ନୟାଗଡ଼,୧୨/୯: ନୟାଗଡ଼ ଜିଲ୍ଲା ଶରଣକୁଳକୁ ଏନଏସିର ମାନ୍ୟତା ଦିଆଯିବା ଦାବିରେ ଶୁକ୍ରବାର ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶରଣକୁଳ ବିଜେଡି କର୍ମୀ ।

ଖବର ମୁତାବକ, ପୂର୍ବ ସରକାର ସମୟରେ ଶରଣକୁଳକୁ ଏନଏସି ଗଠନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ନିର୍ବାଚନ ଆସିଯିବାରୁ ତାହା ସ୍ଥଗିତ ରହିଥିଲା। ହେଲେ ବର୍ତମାନର ବିଜେପି ସରକାର ୨ଟି ପର୍ଯ୍ୟାୟରେ ନୂତନ ଏନଏସି ନାମ ଘୋଷଣା କରିଥିଲେ ମଧ୍ୟ ଶରଣକୁଳର ନାମ ଏଥିରେ ପ୍ରକାଶ ପାଇ ନାହିଁ।

ଶରଣକୁଳରେ ପ୍ରତିଷ୍ଟିତ ଲଡ଼ୁବାବା ମନ୍ଦିର ଓଡିଶାର ପ୍ରମୁଖ ଶୈବ କ୍ଷେତ୍ର ଭାବେ ପରିଚିତ। ଏଠାରେ ଥାନା, ଏସଡିପିଓ ଅଫିସ, ଜଳ ସେଚନ ଅଫିସ, ଗୃହ ନିର୍ମାଣ ଆଦି ପ୍ରମୁଖ ଅଫିସମାନ ରହିଛି।

ଏନଏସିର ମାନ୍ୟତା ଦାବିରେ ଶରଣକୁଳ ପଂଚାୟତ ଓ ହରିହରପୁର ପଂଚାୟତବାସୀ ଏକତ୍ରିତ ହୋଇଛନ୍ତି। ଆଉ ଏହି ଦାବି ଯୋଗୁଁ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଯାନବାହାନ ସାଙ୍ଗକୁ ସମସ୍ତ ଜନସେବା କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଏନଏସି ଗଠନ ପାଇଁ ୨ ପଂଚାୟତ ବାସୀ ପରସ୍ପର ସହଯୋଗରେ ଏହି ବଜାର ବନ୍ଦ ଡାକିଛନ୍ତି।

ଏହି ବନ୍ଦ ଢାକରା ଅବସରରେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ସ୍ଥାନିୟ ଲୋକମାନଙ୍କ ସହ ଯୋଗ ଦେଇଥିଲେ |