ମାହାଙ୍ଗା, ୨୩/୯ : ଭାରସାମ୍ୟ ହରାଇ କେନାଲରେ ବୁଡ଼ିଗଲା କାର୍। ଅଳ୍ପକେ ବର୍ତ୍ତିଲେ ମା' ଓ ପୁଅ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଳେଶ୍ଵରପୁର ପଟ୍ଟାମୁଣ୍ଡେଇ କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ କୁଆଁପାଳ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଯାଜପୁର ବାଲିଚନ୍ଦ୍ରପୁର ଥାନା ନାନପୁର ପଟଣା ଗାଁର ହରପ୍ରିୟା ମିଶ୍ର (୪୫ ବର୍ଷ) ଓ ତାଙ୍କ ପୁଅ ଶୁଭକାନ୍ତ ମିଶ୍ର କାର୍ ଯୋଗେ ନୃତାଙ୍ଗରୁ ଘରକୁ ଫେରୁଥିଲେ। ମାହାଙ୍ଗା ବ୍ଲକ ଜଳେଶ୍ଵର ପୁର ଠାରେ କାର୍ଟି ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡେଇ କେନାଲରେ ବୁଡ଼ି ଯାଇଥିଲା। ଗାଡ଼ି ସହ ମା' ଓ ପୁଅ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାୟତାରେ କୁଆଁପାଳ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମା' ଓ ପୁଅ ଦୁଇ ଜଣ ଯାକ ଏବେ ସୁସ୍ଥ ଅଛନ୍ତି।