ୱାଶିଂଟନ,୧୯/୯ : ବଦଳିଛି ଆଧୁନିକ ଯୁଦ୍ଧର ପରିଭାଷା। ମହଙ୍ଗା ମିସାଇଲ୍ ଉପରେ ଭାରୀ ପଡ଼ୁଛି ଶସ୍ତା ଡ୍ରୋନ୍। ଚୁଟ୍କି ବଜାଇଲେ ଡ୍ରୋନ୍ ଯାଇ ଶତ୍ରୁ ପକ୍ଷ ସେନା ଘାଟିକୁ କରିଦେଉଛି ଧ୍ୱସ୍ତବିଧ୍ୱସ୍ତ । ମାତ୍ର କେଇ ହଜାର ଡଲାରର କ୍ଷୁଦ୍ର ଡ୍ରୋନ୍ ଆଖି ପିଛୁଳାକେ ଯାଇ କୋଟି କୋଟି ଡଲାର ମୂଲ୍ୟର ମିସାଇଲ ଏବଂ ଯୁଦ୍ଧ ବିମାନକୁ ଧୂଆଁ କରିଦେଉଛି। ଯୁଦ୍ଧର ଏହି ଭୟଙ୍କର ଆଧୁନିକ ପ୍ରଯୁକ୍ତି ଖେଳରେ ଆମେରିକା ଭଳି ଦେଶ ପଛରେ ପଡ଼ିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଶକ୍ତିଶାଳୀ ଏହି ଦେଶ ଡ୍ରୋନ୍ କ୍ଷମତାରେ ନିଜକୁ ଦୁର୍ବଳ ଅନୁଭବ କରିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ଏହା ଯୁଗ ସହ ତାଳଦେଇ ନୂଆ ପ୍ରଯୁକ୍ତି ଉପରେ ମନୋନିବେଶ କରିବାକୁ ନୀତି ପ୍ରସ୍ତୁତ କରୁଛି ।
ନିକଟରେ ରୁଷ୍ର ‘ଗେର୍ବେରା’ ଡ୍ରୋନ୍ ପୋଲାଣ୍ଡରେ ଯାଇ ପଡ଼ିଥିଲା । ଫୋମ୍ ଓ ପ୍ଲାଏଉଡ୍ ଭଳି ସାଧାରଣ ସାମଗ୍ରୀରେ ଏହା ପ୍ରସ୍ତୁତ ହୋଇଥିଲା। ପୋଲାଣ୍ଡର ଆକାଶ ସୀମା ଭେଦି ଏହା ପଶିଥିଲା। ଯଦିଓ ଏହା ଏକ ‘ଡିକୟ’ ମିଶନ ଥିଲା, ଏହାକୁ ପ୍ରତିହତ କରିବା ପାଇଁ ପୋଲାଣ୍ଡ ଏବଂ ଏହାର ନାଟୋ ସହଯୋଗୀ ଆକ୍ସନକୁ ଆସିଥିଲେ। ଏକ ଛୋଟ ଡ୍ରୋନ୍ର ଜବାବ ଦେବାକୁ ନିଜର ବିକଶିତ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଦେଇଥିଲେ । ଯୁଦ୍ଧ ବିମାନ ଓ ସର୍ଭେଲାନ୍ସ ବ୍ୟବସ୍ଥା ବି ମୁତୟନ କରିଥିଲେ। ରୁଷୀ ଡ୍ରୋନ୍ଟିକୁ ମାଡ଼ କରିବାକୁ ପୋଲାଣ୍ଡ ଓ ନାଟୋ କୋଟି କୋଟି ଡଲାରର ଇଣ୍ଟରସେପ୍ଟିଂ ମିସାଇଲ ବ୍ୟବହାର କରିଥିଲେ । ଏଥିରେ ସାମରିକ ଦୃଷ୍ଟିରୁ ରୁଷ୍ ତୁଳନାରେ ପୋଲାଣ୍ଡର ଅଧିକ କ୍ଷତି ହୋଇଥିଲା । ଏଥିରୁ ପୋଲାଣ୍ଡକୁ ଏକ ବଡ଼ ଶିକ୍ଷା ମିଳିଥିଲା । ଶସ୍ତା ଡ୍ରୋନ୍କୁ ଖସାଇବା ଲାଗି ମହଙ୍ଗା ପ୍ରତିରକ୍ଷା ବ୍ୟବସ୍ଥା ବ୍ୟବହାର କରିବା ଉଚିତ ନ ଥିଲା ବୋଲି ଏହାର ହୃଦୟଙ୍ଗମ ହୋଇଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ସମେତ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଏ ବାବଦରେ ସଚେତନ କରାଇଛନ୍ତି ।
ଏହି ପରିବର୍ତ୍ତିତ ଯୁଦ୍ଧ ନୀତି ଅନୁସାରେ ବାୟୁ ପ୍ରତିରକ୍ଷା ରଣନୀତି ଉପରେ ଆଉଥରେ ଚିନ୍ତା କରିବାକୁ ଆହ୍ୱାନ ଦେଇଛନ୍ତି । ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରୁ ମଧ୍ୟ ଅନେକ କଥା ଦେଖିବାକୁ ମିଳିଛି । ଛୋଟ ଦେଶ ହୋଇ ସୁଦ୍ଧା ରୁଷ୍ର ଏହା ମୁକାବିଲା କରିଛି । ଏହାର ପ୍ରଭୂତ କ୍ଷତି ଘଟାଇଛି । ରୁଷ୍ର ଯୁଦ୍ଧ ବିମାନ, ମହଙ୍ଗା ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଖଞ୍ଜିତ ଭେଇକିଲ୍କୁ ୟୁକ୍ରେନ୍ ଛୋଟ ଡ୍ରୋନ୍ ଦ୍ୱାରା ଟାର୍ଗେଟ୍ କରିଥିଲା । ଏହାକୁ ଖସାଇବା ପାଇଁ ରୁଷୀୟ ସେନା ମହଙ୍ଗା ପ୍ରତିରକ୍ଷା ବ୍ୟବସ୍ଥା ପ୍ରୟୋଗ କରିଥିଲେ । ଏଥିରେ ବିପୁଳ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା । ରୁଷ୍ର ଅର୍ଥ ବ୍ୟବସ୍ଥା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥିଲା । ପୂର୍ବରୁ ୟୁକ୍ରେନ୍ର କେତେକ ଡିକୟ ଡ୍ରୋନ୍କୁ ଖସାଇ ରୁଷ୍ ପ୍ରଥମେ ଗର୍ବ ଅନୁଭବ କରିଥିଲା । କିନ୍ତୁ ପ୍ରକାରାନ୍ତରେ ନିଜର ହିଁ ବଡ଼ କ୍ଷତି ହୋଇଥିବା ଏହା ଜାଣିପାରିଥିଲା । ଏହି ଡିକୟ ଡ୍ରୋନ୍ ଦ୍ୱାରା ରୁଷ୍କୁ ଅଧିକ ମୂଲ୍ୟର ଅସ୍ତ୍ର ବ୍ୟବହାର ପାଇଁ ବାଧ୍ୟ କରିଥିଲା ୟୁକ୍ରେନ୍ । ଦୀର୍ଘଦିନ ପରେ ରୁଷ୍ ଏହି ଆକ୍ରମଣ ପଛର ଅସଲ ଉଦ୍ଦେଶ୍ୟ ବୁଝିପାରିଛି । ୟୁକ୍ରେନ୍ ଦେଇଥିବା ଏହି ଝଟ୍କାରୁ ଉଚିତ ଶିକ୍ଷା ପାଇ ରୁଷ୍ ଏହାର ରଣନୀତି ବଦଳାଇଛି । ଏବେ ଏହା କ୍ଷୁଦ୍ର ତଥା ଶସ୍ତା ଡ୍ରୋନ୍ ଉତ୍ପାଦନକୁ ତ୍ୱରାନ୍ୱିତ କରିଦେଇଛି । ବୃହତ୍ ସଂଖ୍ୟାରେ ଡ୍ରୋନ୍ ୟୁକ୍ରେନ୍ ପାଇଁ ମୁତୟନ କରିଛି । ଏମିତି କି ପୋଲାଣ୍ଡ ଓ ରୋମାନିଆ ଭଳି ଦେଶକୁ ଡ୍ରୋନ୍ ପଠାଇ ନାଟୋ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ରୁଷ୍ ।