ନୂଆଦିଲ୍ଲୀ: ଦିନକୁ ଦିନ ଅଶାନ୍ତ ହେଇପଡୁଛି ପାକିସ୍ତାନ। ଯେଉଁ ଆତଙ୍କୀଙ୍କୁ ନିଜେ ପ୍ରଶୟ ଦେଇଥିଲା ସେମାନଙ୍କ ଆତଙ୍କରେ ବର୍ତ୍ତମାନ ସମଗ୍ର ପାକିସ୍ତାନ ଜର୍ଜରିତ। ଖବର ମୁତବକ, ଗତ ୨୪ ଘଣ୍ଟା ମଧ୍ୟରେ ବେଲୁଚିସ୍ତାନ ପ୍ରଦେଶରେ ଘଟିଥିବା ବିଭିନ୍ନ ପୃଥକ ପୃଥକ ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ତିନି ସୁରକ୍ଷା କର୍ମୀ ଏବଂ ୧୧ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ନୋଶକି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ଥାନିୟ ପୋଲିସ ବିଭାଗ କହିଛି ଯେ, ଗୁଳି ବିନିମୟ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅନ୍ୟ ଏକ ଘଟଣାରେ, କେଚ୍ ଅଞ୍ଚଳରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଛନ୍ତି। ସେହିଭଳି ଚାଗାଇ ଏବଂ ସିବି ଜିଲ୍ଲାରେ ଗୁପ୍ତ ସୂଚନା ଆଧାରରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।
ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୈନ୍ୟମାନେ ଚଗାଇର ଡାଲବନ୍ଦିନରେ ଏକ ପାହାଡିଆ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଯାହାପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ପ୍ରଥମେ ନିଜଆଡୁ ଗୁଳି ଚଳାଇଥିଲେ। ତେଣୁ ସେନାକୁ ନିଜ ସୁରକ୍ଷା ପାଇଁ ଗୁଲି ଚାଳନା କରିବାକୁ ପଡିଥିଲା। ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଭୟଙ୍କର ଗୁଳିବିନିମୟ ହୋଇଥିଲା ଏବଂ ଏଥିରେ ଛଅ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ସେହିଭଳି ସିବିରେ, ଆତଙ୍କବାଦ ବିରୋଧୀ ଦଳ ଏକ ନିଷିଦ୍ଧ ସଂଗଠନର ସଦସ୍ୟମାନେ ଲୁଚି ରହିଥିବା କୋଠା ଉପରେ ଚଢାଉ କରିଥିଲା। ଏନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା, ଯାହା ଫଳରେ ପାଞ୍ଚ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିଲା।
ଉଭୟ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଯୋଗାଯୋଗ ଉପକରଣ ଜବତ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ମୃତକମାନେ ପୂର୍ବରୁ ସୁରକ୍ଷା ବାହିନୀ, ପୋଲିସ ଏବଂ ଲେଭି କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ। ତେବେ ସମସ୍ତ ମୃତଦେହକୁ ଚିହ୍ନଟ ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି।