ମାଲକାନଗିରି, ୨୬/୯(ଆପ୍ର): ଓଡିଶା ପ୍ରଶାସନିକ ପରୀକ୍ଷାରେ ୧୧୭ ନମ୍ବର ଋ୍ୟାଙ୍କରେ ସଫଳତା ହାସଲ କଲେ ମହମ୍ମଦ ଆସିଫ ଖାନ l ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ଗ୍ରାମର ମହମ୍ମଦ ଆଉବୁ ଖାନଙ୍କ ଚାରି ପୁତ୍ର ଗୋଟିଏ କନ୍ୟାଙ୍କ ମଧ୍ୟରୁ ଦ୍ୱିତୀୟ ପୁତ୍ର ମହମ୍ମଦ ଆସିଫ ଖାନ l ଆସିଫ ଛୋଟ ବେଳରୁ ତାଙ୍କର ପାଠ ପଢା ଆଗ୍ରହ ଦେଖି ବାପା ଅଭାବ ମଧ୍ୟରେ ତାଙ୍କୁ ପଡୋଶୀ ଛତିଶଗଡ ରାଜ୍ୟ କୋଣ୍ଟାରେ ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ ପାଠ ପଢ଼ାଇଥିଲେ।
ଅର୍ଥ ଅଭାବରୁ ସେଠାରୁ ଆଣି ପଡିଆ ମଟୁମଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥରୁ ଷଷ୍ଠ ପର୍ଯ୍ୟନ୍ତ ପଢାଇ ପରେ ସପ୍ତମ ଶ୍ରେଣୀରେ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ, ସାଫିକ ବିଦ୍ୟାଳୟର ସମସ୍ତ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ରଖି ପାସ କରୁଥିଲେ। ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିବା ପରେ ନବୋଦୟ ବିଦ୍ୟାଳୟରେ ପଢିବା ପାଇଁ ମନୋନୀତ ହୋଇ ଯୁକ୍ତ ଦୁଇ ଠାରୁ ଯୁକ୍ତ ତିନି ପଢ଼ିବା ପରେ ପରିବାର ର ଆର୍ଥିକ ଅବସ୍ଥା ଦେଖି ପାଠ ପଢା ଛାଡି ବେଙ୍ଗୁଲୁର ଯାଇ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପିତା,ମାତା,ଭାଇ,ଭଉଣୀମାନଙ୍କ ବୋଝ ଉଠାଇ ଥିଲେ।
ଏହାରି ମଧ୍ୟରେ ତାଙ୍କର ଆଇପିଏସ ହେବା ପାଇଁ ଇଚ୍ଛା କରିଥିଲେ କିନ୍ତୁ ଅର୍ଥ ବାଧକ ସାଜିଥିଲା। ହେଲେ ବି ସେ ପଛଘୁଞ୍ଚା ଦେଇ ନଥିଲେ, ମୋବାଇଲ ସାହାଯ୍ୟରେ ଅନଲାଇନରେ ପଢ଼ି ଆଇପିଏସ ପରୀକ୍ଷା ଦେଇଥିଲେ। ସେଥିରେ ସଫଳ ହୋଇ ପାରି ନଥିଲେ। କିନ୍ତୁ ମନର ଦୃଢ଼ତା ତାଙ୍କୁ ଆଗକୁ ନେଇଥିଲା, ଏଥି ମଧ୍ୟରେ ତାଙ୍କର ପିତା ଆଉବୁ ଖାନଙ୍କ କିଡନୀ ଜନିତ ରୋଗରେ ପୀଡିତ ହୋଇଗଲେ। ଏଥଯୋଗୁଁ ତାଙ୍କର ମନୋବଳ ଭାଙ୍ଗି ପଡି ଥିଲା, ପରେ ପିତା ମାତାଙ୍କୁ ନିଜ ପାଖରେ ରଖି ବାପାଙ୍କ ଚିକିତ୍ସା କରାଇବାକୁ କେବେ ଅବହେଳା କରିନଥିଲେ। କମ୍ପାନୀରେ କାମ ସହ ସମୟ କାଢି ନିଜର ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ପରୀକ୍ଷା ଦେଇଥିଲେ।
ଛଅଶହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆସିଫ ୧୧୭ ନମ୍ବର ଋ୍ୟାଙ୍କ ରଖି ସଫଳତା ହାସଲ କରି ଗୌରବ ଅର୍ଜନ କରିଥିବାରୁ ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗୌରଭ ଅନୁଭବ କରୁଛି। ଆସିଫ ପଡିଆ ବ୍ଲକର ଗୌରବ ଅର୍ଜନ କରିଥିବାରୁ, ତାଙ୍କର ପିତା ଆଉବୁ ଖାନ ଓ ମାତା ରେହେମଦ ବେଗମ ଏବଂ ସମସ୍ତ ପଡିଆ ଅଞ୍ଚଳ ବାସି ଖୁସି ହୋଇଥିବା ବେଳେ ପରିବାରକୁ ସୂଭେଚ୍ଛା ସୁଅ ଛୁଟୁଛି। ଆସିଫ ପରୀକ୍ଷାରେ ସଫଳତା ପାଇ କାର୍ଯ୍ୟରତ ଥିବା ହାଇଦ୍ରାବାଦ କମ୍ପାନୀରୁ ଘରକୁ ଫେରୁଛନ୍ତି। ସେ ଆସନ୍ତା କାଲି ସକାଳେ ନିଜ ଘର ପଡିଆରେ ପହଞ୍ଚିବେ। ତାଙ୍କର ଫେରିବା ବାଟକୁ ପରିବାର ବର୍ଗଙ୍କ ସହ ଗ୍ରାମବାସି ମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି l ତାଙ୍କର ପିତା ସାପ୍ତାହିକ ହାଟରେ ବୁଲିବୁଲି ମହିଳାମାନଙ୍କ ଇମିଟେସନର ପାଉଁଜି, କାନ ଫୁଲ, ଚୁଡ଼ି, ସାମଗ୍ରୀ ବିକ୍ରି କରି ପରିବାର ପୋଷଣ କରୁଥିଲେ। ଦୀର୍ଘ ତିନି ବର୍ଷ ହେଲା କିଡନୀ ଜନିତ ରୋଗରେ ପୀଡିତ ହୋଇ ଏବେ ଡ଼ାଇଲୋସିସ ହେଉଛନ୍ତି ସମସ୍ତ ଖର୍ଚ୍ଚ ଆସିଫ ବହନ କରୁଥିବା ଜଣାଯାଇଛି l