ଭୁବନେଶ୍ୱର, ୨୫/୯ : ଲିଙ୍ଗରାଜ ମନ୍ଦିର ନିକଟରେ ‘ସ୍ୱଚ୍ଛତା ହି ସେବା ୨୦୨୫’ କାର୍ଯ୍ୟକ୍ରମର ‘ଗଣସଫେଇ ଅଭିଯାନ’ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଦେଲେ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମନ୍ତ୍ରୀ, ବିଧାୟକ, ମେୟର, ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ସଫେଇ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ 2.0’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢି ସାମ୍ନାରେ ଉପସ୍ଥାପିତ କରିବାର ଅବସର। ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ସେ ଏକାତ୍ମ ମାନବବାଦରେ ବିଶ୍ୱାସ କରୁଥିଲେ। ତାଙ୍କର ଚିନ୍ତାଧାରା ଥିଲା ଅନ୍ତ୍ୟୋଦୟ ଅର୍ଥାତ ସମାଜର ସବୁଠୁ ଶେଷ ସୀମାରେ ଥିବା ମଣିଷ ପର୍ଯ୍ୟନ୍ତ ଉନ୍ନତିର ଆଲୋକ ପହଞ୍ଚିବା ଆବଶ୍ୟକ। ଦୀନଦୟାଲଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଶରେ ଗୁଡ୍ ଗଭର୍ଣ୍ଣାସ୍ ପ୍ରତିଷ୍ଠା କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ଼ ଉପାସକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନା ସମାଜର ଶେଷ ପାହଚରେ ଥିବା ଗରିବ ଓ ନିଃସହାୟଙ୍କ ପ୍ରତି ଉତ୍ସର୍ଗିକୃତ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଦୀନଦୟାଲଙ୍କ ଏହି ମହାନ ଚିନ୍ତାଧାରା ଅନ୍ତ୍ୟୋଦୟ ଆଧାରରେ ଆମେ ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ପାଇଁ କାର୍ଯ୍ୟରତ ଅଛୁ। ଆଜି ‘ଏକ ଦିନ, ଏକ ଘଣ୍ଟା, ଏକା ସାଥିରେ’ ଆମେ ଏକତ୍ରିତ ହୋଇଛୁ। ଏହା ଆମ ପାଇଁ ସଂକଳ୍ପର ଅବସର। ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ଓ ନୂଆ ଓଡ଼ିଶାରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କୁ ଆଜି ସଂକଳ୍ପ ନେବାକୁ ପଡିବ। ସ୍ୱଚ୍ଛତା କ୍ଷେତ୍ରରେ ସମସ୍ତଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି। ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ। ଆଗାମୀ ଦିନରେ ଅବର୍ଜନାରୁ କୋଇଲା ଏବଂ କୋଇଲାରୁ ଶକ୍ତି ଉତ୍ପାଦନ କରିବା ପାଇଁ ଆମର ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଉତ୍ସାହ, ଆଗ୍ରହ ଓ ସହଯୋଗ ବଳରେ ‘ଏକ୍ ପେଡ୍ ମା କେ ନାମ୍ 2.0’ ଅଭିଯାନରେ ଆମେ ଧାର୍ଯ୍ୟ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇସାରିଲୁଣି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାରତବର୍ଷରେ ଓଡ଼ିଶାର ସ୍ୱତନ୍ତ୍ରତା ରହିଛି। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, କର୍ପୋରେଟର ବୃନ୍ଦ, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ।