ନୂଆଦିଲ୍ଲୀ,୦୪/୦୬; କ୍ରିକେଟର ଲୋକପ୍ରିୟତା ବିଶ୍ୱରେ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଟି-ଟ୍ୱେଣ୍ଟିର ଆଦର ଦ୍ରୁତ ବେଗରେ ବଢ଼ୁଛି । ମହିଳା କ୍ରିକେଟ ବି ପଛରେ ପଡ଼ିନି । ମହିଳା ଟି-ଟ୍ୱେଣ୍ଟିକୁ ନେଇ ଉତ୍ସାହ ପୂର୍ବାପେକ୍ଷା ଊଦ୍ଧ୍ୱର୍ମୁଖୀ ହୋଇଛି । ବିଶେଷ କରି ଭାରତୀୟ ପ୍ରଶଂସକ ଅଧିକ ଗୁରୁତ୍ୱ ଦେଲେଣି । ପ୍ରତି ୨ ବର୍ଷରେ ଆୟୋଜିତ ହେଉଛି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହେବ ଏହାର ଦଶମ ସଂସ୍କରଣ । ଯାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ପ୍ରସ୍ତୁତି ଶେଷ ହୋଇଛି । କେବଳ ମହାସମରକୁ ଅପେକ୍ଷା । ବିଶ୍ୱକପ୍ ଜୁନ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଂଲଣ୍ଡ ଏଥର ଆୟୋଜକ ରହିଛି । ମୋଟ୍ ୧୨ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ ୩୩ଟି ମ୍ୟାଚ ଖେଳାଯିବ ।

୭ ଭେନ୍ୟୁ- ମୋଟ ୭ଟି ଷ୍ଟାଡିୟମରେ ବିଶ୍ୱକପ୍ ଖେଳାଯିବ । ସେ ଗୁଡ଼ିକ ହେଲା ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡ, ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡ, ଲିଡ୍ସର ହେଡିଂଲେ କ୍ରିକେଟ୍ ଗ୍ରାଉଣ୍ଡ, ଲଣ୍ଡନର ଐତିହାସିକ ଲର୍ଡ୍ସ ଓ ଓଭାଲ ଗ୍ରାଉଣ୍ଡ, ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ସାଉଥମ୍ପଟନର ରୋଜ ବାୱେଲ । ଜୁନ ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ଜୁନ ୩୦ରେ ପ୍ରଥମ ସେମି ଓ ଜୁଲାଇ ୨ରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ । ଜୁଲାଇ ୫ ତାରିଖରେ ଲର୍ଡ୍ସରେ ଫାଇନାଲ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଓଭାଲ ଗ୍ରାଉଣ୍ଡରେ ଉଭୟ ସେମି ଫାଇନାଲ ଖେଳାଯିବ । ୧୨ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଗ୍ରୁପ୍ ଏ’ରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, ନେଦରଲାଣ୍ଡସ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍ ବି’ରେ ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ସାମିଲ ରହିଛନ୍ତି । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ।

ଚାମ୍ପିଅନ ପାଇବେ ୨.୩୪ ମିଲିୟନ- ବିଶ୍ୱକପ୍‌ରେ ମୋଟ୍ ୮.୭୬ ମିଲିୟନ ଡଲାର ପୁରସ୍କାର ରାଶି ରହିଛି । ଚାମ୍ପିଅନ ଦଳକୁ ୨.୩୪ ମିଲିୟନ, ରନର୍ସଅପ୍ ଦଳକୁ ୧.୧୭ ମିଲିୟନ ଏବଂ ସେମି ଫାଇନାଲିଷ୍ଟ ଦଳକୁ ୧.୩୫ ମିଲିୟନ ଡଲାର ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯିବ । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମାତ୍ର ୪ଟି ଦଳ ଏ ପର୍ଯ୍ୟନ୍ତ ଚାମ୍ପିଅନ ହେବାର ଗୌରବ ଲାଭ କରିଛନ୍ତି । ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଚାମ୍ପିଅନ ହୋଇଛି । ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ ଦଳ ଟାଇଟଲ ହାସଲ କରିଥିଲା । ସେହିପରି ୨୦୦୯ରେ ଇଂଲଣ୍ଡ, ୨୦୨୪ରେ ନ୍ୟୁଜିଲାଣ୍ଡ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଚାମ୍ପିଅନ ହୋଇଥିଲା ।

ପ୍ରଥମ ଟାଇଟଲ ଅପେକ୍ଷାରେ ଭାରତ- ଭାରତ ଏ ପର୍ଯ୍ୟନ୍ତ ଚାମ୍ପିଅନ ହେବାର ସୁଯୋଗ ପାଇନି । ଯଦିଓ ୨୦୨୦ରେ ଦଳ ଟାଇଟଲର ଅତି ନିକଟତର ହୋଇଥିଲା । ଅଷ୍ଟ୍ରେଲିଆଠୁ ପରାଜିତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା । ଭାରତ ଏଥର ଗ୍ରୁପ୍ ଏ’ରେ ରହିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଟାଣୁଆ ଦଳ ଏହି ଗ୍ରୁପ୍ରେ ରହିଛନ୍ତି । ଯଦି ବାଂଲାଦେଶ, ପାକିସ୍ତାନ ଓ ନେଦରଲାଣ୍ଡସକୁ ପରାଜିତ କରିବାରେ ଭାରତ ସଫଳ ହେଉଛି, ତେବେ ସେମି ଫାଇନାଲକୁ ଉନ୍ନୀତ ହେବାରେ ପଥ ସୁଗମ ହୋଇପାରିବ । ୨୦୨୪ ସଂସ୍କରଣରେ ଭାରତ ନକଆଉଟ୍ ଖେଳିବାରୁ ବଞ୍ଚିତ ହୋଇଥିଲା । ୪ଟି ମ୍ୟାଚରୁ ଦଳ ୨ଟି ଜିତି ଟେବୁଲରେ ତୃତୀୟ ସ୍ଥାନରେ ରହିଥିଲା । ପାକିସ୍ତାନ ଓ ଶ୍ରୀଲଙ୍କାକୁ ଦଳ ହରାଇ ଥିଲେ ବି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇ ବିଦାୟ ନେଇଥିଲା । ଆଇସିସି ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦଳ ଏଥର କିନ୍ତୁ ନିଜକୁ ଟାଇଟଲ ଦାବିଦାର ଭାବେ ପ୍ରସ୍ତୁତ କରିଛି । ଘରୋଇ ଗ୍ରାଉଣ୍ଡରେ ଗତ ବର୍ଷ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଦିନିକିଆ ବିଶ୍ୱକପ୍ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ତେଣୁ ଏଥର ଇଂଲଣ୍ଡରେ ଦଳ ଟିଟ୍ୱେଣ୍ଟି ବିଶ୍ୱ ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...T20 Captain: ସୂର୍ଯ୍ୟଙ୍କ ଉପରେ ସଙ୍କଟ, ଶ୍ରେୟାସ ଆୟର ଆଗରେ; ଭାରତକୁ ମିଳିବ ନୂଆ କ୍ୟାପ୍ଟେନ୍, ଅଗରକରଙ୍କ 'ଗମ୍ଭୀର' ପ୍ଲାନ୍ କଣ ?

ହର୍ମନପ୍ରୀତ ଅଧିନାୟିକା- ହର୍ମନପ୍ରୀତ କୌର ଦଳକୁ ଦିନିକିଆ ଚାମ୍ପିଅନ କରାଇଥିଲେ । ଏଥର ଇଂଲଣ୍ଡରେ ତାଙ୍କ ନେତୃତ୍ୱରେ ଦଳ ଟି-ଟ୍ୱେଣ୍ଟିରେ ମଧ୍ୟ ଚାମ୍ପିଅନ ହେବ ବୋଲି ଆଶା ରହିଛି । ଭାରତୀୟ ଦଳରେ ରହିଛନ୍ତି ଅଧିନାୟିକା ହର୍ମନପ୍ରୀତଙ୍କ ସହ ଉପ ଅଧିନାୟିକା ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ, ଶ୍ରୀଚରଣୀ, ୟସ୍ତିକା ଭାଟିଆ, ନନ୍ଦନୀ ଶର୍ମା, ଅରୁଣନ୍ଧତୀ ରେଡ୍ଡୀ, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରୀୟଙ୍କା ପାଟିଲ ଓ ରାଧା ଯାଦବ । ଦିନିକିଆ ବିଶ୍ୱ ଚାମ୍ପିଅନ ଦଳରେ ଯେଉଁମାନେ ସାମିଲ ରହିଥିଲେ ପ୍ରାୟତଃ ସେମାନେ ସ୍ଥାନ ବଜାୟ ରଖିଛନ୍ତି । ଦ୍ରୁତ ବୋଲର ଅମନଜୋତ କୌର ଆହତ ଥିବାରୁ ଦଳରୁ ବାଦ ପଡ଼ିଛନ୍ତି । ଦଳରେ ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡରଙ୍କୁ ନେଇ ବେଶ ସନ୍ତୁଳନ ରହିଛି । ମନ୍ଧନା, ଶେଫାଳି, ଜେମିମା, ହର୍ମନପ୍ରୀତ, ଦୀପ୍ତି ଓ ରିଚା ବ୍ୟାଟିଂ ଭାର ସମ୍ଭାଳିବାକୁ ପ୍ରସ୍ତୁତ ରହିଛନ୍ତି । ରେଣୁକା, କ୍ରାନ୍ତି, ଶ୍ରୀଚରଣୀ, ଦୀପ୍ତି, ଶ୍ରୀଚରଣୀ, ରାଧା ଓ ଶେଫାଳି ବୋଲିଂ ବିଭାଗ ସମ୍ଭାଳିବେ । ରେଣୁକା, କ୍ରାନ୍ତି, ଅରୁଣନ୍ଧତୀ, ନନ୍ଦନୀଙ୍କୁ ନେଇ ଭାରତୀୟ ପେସ ବିଭାଗ ବେଶ ମଜବୁତ ରହିଛି । 

ପାକିସ୍ତାନ ବିପକ୍ଷରେ ଅଭିଯାନ- ବିଶ୍ୱକପ୍‌ରେ ଭାରତ ଜୁନ ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୧୭ ତାରିଖରେ ନେଦରଲାଣ୍ଡସ, ୨୧ ତାରିଖରେ ଦକ୍ଷିଣ ଆଫ୍ରିକା, ୨୫ ତାରିଖରେ ବାଂଲାଦେଶ ଓ ୨୮ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ ରହିଛି । ଦଳ ପୂର୍ବ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିଲା । ଏଥରବି ଦଳ ଟାଇଟଲ ବଜାଇ ରଖିବାକୁ ଦାବିଦାର ରହିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି ।

​​​​​​​