ପାଟନା,୦୬/୧୧: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ । ୧୮ଜିଲ୍ଲାର ୧୨୧ ଆସନରେ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ପୂର୍ଣ୍ଣ ଉତ୍ସାହ" ସହିତ ଭୋଟ ଦେବାକୁ ଅପିଲ୍ କରିଛନ୍ତି। ପିଏମ୍ ତାଙ୍କ ଏକ୍ସ ପୋଷ୍ଟ ଲେଖଛନ୍ତି, ଆଜି ବିହାରରେ ଗଣତନ୍ତ୍ରର ପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ। ବିଧାନସଭା ନିର୍ବାଚନରେ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ମୋର ନିବେଦନ ଯେ ସେମାନେ ପୂର୍ଣ୍ଣ ଉତ୍ସାହର ସହିତ ଭୋଟ୍ ଦିଅନ୍ତୁ। ଏଥି ସହିତ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଯୁବ ସାଥୀଙ୍କୁ ମୋର ବିଶେଷ ଅଭିନନ୍ଦନ। ପ୍ରଥମେ ଭୋଟ୍, ତା'ପରେ ଜଳପାନ"।
ପ୍ରଥମ ପର୍ଯ୍ୟାୟରେ ମୋଟ ୪୫,୩୪୧ ବୁଥ୍ରେ ୧,୩୧୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ । ଅର୍ଥାତ ପ୍ରତି ଆସନରେ ହାରାହାରି ୧୧ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୩.୭୫ କୋଟି ମତଦାତା ଭୋଟ୍ ଦେବେ । ଏମାନଙ୍କ ମଧ୍ୟରେ ୧.୯୮ କୋଟି ପୁରୁଷ ଓ ୧.୭୬ କୋଟି ମହିଳା ଭୋଟର ଅଛନ୍ତି । ଏହାଛଡ଼ା ୭୫୮ ଜଣ ତୃତୀୟ ଲିଙ୍ଗୀ ନିଜ ମତାଧିକାର ସାବ୍ୟସ୍ତ କରିବେ ।
बिहार में आज लोकतंत्र के उत्सव का पहला चरण है। विधानसभा चुनावों में इस दौर के सभी मतदाताओं से मेरा आग्रह है कि वे पूरे उत्साह के साथ मतदान करें। इस मौके पर पहली बार वोट डालने जा रहे राज्य के अपने सभी युवा साथियों को मेरी विशेष बधाई। याद रखना है- पहले मतदान, फिर जलपान!
— Narendra Modi (@narendramodi) November 6, 2025
୨୫ ଆସନରେ ବିଜେପି ଓ ଆର୍ଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ୧୨ ଆସନରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମୁହାଁମୁହିଁ ହେଉଥିବା ବେଳେ ୩୪ ଆସନରେ ଜେଡିୟୁ ଓ ଆର୍ଜେଡି ପ୍ରାର୍ଥୀ ପରସ୍ପରକୁ ଟକ୍କର ଦେଉଛନ୍ତି । ୧୧ ଆସନରେ ଜେଡିୟୁ ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ୧୪ ଆସନରେ ଏଲ୍ଜେପି(ଆର୍)ର ପ୍ରାର୍ଥୀମାନେ ମଇଦାନରେ ଥିବା ବେଳେ ଏଥିରୁ ୧୨ଟି ଆସନରେ ଆର୍ଜେଡି ସହ ସେମାନଙ୍କର ସିଧାସଳଖ ମୁକାବିଲା ହେବାକୁ ଯାଉଛି । ନଭେମ୍ବର ୧୧ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୨ ଆସନରେ ଭୋଟ ପଡ଼ିବ । ଏହାପରେ ୧୪ ତାରିଖରେ ଭୋଟ ଗଣତି ହେବ।