ଭୁବନେଶ୍ବର,୨/୧୦ :  ଆଜି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆଜି ଯାଏ ଆମେ ପାଳୁଛୁ ସେବା ସପ୍ତାହ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ଭିତରେ ଦେଶର ଆଉ ଜଣେ ଯୋଗଜନ୍ମା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଆମେ ୨୫ତାରିଖରେ ପାଳନ କରିଛୁ । ଗାନ୍ଧୀଜୀ, ଶାସ୍ତ୍ରୀଜୀ ଏବଂ ଦିନଦୟାଲଜୀ ସଭିଙ୍କ ଚିନ୍ତାଧାରା ଗରିବ କଲ୍ୟାଣ ସମେତ ଆତ୍ମନିର୍ଭର ଭାରତର ସଠିକ ପଥ ପ୍ରଦର୍ଶକ ।

ଆଜି ଭଳି ପବିତ୍ର ଦିନରେ ସପରିବାର ଆସି ଆମ ରାଜ୍ୟର ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣି ମୁଁ ଓ ମୋ ପରିବାର ଅତ୍ୟନ୍ତ ଆନନ୍ଦିତ । ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି । ଦେଶ ସ୍ବାଧୀନତାର ୧୦୦ବର୍ଷ ୨୦୪୭ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଆମ ଦେଶ ଦ୍ରୁତ ଗତିରେ ଅଗ୍ରସର। ଆମେ ଓଡ଼ିଆମାନଙ୍କ ସଂକଳ୍ପ ଆମ ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ବର୍ଷ ପୂର୍ତ୍ତି ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବୁ। ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ। ଏଥିପାଇଁ ସାଢେ ଚାରି କୋଟି ଓଡି଼ଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡ଼କୁ ଆଗେଇବାକୁ ପଡ଼ିବ ।

ମୋର ମନେ ଅଛି ମୋଦୀଜୀ ତାଙ୍କର ପ୍ରଥମ ମନ କି ବାତ୍ ୨୦୧୪ଅକ୍ଟୋବର ତାରିଖରେ କରିଥିଲେ ଏବଂ ତାହା ଥିଲା ପବିତ୍ର ବିଜୟା ଦଶମୀ । ତାଙ୍କ ପ୍ରଥମ ମନ କି ବାତ୍, ଗାନ୍ଧୀ ଜୟନ୍ତୀର ପରଦିନ ଦେଶବାସୀଙ୍କୁ ଖଦି ବସ୍ତ୍ର ପିନ୍ଧିବାର ଆହ୍ୱାନ ଦେଇଥିଲେ । ୨୦୧୪ରେ ମୋଦୀଜୀ ଖଦିକୁ ଏକ ବ୍ୟାପକ ଅର୍ଥରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଖଦିର ବ୍ୟାପକ ଅର୍ଥ ସ୍ବଦେଶୀ। ଏହାର ପ୍ରକୃତ ବ୍ୟାଖ୍ୟା ହେଉଛି ଆତ୍ମନିର୍ଭର ଭାରତ। କୋଭିଡ ସମୟରେ ମୋଦୀଜୀ ସମୟର ବାଧ୍ୟବାଧକତା ମାଧ୍ୟମରେ ଭୋକାଲ ଫର ଲୋକାଲର ଆବଶ୍ୟକତାକୁ ଦେଶବାସୀଙ୍କୁ ସରଳ ଭାବେ ବୁଝାଇଥିଲେ । ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ । ବିକଶିତ ଭାରତର ଟାରିଫକୁ ଡର ରହିବ ନାହିଁ । ଟାରିଫକୁ ନେଇ କିଏ ଭୟ ଦେଖାଇପାରିବନି । ଆମ ଅର୍ଥନୀତି ହେବ ସ୍ବୟଂ ସମ୍ପୂର୍ଣ୍ଣ ।

ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭୋକାଲ ଫର ଲୋକାଲ ଓ ସ୍ୱଦେଶୀର ଆଦ୍ୟ ପଥ ପ୍ରଦର୍ଶକ । ଆଜି ବି ଶ୍ରୀମନ୍ଦିରରେ ଆଳୁ ଓ ବିଲାତି ବାଈଗଣ ପଶିବା ନିଷେଧ। ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ ।ପ୍ରତୀକାତ୍ମକ ଭାବେ ମୁଁ ଆଜି ହସ୍ତତନ୍ତ ବସ୍ତ୍ର କିଣିଛି ସତ । କିନ୍ତୁ ଓଡ଼ିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର ଲୋକାଲ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବା ପାଇଁ ଆହ୍ୱାନ କରୁଛି ।