ନୂଆଦିଲ୍ଲୀ,୩୦/୧୦: କାରିବିୟନ୍ ଦେଶ ତ୍ରିନିଦାଦ ଟୋବାଗୋର ରାଜଧାନୀ ପୋର୍ଟ ଅଫ୍ ସ୍ପେନ୍ରେ ଖୁବ୍ଶୀଘ୍ର ଶୋଭା ପାଇବ ଶ୍ରୀରାମ ନଗରୀ । ଅଯୋଧ୍ୟାର ବିଶ୍ୱପ୍ରସିଦ୍ଧ ରାମ ମନ୍ଦିର ଭଳି ଏଠାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଦେଶରେ ବାସ କରୁଥିବା ଲକ୍ଷାଧିକ ହିନ୍ଦୁ ସମୁଦାୟଙ୍କ ଆସ୍ଥାର ସମ୍ମାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଦେଶର ସର୍ବସାଧାରଣ ଉପଯୋଗିତା ମନ୍ତ୍ରୀ ବ୍ୟାରି ପଦାରଥ ସ୍ପଷ୍ଟ କରିଛନ୍ତି, ସରକାର ଏହି ପ୍ରସ୍ତାବକୁ ଦୃଢ଼ ସମର୍ଥନ କରିଛନ୍ତି । ହିନ୍ଦୁ ଧର୍ମର ପ୍ରମୁଖ ନେତୃବୃନ୍ଦଙ୍କ ସହ ଏ ନେଇ ଆଲୋଚନା ମଧ୍ୟ ଜାରି ରହିଛି । ସେତିକି ନୁହେଁ, ଚଳିତ ବର୍ଷ ପ୍ରାରମ୍ଭରେ ଅଯୋଧ୍ୟାରୁ ରାମଲଲାଙ୍କ ମୂର୍ତ୍ତିର ପ୍ରତିମୂର୍ତ୍ତିକୁ ଏହି ଦ୍ୱୀପପୁଞ୍ଜକୁ ଆଣିବାରେ ସାହାଯ୍ୟ କରିଥିବା ଲୋକଙ୍କ ସହ ମଧ୍ୟ ସରକାର ଆଲୋଚନା କରୁଛନ୍ତି । ତ୍ରିନିଦାଦ ଟୋବାଗୋ ବିବିଧ ହିନ୍ଦୁ ଓ ପ୍ରବାସୀ ଭାରତୀୟଙ୍କ ପେଣ୍ଠସ୍ଥଳୀ ଭାବେ ପରିଚିତ । କାରିବିୟନ୍ରେ ହିନ୍ଦୁତ୍ୱ ନିମନ୍ତେ ଏକ ଆଧ୍ୟାତ୍ମିକ ଓ ପାରମ୍ପରିକ ସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଏହା ଚାହୁଁଛି । ଏହି କ୍ରମରେ ପ୍ରସ୍ତାବିତ ରାମ ମନ୍ଦିରକୁ ଆସ୍ଥାର ସ୍ଥଳୀ ଭାବେ ଦେଖାଯାଉଛି । ଅଯୋଧ୍ୟାକୁ ତୀର୍ଥଯାତ୍ରା କରିବାରେ ଅସମର୍ଥ ଉତ୍ତର ଆମେରିକାର ଭକ୍ତଙ୍କୁ ଏହା ରାମଲଲାଙ୍କ ଦର୍ଶନର ସୁଯୋଗ ପ୍ରଦାନ କରିବ ।
ବ୍ୟାରି ଆହୁରି କହିଛନ୍ତି, ତ୍ରିନିଦାଦ ଟୋବାଗୋକୁ ରାମାୟଣ ଦେଶ ଭାବେ ବିବେଚନା କରାଯାଏ । ନ୍ୟୁୟର୍କରେ ଓଭର୍ସିଜ୍ ଫ୍ରେଣ୍ଡ୍ସ ଅଫ୍ ରାମ ମନ୍ଦିରର ପ୍ରତିଷ୍ଠାତା ପ୍ରେମ ଭଣ୍ଡାରୀଙ୍କ ସହ ତାଙ୍କର ଆଲୋଚନା ଜାରି ଅଛି । ତ୍ରିନିଦାଦ ଟୋବାଗୋରେ ରାମଲଲାଙ୍କ ନଗରୀ ସ୍ଥାପନା ପାଇଁ କାର୍ଯ୍ୟରତ ଏହି ସଂଗଠନର ସେ ମୁଖ୍ୟ । ଭାରତୀୟ ବନ୍ଧକ ଶ୍ରମିକମାନେ ଉନବିଂଶ ଶତାବ୍ଦୀରେ ତ୍ରିନିଦାଦ ଟୋବାଗୋରେ ପହଞ୍ଚିବା ପରଠୁ ପିଢ଼ି ପିଢ଼ି ଧରି ଭଗବତ ଗୀତା ଓ ରାମାୟଣ ପାଠ ହେଉଛି।