ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ସ୍ୱତନ୍ତ୍ର ମହତ୍ତ୍ୱ ରହିଅଛି । ଏହି ପବିତ୍ର ମାସରେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ହବିଷ୍ୟାଳି ଓ ଧର୍ମପରାୟଣ ବ୍ୟକ୍ତି ଏଠାରେ ଅବସ୍ଥାନ କରି ‘କାର୍ତ୍ତିକ ବ୍ରତ' ପାଳନ କରନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ବା ଗୋଷାଣୀ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବିଶେଷ ଭୋଗ, ବେଶ ଓ ବ୍ରତ ପାଳନ କରାଯାଇଥାଏ । ଏହି ମାସରେ ମହାପ୍ରଭୁଙ୍କର ସକାଳ ଧୂପ ବା ରାଜଭୋଗ ସରିବା ପରେ ପରେ ଏକ ସ୍ୱତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ, ଏହାକୁ ବାଳଧୂପ କୁହାଯାଏ । ଏହି ଭୋଗରେ ସାଧାରଣତଃ କୋରା, ଦୋଭଜା ଲିଆ, ଅଦା, ଖଇ, ନଡ଼ିଆ ଖୁଦି, ଚାଉଳିଆ, ସେଓ, କମଳା, କାକୁଡ଼ି, ପଇଡ଼ ଓ କଦଳୀ ଭୋଗ କରାଯାଏ । ପରମ୍ପରାକ୍ରମେ ଶ୍ରୀକ୍ଷେତ୍ରର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ମଠ ଏଥିନିମନ୍ତେ ଶ୍ରୀମନ୍ଦିରକୁ ଭୋଗ ସାମଗ୍ରୀ ଯୋଗାଇ ଦେଇଥାନ୍ତି ।
ଜନଶ୍ରୁତିରେ କୁହାଯାଇଛି "ବାଳ ବା କେଶ ଅପ୍ରାଧୁ ବାଳଭୋଗ' । ଏହା ହେଉଛି ସେହି ଅପ୍ରାଧ । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟର ଘଟଣା । କୌଣସି କାରଣରୁ ସେ ଚାରିଦିନ ହେଲା ଶ୍ରୀମନ୍ଦିର ଯାଇପାରିନଥିଲେ । ସେଦିନ ହଠାତ୍ ଅସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭିତରେ ବିଜେ କଲେ । ସେତେବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ମାଳଫୁଲ ନଥିଲା । ପାଳିଆ ପୁଷ୍ପାଳକ ବଳଭଦ୍ର ବ୍ୟସ୍ତ ହୋଇ ନିଜ ଶିଖାରେ ଥିବା ପ୍ରସାଦି ଗୋଟିଏ ରାଜାଙ୍କୁ ବଢ଼ାଇ ଦେଲେ । ରାଜା ସେଥିରେ ଗୋଟିଏ କେଶ ଲାଗିଥିବାର ଦେଖି କ୍ରୋଧରେ ଥରି ଉଠିଲେ । ସେ କହିଲେ, ଏହି ପ୍ରସାଦକୁ କେଶ ଆସିଲା କିପରି? ଏହା କେବେ ହେଁ ଶ୍ରୀଅଙ୍ଗ ପ୍ରସାଦ ନୁହଁ, ତୁମ ମସ୍ତକର ପ୍ରସାଦ । ରାଜାଙ୍କର କ୍ରୋଧ ଦେଖି ଭୟରେ ପୁଷ୍ପାଳକ ମହାଶୟଙ୍କ ଜ୍ଞାନ ହଜିଗଲା । ହଠାତ୍ ତାଙ୍କ ପାଟିରୁ ବାହାରି ପଡ଼ିଲା ମହାପ୍ରଭୁଙ୍କ ମସ୍ତକରେ କେଶ ଅଛି ।
ପୁଷ୍ପାଳକଙ୍କ କଥା ଶୁଣି କ୍ରୋଧରେ ଥରି ଉଠିଲେ ଗଜପତି ପ୍ରତାପରୁଦ୍ର ଦେବ । ଆଦେଶ ଦେଲେ- କାଲି ସକାଳୁ ମୁଁ ଆସି ଦେଖିବି । ଯଦି ମହାପ୍ରଭୁଙ୍କ ମସ୍ତକରେ କେଶ ନଥିବ, ତୁମର ମୁଣ୍ଡକାଟ ହେବ । ଉକ୍ତ ଦିବସର ସମସ୍ତ ନୀତି ସରି ରାତ୍ର ପହୁଡ଼ ହେଲା । ମାତ୍ର ଶୋଇ ପାରିଲେନି ବଳଭଦ୍ର ପୁଷ୍ପାଳକ । ଆଖିରୁ ଧାର ଧାର ଲୁହ ବୋହିଗଲା । ଆତୁରେ ଆତୁରେ ସେ କେବଳ ମହାପ୍ରଭୁଙ୍କୁ ବିକଳରେ ଡାକି ଚାଲିଲେ । ହଠାତ୍ ସ୍ୱପ୍ନରେ ସେ ମହାପ୍ରଭୁଙ୍କୁ ଦେଖିଲେ । ସେ ଆଜ୍ଞା ଦେଲେ, ତୁମେ ଏତେ ବ୍ୟସ୍ତ କାହିଁକି? ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁ କି? କାଲି ସକାଳୁ ରାଜାଙ୍କୁ ବାଳ ଦେଖାଇଦେବ । ସ୍ୱପ୍ନରେ ନିର୍ଦ୍ଦେଶ ପାଇ ପୁଷ୍ପାଳକ ମହାଶୟ ଆଶ୍ୱସ୍ତ ହେଲେ । ପରଦିନ ଅବକାଶ ସମୟରେ ଗଜପତି ଶ୍ରୀମନ୍ଦିର ଆସି ଉକ୍ତ ସେବକଙ୍କୁ ଡକାଇ ଏବେ ମହାପ୍ରଭୁଙ୍କ ଶ୍ରୀମସ୍ତକରେ କେଶ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଲେ ।
ପୁଷ୍ପାଳକଙ୍କ ସହ ଅନ୍ୟାନ୍ୟ ସେବକମାନେ ବେଶ ମଇଲମ କରୁଥିବା ସମୟରେ ହଠାତ୍ ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରୁ ଗୋଛାଏ କେଶ ଆଗକୁ ଢାଙ୍କି ପଡ଼ିଲା । କେଶ ଦର୍ଶନ କରି ରାଜା ଭାବିଲେ, ରାଜାଦେଶ ଭୟରେ ସେବକମାନେ ବୋଧହୁଏ କଳାଚାମରରେ ମହାପ୍ରଭୁଙ୍କ ଶ୍ରୀମସ୍ତକକୁ ଢାଙ୍କି ଦେଇଛନ୍ତି । ରାଜା କହିଲେ, ଏ କଥାକୁ ମୋର ଆଦୌ ବିଶ୍ୱାସ ହେଉନାହିଁ । ପୂର୍ବରାତ୍ରରୁ ସ୍ୱପ୍ନ ଦର୍ଶନ କରିଥିବା ବଳଭଦ୍ର ପୁଷ୍ପାଳକ ରାଜାଙ୍କ କଥା ଶୁଣି କ୍ରୋଧରେ ଶ୍ରୀମସ୍ତକରୁ ପୁଳାଏ କେଶ ଧରି ଝିଙ୍କିଦେବାରୁ ତାହା ମଧ୍ୟରୁ ଧାର ଧାର ରକ୍ତ ବୋହି ଆସି ଶ୍ରୀମୁଖକୁ ରକ୍ତାକ୍ତ କରିଦେଲା । ରାଜା ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଲେ । ତାଙ୍କର ଜ୍ଞାନ ହଜିଗଲା । ଗଛ କାଟିଲା ପରି ସେ ତଳେ ପଡ଼ିଗଲେ ଓ ନିଜକୁ ମହା-ଅପରାଧୀ ମନେକରି କାନ୍ଦିବାକୁ ଲାଗିଲେ । ସିଂହାସନ ଉପରେ ଥିବା ବଳଭଦ୍ରଙ୍କ ସମେତ ସମସ୍ତ ସେବକ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ମହାପ୍ରଭୁଙ୍କ ମୁଣ୍ଡରୁ ରକ୍ତକ୍ଷରଣ ବନ୍ଦ ହୋଇଗଲା । ଦୁଃଖ ମନରେ ଗଜପତି ଶ୍ରୀନଅର ଫେରିଗଲେ ଓ ଅଖିଆ ଅପିଆ ରହି ନିଜ ଅପରାଧ ମାର୍ଜନା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଦୁଇ ଦିନ ପରେ ତୃତୀୟ ଦିନ ରାତ୍ରରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା "ଏ ଯେ ଅପ୍ରାଧ କ୍ଷମା ହେଲା ତୋର, ବାଳ ଅପ୍ରାଧେ ବାଳଭୋଗ କର' । ସେହିଦିନ ଠାରୁ ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ମହାକାର୍ତ୍ତିକ ମାସରେ ସକାଳ ଧୂପ ପରେ ଆଉ ଏକ ଧୂପ ବାଳଧୂପରେ ‘ବାଳଭୋଗ' ଆଜିଯାଏଁ ହେଉଅଛି । ଏହା କାର୍ତ୍ତିକ ମାସରେ କେବଳ ବାଇଶି ପାହାଚରେ ଭକ୍ତମାନଙ୍କୁ ମିଳିଥାଏ ।