ନୂଆଦିଲ୍ଲୀ,୨୯/୧୦: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଘରୋଇ କଙ୍ଗାରୁ ଦଳ । ପ୍ରଥମ ୩ଟି ମ୍ୟାଚରୁ ବାଦ୍ ପଡିଛନ୍ତି ନୀତିଶ କୁମାର ରେଡ୍ଡୀ । ଆହତ କାରଣରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇନାହିଁ । ରିପୋର୍ଟ ଲେଖାଯିବା ସୁଦ୍ଧା ୪୩ ରନ୍‌ କରି ଭାରତ ଗୋଟିଏ ୱିକେଟ ହରାଇଥିଲା । ଅଭିଷେକ ଶର୍ମା ୧୯ ରନ୍ କରି ନାଥାନ ଏଲିସଙ୍କ ବଲରେ ଆଉଟ୍ ହୋଇଛନ୍ତି  ବର୍ଷା ଖେଳରେ ବାଧକ ସାଜିଛି । ୨୦୦୮ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ କୌଣସି ଟି-ଟ୍ୱେଣ୍ଟି ସିରିଜ ଜିତି ନାହିଁ । ୨୦୨୦ରେ ଭାରତ ଏଠାରେ ଏକ ଟି-ଟ୍ୱେଣ୍ଟି ଖେଳିଥିଲା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । 

ଫେବ୍ରୁଆରୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ବିଶ୍ୱର ଦୁଇ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦଳ ଏହି ସିରିଜ୍ ଜରିଆରେ ଶକ୍ତି ପରୀକ୍ଷା କରିବେ । ଫଳରେ ପ୍ରତ୍ୟେକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ । ଭାରତୀୟ କ୍ରିକେଟ୍‌ ପ୍ରେମୀ ରୋହିତ୍ ଓ କୋହଲିଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଭୁଲି ପାରିନଥିବାବେଳେ ଆଜି ଯୁବ ତାରକାମାନଙ୍କ ବ୍ୟାଟ୍‌ରୁ ବିସ୍ଫୋରଣ ଦେଖିବାକୁ ପାଇବେ । ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ପରଠୁ ଉଭୟ ଦଳ ଏହି ଛୋଟ ଫର୍ମାଟ୍‌ରେ ପ୍ରଥମ କରି ପରସ୍ପରକୁ ଭେଟିଛନ୍ତି । ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଟିମ୍‌ ସୂର୍ଯ୍ୟ । ଏହା ସହିତ ଦିନିକିଆର ପ୍ରତିଶୋଧ ଟି-ଟ୍ୱେଣ୍ଟିରେ ନେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଭାରତ ଚୂଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଶିବମ ଦୁବେ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ :ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ୍‌ ହେଡ୍‌, ଜୋସ୍ ଇଂଲିଶ, ଟିମ୍ ଡେଭିଡ୍‌, ମିଚେଲ ଓଏନ, ମାର୍କସ ଷ୍ଟଇନିସ, ଜୋସ ଫିଲିପ, ଜାଭିୟର ବାର୍ଟଲେଟ୍‌, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ୍‌ ।