କେସିଙ୍ଗା, ୯/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ କଂଗ୍ରେସର 'ସଙ୍ଗଠନ ସୃଜନ' ବୈଠକ। ଏହି ମିଟିଂରେ ଏଆଇସିସି ପର୍ଯ୍ୟବେକ୍ଷକ ଶେଖ୍ ମୁସ୍ତାନ ଓ୍ବାଲି ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ କଂଗ୍ରେସକୁ ମଜବୁତ କରିବାକୁ ବରିଷ୍ଠ ନେତା  ରାହୁଲ ଗାନ୍ଧି ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ 'ସଙ୍ଗଠନ ସୃଜନ' ମାଧ୍ୟମରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଦଳର ସଙ୍ଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ 'ସଙ୍ଗଠନ ସୃଜନ' ଅଭିଯାନ ମାଧ୍ୟମରେ ଓଡ଼ିଶାରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକିୟା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ରାଜ୍ୟରେ କଂଗ୍ରେସ ଦଳର ୩୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଏଆଇସିସିରୁ ଜଣେ ଏବଂ ପିସିସିରୁ ତିନି ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ସମସ୍ତ କର୍ମୀଙ୍କ ମତକୁ ସମ୍ମାନ ଦେଇ ନେତା ଚୟନର କାର୍ଯ୍ୟକ୍ରମ କେବଳ କଂଗ୍ରେସ ପକ୍ଷରେ ହିଁ ସମ୍ଭବ। କଂଗ୍ରେସ ସବୁବେଳେ ଗଣତନ୍ତ୍ର, ସମ୍ବିଧାନ ଏବଂ ଲୋକଙ୍କ ବିଚାରଧାରା ଓ ଅଧିକାରକୁ ଅଗ୍ରାଧିକାର ଦେଇଥାଏ। ଗଣତାନ୍ତ୍ରିକ ଉପାୟରେ ନିଜ ଦଳକୁ ନିର୍ମାଣ କରିବାରେ କଂଗ୍ରେସ ଦଳ ହିଁ ବିଶ୍ବାସ କରିଥାଏ। 

କଳାହାଣ୍ଡି ଜିଲ୍ଲାରେ 'ସଙ୍ଗଠନ ସୃଜନ' ପ୍ରକ୍ରିୟା ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିସିସି ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗତ ନିର୍ବାଚନର କଳାହାଣ୍ଡି ଲୋକସଭା କ୍ଷେତ୍ରର କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାମୟୀ ବଗର୍ତ୍ତି,ସଦର ବିଧାୟକ ପ୍ରତିନିଧି ଧନୁ ଗହିର, ମହମ୍ମଦ ସାହେବ୍,ରାହାସ ସାହୁ, କେସିଙ୍ଗା ନଗର କଂଗ୍ରେସର ସୁଭାଷ ଜୈନ ମଞ୍ଚାସୀନ ରହିଥିଲେ। 

କେସିଙ୍ଗା ବ୍ଲକ ଓ ନଗର ଅଞ୍ଚଳର ନେତା ଓ କର୍ମୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଦଳର 'ସଙ୍ଗଠନ ସୃଜନ' ବୈଠକରେ ପୂର୍ବତନ ନଗରପାଳ ରାମ କୁମାର ଜୈନ, ରାମଜୀ ମାତଖଣ୍ଡିଆ, ମହେନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାମୀ, ପୂର୍ବତନ କାଉନସିଲର ବିଜୟ ଦୀପ, କେସିଙ୍ଗା ବ୍ଲକ ବିଧାୟକ ପ୍ରତିନିଧି ଶେଷଦେବ ମାଝୀଙ୍କ ସମେତ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ମାହେନ୍ଦ୍ରୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଭୋଇ, ମୋତି କୈବର୍ତ୍ତ, ଫଟକାମାଲ ପଞ୍ଚାୟତ ସରପଞ୍ଚ ତେଜସ୍ବିନୀ ମାଝୀଙ୍କ ସମେତ ଶତାଧିକ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ରହିଥିଲେ।