥ ହୋଇଥାନ୍ତି।
କିନ୍ତୁ ବର୍ତ୍ତମାନଠାରୁ, ପ୍ରତ୍ୟେକ ଆବେଦନକାରୀଙ୍କୁ ସେମାନଙ୍କର ନିଯୁକ୍ତି ଅନୁମୋଦନ ନବୀକରଣ କରିବା ପୂର୍ବରୁ ଏକ ନୂତନ ଯାଞ୍ଚ ଏବଂ ସ୍କ୍ରିନିଂ କରିବାକୁ ପଡିବ। ତେବେ କୌଣସି ପୂର୍ବ ସୂଚନା କିମ୍ବା ମନ୍ତବ୍ୟ ବିନା ଘୋଷଣା କରାଯାଇଥିବା ଏହି ପରିବର୍ତ୍ତନ, ନିଯୁକ୍ତି ପାଇଁ EAD ଉପରେ ନିର୍ଭରଶୀଳ ବର୍ଗଗୁଡ଼ିକୁ ସିଧାସଳଖ ଟାର୍ଗେଟ କରିଛି।