ନୂଆଦିଲ୍ଲୀ ୨୦/୧୦:  ବିହାରରେ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି  ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।  ପ୍ରଥମ ପର୍ଯ୍ୟାୟ ଭୋଟିଂ ଲାଗି ନାମାଙ୍କନ ଦାଖଲ  ପ୍ରକ୍ରିୟା ବି ସରିଛି । ଏହି ପରିପ୍ରେକ୍ଷୀରେ ଜଣେ ଗ୍ୟାସ୍‌  ଡେଲିଭରି ମ୍ୟାନ୍‌ ଛୋଟେ ଲାଲ ମହାତୋ ଚର୍ଚ୍ଚାରେ  ଅଛନ୍ତି । ମହାତୋ ରାଜ୍ୟର କିଶନଗଞ୍ଜ ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ଡେଲିଭରି କରି ପରିବାର ପୋଷଣ  କରନ୍ତି । ତେବେ ବିଗତ ୨୦ ବର୍ଷ ହେଲା ସେ ସବୁ ଲୋକସଭା ଏବଂ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଛନ୍ତି । କୌଣସି ଥର ସଫଳତା ମିଳିନଥିଲେ ବି ପରାଜୟକୁ ସ୍ୱୀକାର କରିନାହାନ୍ତି ମହାତୋ । ଚଳିତ ବିଧାନସଭାରେ  ନିର୍ବାଚନରେ ମଧ୍ୟ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା  କରିବାକୁ ସଜବାଜ ହେଉଛନ୍ତି ।

ମହାତୋ କହିଛନ୍ତି, ୨୦୦୦  ମସିହାରେ ସେ ପ୍ରଥମେ ବିଧାନସଭା  ନିର୍ବାଚନ ଲଢ଼ିବାକୁ ନାମାଙ୍କନ  ଦାଖଲ କରିଥିଲେ । ଉପଯୁକ୍ତ  ବୟସ ହୋଇନଥିବାରୁ ତାହା ଖାରଜ ହୋଇଯାଇଥିଲା । ୨୦୦୫ ପରଠାରୁ  ସେ ସବୁ ନିର୍ବାଚନ ଲଢ଼ିଛନ୍ତି । ଅଦ୍ୟାବଧି  କୌଣସି ନିର୍ବାଚନରେ ତାଙ୍କୁ ଜିତାପଟ  ମିଳିନଥିଲେ ସୁଦ୍ଧା ବହୁ ଜନସମର୍ଥନ ମିଳିଛି। ଅନେକ ତାଙ୍କୁ ନିର୍ବାଚନରେ ଲଢ଼ିବାକୁ ଅର୍ଥ  ସାହାଯ୍ୟ କରିଛନ୍ତି । ଲୋକେ ତାଙ୍କ ପରି ସାଧାରଣ  ବ୍ୟକ୍ତିଙ୍କୁ ନେତା ଭାବେ ଦେଖିବାକୁ ଚାହାନ୍ତି ।  ଏଥରକ ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିବ ।  ଲୋକେ ବିପୁଳ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ  କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।