ପୁରୀ, ୦୪/୦୬: ରଥ ଦଣ୍ଡା ଓ ଗରଗରାରେ କଣ୍ଟା ପଡ଼ିଲା । ମୁଖ୍ୟ କମାର ସେବକମାନେ ଅନୁକୂଳ କରି କଣ୍ଟା ପିଟିଥିଲେ । ଚକର ବାହାର ଓ ଭିତର ପାଶ୍ୱର୍ ଦଣ୍ଡାରେ କଣ୍ଟା ପିଟାଯାଇଛି । ଓଝା ସେବକମାନେ ଦଣ୍ଡାବିଡ଼ିଆ କଣ୍ଟା ଓ ଘଡ଼ିମୁହଁ କଣ୍ଟା ପିଟିଛନ୍ତି । ତୁମ୍ବ ଓ କୁଡ଼ୁକାକୁ ସଂଯୋଗ କରି ଘଡ଼ିମୁହଁ କଣ୍ଟା ପିଟାଯାଇଛି । ଅଖ ଓ ଦଣ୍ଡାରେ ଦଣ୍ଡାବିଡ଼ିଆ କଣ୍ଟା ପିଟିଛନ୍ତି । ଓଝା ସେବକମାନେ ପୋଖରିଆରେ ଚଉରସ କଣ୍ଟା ପିଟିଥିଲେ । ଭୋଇସେବକମାନେ ଗରଗରା ଉଠାଇବା ପରେ ସେଥିରେ କଣ୍ଟା ପିଟା ଯାଇଥିଲା । ପ୍ରଚଣ୍ଡ ଖରା ଯୋଗୁ ଚାଞ୍ଚ ଛାଇରେ ସେବା ଜାରି ରହିଥିଲା । ବିଶ୍ୱକର୍ମାଙ୍କ ପରାମର୍ଶ କ୍ରମରେ ଓଝାମାନେ କଣ୍ଟା ପିଟିଥିଲେ ।

ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଆ, ମହାପ୍ରସାଦ, ମାଳ ମାହାର୍ଦ୍ଦ ଦିଆଯିବାର ପରମ୍ପରା ରହିଛି । ରଥଖଳା ଅଧିଶ୍ୱରୀ ଦେବୀ ଚର୍ଚ୍ଚିକାଙ୍କୁ ସରପୁଳି, ବିରିପିଠା ଆଦି ସମର୍ପଣ ପରେ ଠାକୁରାଣୀଙ୍କଠାରେ ଶରଣ ପଶି ଦଣ୍ଡା କଣ୍ଟା ଅନୁକୂଳ ହେଉଥିବା କୁହନ୍ତି ମୁଖିଆ ଓଝା ସେବକ । ନଟ୍ବୋଲ୍ଟ ଠାରୁ ଆହୁରି ଶକ୍ତିଶାଳୀ ହେଉଛି ଦଣ୍ଡା କଣ୍ଟା । ଅଗପାତଳ କଣ୍ଟା ରଥର ଚେଚିସ୍କୁ ମଜଭୁତ୍ କରେ । ଦୁଇ ଜଣ ଲୁହା ହାତୁଡ଼ିରେ ପିଟି ଦଣ୍ଡା ଓ ଅଖକୁ ମିଶାଇ ଭୁଞ୍ଜାଇବା ପରେ କଣ୍ଟାର ନିମ୍ନ ଅଂଶକୁ ମୋଡ଼ି ଦିଆଯାଏ । ଦଣ୍ଡା କଣ୍ଟା ପଡ଼ିଲା ପରେ ପୋଖରିଆ ଓ ଘଡ଼ିମୁହଁ କଣ୍ଟା ପିଡ଼ିଛି । ଗୋଟିଏ ରଥରେ ଦୁଇଟି ଗରଗରା ସ୍ଥାପନ ହୋଇଛି । ଗରଗରା ରଥରେ ସ୍ଥାପନ ପରେ ଚାରିନାହାକା ଉଠିବାକୁ ଅପେକ୍ଷା ରହିଛି । ଏପଟେ ରଥଖଳାରେ ବିଶ୍ୱକର୍ମାଙ୍କ ଗୟଳ ଚଉପଟ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ରୂପକାରମାନେ ରଥର ବିଭିନ୍ନ ଅଂଶ ଖୋଦେଇ କରୁଛନ୍ତି । ସିଂହାସନରେ କୁମ୍ଭ ଡ଼ାଳି ଲତା ଓ ପଦ୍ମ ପାଖୁଡ଼ା ଖୋଦେଇ ଚାଲିଛି । କରତି ସେବକ ରଥ ନିର୍ମାଣରେ ଲାଗିଛନ୍ତି ।