ନୂଆଦିଲ୍ଲୀ ୦୨/୦୯: ବିଶ୍ୱର ପ୍ରଥମ ୬-ଜି ଚିପ୍ ପ୍ରସ୍ତୁତ କରିଛି ଚୀନ୍ । ସୁଦୂର ଅଞ୍ଚଳରେ ମଧ୍ୟ ଏହା ହାଇ-ସ୍ପିଡ୍ ଇଣ୍ଟର୍ନେଟ୍ ପ୍ରଦାନ କରିବ । ବର୍ତ୍ତମାନର ଇଣ୍ଟର୍ନେଟ୍ ସ୍ପିଡ୍ ତୁଳନାରେ ୬-ଜି ଚିପ୍ରୁ ୫ ହଜାର ଗୁଣ ଦ୍ରୁତ ଇଣ୍ଟର୍ନେଟ୍ ସ୍ପିଡ୍ ମିଳିବ । କେବଳ ଗ୍ରାମାଞ୍ଚଳ ନୁହେଁ, ହାଇ-ସ୍ପିଡ୍ ଇଣ୍ଟର୍ନେଟ୍ ପହଞ୍ଚିନଥିବା ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏହାର ଲାଭ ମିଳିବ ।
ବେଜିଂର ପେକିଂ ବିଶ୍ୱବିଦ୍ୟାଳୟ ଓ ହଂକଂର ସିଟି ବିଶ୍ୱବିଦ୍ୟାଳୟର ଗବେଷକମାନେ ମିଳିତ ଭାବେ ଏହି ଚିପ୍ସେଟ୍କୁ ପ୍ରସ୍ତୁତ କରିଛନ୍ତି । ଏହାକୁ ସେମାନେ ଅଲ୍ ଫ୍ରିକ୍ୱେନ୍ସି ୬-ଜି ସଲ୍ୟୁସନ୍ କହିଛନ୍ତି, ଯାହା ମୋବାଇଲ ଫୋନ୍ ସ୍ପିଡ୍କୁ ଅନେକ ଗୁଣ ବଢ଼ାଇପାରେ । ଚିପ୍ସେଟ୍ର ଆକାର ୧୧ଏମ୍ଏମ୍ ଙ୍ଘ ୧.୭ଏମ୍ଏମ୍ । ଲୋ ଫ୍ରିକ୍ୱେନ୍ସିରେ ଏହା କାମ କରିବ । ଏହା ଦ୍ୱାରା ମୋବାଇଲ ଫୋନ୍ ଓ ଅନ୍ୟ ଡିଭାଇସ୍କୁ ଭଲ ସ୍ପିଡ୍ ସହିତ କନେକ୍ଟିଭିଟି ମିଳିବ । ୬-ଜି ଚିପ୍ସେଟ୍ ସାହାଯ୍ୟରେ ୧ ସେକେଣ୍ଡ୍ରେ ୧୦୦ ଜିବି ଡାଟା ସ୍ଥାନାନ୍ତର ହୋଇଯିବ । ଏହା ପୂରାପୂରି ୱାୟରଲେସ୍ ସ୍ପେକ୍ଟ୍ରମ୍ ଉପରେ କାମ କରିବ ।
ଉଦାହରଣ ସ୍ୱରୂପ, ୬-ଜି ଚିପ୍ସେଟ୍ ସାହାଯ୍ୟରେ ୫୦ଜିବିର ଏଚ୍ଡି ୮କେ ଫିଲ୍ମ ୧ ସେକେଣ୍ଡ୍ ମଧ୍ୟରେ ଡାଉନ୍ଲୋଡ୍ ହେବ । ଏହି ସ୍ପିଡ୍ ଉଭୟ ସହର ଓ ଗ୍ରାମାଞ୍ଚଳରେ ମିଳିବ । ମଣିଷ ପାଇଁ ମସ୍ତିଷ୍କ ଯେମିତି ଆବଶ୍ୟକ, ଠିକ୍ ସେମିତି କମ୍ପ୍ୟୁଟର୍, ମୋବାଇଲ ଫୋନ୍ କିମ୍ବା କୌଣସି ଇ-ଡିଭାଇସ୍ ପାଇଁ ଚିପ୍ସେଟ୍ ସେତିକି ଆବଶ୍ୟକ । ମେମୋରୀ, ଷ୍ଟୋରେଜ୍, ଗ୍ରାଫିକ୍ସ ଓ ହାର୍ଡୱେର ମଧ୍ୟରେ ଏହା ଯୋଗାଯୋଗ ସ୍ଥାପନ କରେ । ସୁଫଳ ସତ୍ତେ୍ୱ ୬-ଜିକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି ।
ବିଶେଷଜ୍ଞଙ୍କ ଅନୁସାରେ, ୬-ଜିରେ ହାଇ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍ର ଉପଯୋଗ ଯୋଗୁ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ମଧ୍ୟ ବଢ଼ିପାରେ । ଏହା ମାନବ ସ୍ୱାସ୍ଥ୍ୟକୁ ବିପଦରେ ପକାଇବ। ଡିଭାଇସ୍ରେ ଏହାର ସଂଯୋଗ ସହିତ ସାଇବର୍ ବିପଦ ବଢ଼ିବ । ଡାଟା ଗୋପନୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।