ତିରୁପତି: ତିରୁପତିରେ ପୁଣିଥରେ ବାଲାଜୀ ମନ୍ଦିରରେ ବୋମା ଆତଙ୍କ। ଆତଙ୍କୀମାନେ ସହରକୁ ଟାର୍ଗେଟ କରି ବୋମା ଧମକ ଦେବା ପରେ ଆନ୍ଧ୍ର ପ୍ରଦେଶର ତିରୁପତି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଶୁକ୍ରବାର ପୋଲିସକୁ ଏନେଇ ଦୁଇଟି ସନ୍ଦିଗ୍ଧ ମେଲ୍ ମିଳିବା ପରେ କର୍ତ୍ତୃପକ୍ଷ ବୋମା ନିଷ୍କ୍ରିୟକାରୀ ଦଳକୁ ସତର୍କ କରିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛନ୍ତି।
ଧମକପୂର୍ଣ୍ଣ ମେଲ୍ଗୁଡ଼ିକରେ ଏହି ବିସ୍ପୋରଣ ପାଇଁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଏବଂ ତାମିଲନାଡୁରେ ଥିବା ପୂର୍ବତନ ଆତଙ୍କବାଦୀ ସଂଗଠନ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଏଲମ୍ (LTTE)ର ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଥିଲା। ତିରୁପତିର ଚାରୋଟି ଅଞ୍ଚଳରେ RDX ବିସ୍ଫୋରକ ବିସ୍ଫୋରଣ କରାଯିବା ନେଇ ଯୋଜନା ରହିଛି ବୋଲି ଏହି ମେଲରେ ଦାବି କରାଯାଇଥିଲା।
ଏହି ସଂନ୍ଦିଗ୍ଧ ମେଲ ମିଳିବା ପରେ ତିରୁପତି ପୋଲିସ ଆରଟିସି ବସ ଷ୍ଟାଣ୍ଡ ସହ ଶ୍ରୀନିବାସମ, ବିଷ୍ଣୁ ନିବାସମ, କପିଳତୀର୍ଥମ ଓ ଗୋବିନ୍ଦରାଜୁଲା ସ୍ୱାମୀ ମନ୍ଦିରରେ ନିଜ ଯାଞ୍ଚ ଜାରି ରଖିଛି। ଖାଲି ଏତିକି ନୁହେଁ ସ୍ଥାନିୟ କୋର୍ଟ ପରିସର ସହ ନ୍ୟାୟାଧିଶମାନଙ୍କ ବାସସ୍ଥାନ ଆଖପାଖ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।
ଚଳିତ ମାସ 6 ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁମଧ୍ୟ ତିରୁପତି ଗସ୍ତ କରିବେ। ଏଣୁ ପୋଲିସ ପ୍ରଶାସନ ପକ୍ଷରୁ କୃଷି କଲେଜ ପଡିଆରେ ତିଆରି ହୋଇଥିବା ହେଲିପ୍ୟାଡର ମଧ୍ୟ ଯାଞ୍ଚ କରାଯାଇଛି। ବମ ନିଷ୍କ୍ରିୟକାରୀ ଦଳ ତିରୁଚାନୁର ପଦ୍ମାବତୀ ଅମରାବତୀ ମନ୍ଦିର, ତିରୁମାଲା ଓ ଶ୍ରୀକାଲହସ୍ତୀ ମନ୍ଦିରମାନଙ୍କରେ ନିଜ ଯାଞ୍ଚ ଜାରି ରଖିଛି।
ଲୋକମାନେ କୌଣସି ସ୍ଥାନରେ କିଛି ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପଟେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି।