ଦଶପଲ୍ଲା, ୬।୯ : ମାମୁଁ ଘରକୁ ଭୋଜି ଖାଇ ଯାଇଥିଲେ। ଜାମୁ ତଇଲାରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନଛିପୁର ପଞ୍ଚାୟତର ଶ୍ରୀରାମ ଗାଁ ନିକଟସ୍ଥ ଜାମୁ ତଇଲାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଡହଗାଁର ନୀଳଞ୍ଚଳ ସାମଲ (୩୨ ବର୍ଷ) ଶ୍ରୀରାମ ଗ୍ରାମସ୍ଥିତ ମାମୁଁ ଘରକୁ ଭୋଜି ଖାଇବାକୁ ଆସିଥିଲେ। ଭୋଜି ଖାଇ ସାରିବା ପରେ ନୀଳାଞ୍ଚଳ କେଉଁଆଡ଼େ ଚାଲି ଯାଇଥିଲେ। ସେ କେଉଁଠି ଶୋଇ ପଡିଥିବା ଭାବି ମାମୁଁ ଘର ଲୋକେ ଖୋଜାଖୋଜି କରିନଥିଲେ। ଶନିବାର ସକାଳୁ ଭଣଜାର ପତ୍ତା ନମିଳିବାରୁ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ଗାଁ ନିକଟସ୍ଥ ଜାମୁ ତଇଲା ଠାରେ ଥିବା ଜହ୍ନି ପଦା ନିକଟ ଖାତ ଭିତରେ ନୀଳାଞ୍ଚଳଙ୍କ ଶବ ପଡିଥିବା ଜଣେ ଚାଷୀ ସୂଚନା ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୀଳାଞ୍ଚଳଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଦଶପଲ୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଯୁବକଙ୍କୁ ପିଟିପିଟି କେହି ହତ୍ୟା କରିଥିବା ଅଭିଯୋଗ କରାଯାଇଛି। ପୁଲିସ ଏନେଇ ତଦନ୍ତ ଚଳାଇଛି।