ନୂଆଦିଲ୍ଲୀ,୧୯/୧୦:ବ୍ରିଟେନ ରାଜା ଚାର୍ଲସ ୩ୟଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ର‌୍ୟୁ ନିଜର ସମସ୍ତ ରାଜକୀୟ ପଦବୀ ଛାଡ଼ିବାକୁ ଘୋଷଣା କରିଛନ୍ତି । ଆଣ୍ଡ୍ର‌୍ୟୁ
ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି, ଏଣିକି ସେ ‘ଡ୍ୟୁକ୍‌ ଅଫ୍‌ ୟର୍କ’ ଭଳି ଟାଇଟଲର ଉପଯୋଗ କରିବେ ନାହିଁ । ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍‌ଙ୍କ ମାମଲାରେ ଆଣ୍ଡ୍ର‌୍ୟୁଙ୍କ ନାଁ ସାମ୍ନାକୁ ଆସିଥିଲା । ଏଥିସହ ଟଙ୍କା ହେରଫେର ଏବଂ ଜଣେ ତଥାକଥିତ ଚୀନୀ ଗୁଇନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରିନ୍ସ ଆଣ୍ଡ୍ର‌୍ୟୁ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । 

ଏହା ସତ୍ତେ୍ୱ ଦୁର୍ନୀତି ଯୋଗୁ ତାଙ୍କ ଛବି କଳୁଷିତ ହୋଇଛି । ଜେଫ୍ରି ଏପଷ୍ଟିନ୍‌ ମାମଲାର ପୀଡ଼ିତା ଭର୍ଜିନିଆ ଗିଫ୍ରେଙ୍କ ପୁସ୍ତକ ଖୁବ୍‌ଶୀଘ୍ର ଛପାହେବ । ପୁସ୍ତକରେ ପ୍ରିନ୍ସ ଆଣ୍ଡ୍ର‌୍ୟୁ ଓ ଏପଷ୍ଟିନ୍‌ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ବିଷୟରେ ଉଲ୍ଲେଖ ହୋଇଛି । ଏଥିରୁ ତାଙ୍କର ଅଡୁଆ ବଢ଼ିପାରେ । ଭର୍ଜିନିଆ ୨୦୨୧ରେ ଆଣ୍ଡ୍ର‌୍ୟୁଙ୍କ ବିରୋଧରେ ମକଦ୍ଦମା କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ସେ ଯେତେବେଳେ ୧୭ ବର୍ଷ ବୟସର ଥିଲେ³ ଜେଫ୍ରି ଏପଷ୍ଟିନ୍‌ ତାଙ୍କୁ ଆଣ୍ଡ୍ର‌୍ୟୁଙ୍କ ପାଖକୁ ନେଇଥିଲେ ଏବଂ ପ୍ରିନ୍ସ ତାଙ୍କର ଯୌନ ଶୋଷଣ କରିଥିଲେ । ଏହି ଖୁଲାସା ପରେ ଆଣ୍ଡ୍ର‌୍ୟୁଙ୍କୁ ରାଜ ପରିବାରରୁ ବେଦଖଲ କରାଯାଇଥିଲା । ଏହି ସ୍ଥିତିରେ ଆଣ୍ଡ୍ର‌୍ୟୁ ନିଜେ ରାଜ ପରିବାର ପଦବୀ ଛାଡ଼ି ସଂସଦର ହସ୍ତକ୍ଷେପରୁ ବଞ୍ଚିବାକୁ ଚେଷ୍ଟା କଲେ । ଅନ୍ୟଥା ତାଙ୍କର ପଦବୀ ହଟାଇବା ପାଇଁ ସଂସଦକୁ ଆଇନ ଆଣିବାକୁ ପଡ଼ିଥାନ୍ତା, ଯାହା ରାଜ ପରିବାର ପାଇଁ ସମସ୍ୟାପୂର୍ଣ୍ଣ ହୋଇଥାନ୍ତା ।