ଛତିଶଗଡ଼, ୩।୯: ଛତିଶଗଡ଼ର ଜୟପୁର ବଗିଚାରେ ଗଣେଶ ବିସର୍ଜନ ସମୟରେ ଅଘଟଣ । ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୨୨ଜଣ ଆହତ ହୋଇଥିବା ସୂଚନା । ମଙ୍ଗଳବାର ବିଳମ୍ୱିତ ରାତି ୧୨ଟା ସମୟରେ ବଗିଚା ଚରଇଡାଣ୍ଡ ଷ୍ଟେଟ୍ ରାଜପଥରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଏକ ବୋଲେରୋ ନିୟନ୍ତ୍ରଣ ହରାଇ ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଯାଇଥିଲା । ପାଖାପାଖି ୧୫୦ ଲୋକ ବିସର୍ଜନରେ ସାମିଲ ଥିଲେ । ଅଘଟଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ବୋଲେରୋ ଡ୍ରାଇଭରକୁ ଅଟକ ରଖି ଉତ୍ତମମଧ୍ୟମ ଦେଇଥିଲେ । ଗାଡ଼ିରେ ଥିବା ଅନ୍ୟ ଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ବିଷୟରେ ଖବର ପାଇ ଜନପଦ ଉପାଧ୍ୟକ୍ଷ ଅରବିନ୍ଦ ଜନପ୍ରତିନିଧି ଶଙ୍କର ଗୁପ୍ତା ଓ ବଗିଚା ଏସ୍ଡିଓପି ଦିଲ୍ଲୀପ କୌଶଲ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ୱୁଲାନ୍ସ ଯୋଗେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ । ଜଶପୁର ଜିଲ୍ଲାପାଳ ରୋହିତ ବ୍ୟାସ ବିଳମ୍ୱିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକ ଓ ଆହତଙ୍କ ପରିବାରକୁ ଭେଟିଥିଲେ । ଯେଉଁମାନେ ଗମ୍ଭୀର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ଅମ୍ୱିକାପୁର ସ୍ଥାନାନ୍ତର କରିବାକୁ କହିଛନ୍ତି । ମୃତକଙ୍କ ମଧ୍ୟରେ ୧୯ ବର୍ଷୀୟ ଅରବିନ୍ଦ, ୧୭ ବର୍ଷୀୟ ବିପିନ୍ନ କୁମାର ପ୍ରଜାପତି ଓ ୩୨ ବର୍ଷୀୟ ଖେରାବତୀ ଯାଦବ ବୋଲି ଜଣାପଡ଼ିଛି । ପୁଲିସ ଗାଡ଼ି ଜବତ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ।