ନୂଆଦିଲ୍ଲୀ, ୦୧/୧୧ : ନକଲି ଔଷଧ ଉପରେ ଲଗାମ। ନକଲି କାଗଜପତ୍ର ପ୍ରଦାନ କଲେ ବାତିଲ ହେବ କମ୍ପାନୀଗୁଡ଼ିକର ଲାଇସେନ୍ସ। ୧୯୪୫ ଔଷଧି ନିୟମ ସଂଶୋଧନ କଲେ କେନ୍ଦ୍ର ସରକାର। ଏବେ ଯେକୌଣସି ଫାର୍ମା କମ୍ପାନୀ ନକଲି ଔଷଧ ତିଆରି, ବିକ୍ରି କିମ୍ଵା ପଞ୍ଜିକରଣ ପାଇଁ ଭୁଲ୍ ତଥ୍ୟ କିମ୍ଵା ନକଲି କାଗଜପତ୍ର ଦାଖଲ କରିବେ ତେବେ ଉକ୍ତ କମ୍ପାନୀର ଲାଇସେନ୍ସ ରଦ୍ଦ ହେବ। ଉକ୍ତ ଫାର୍ମା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ସନ୍ତୋଷଜନକ ଉତ୍ତର ନମିଳିଲେ ଫାର୍ମା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯିବ। ଭାରତରେ ନକଲି ଔଷଧ ହେରଫେରକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଅକ୍ଟୋବର ୧୬ ତାରିଖରେ ସମ୍ମତି ପାଇଁ ସଂଶୋଧିତ ନିୟମର ଏକ ଡ୍ରାଫ୍ଟ ଜାରି କରିଥିଲା। ଅକ୍ଟୋବର ୨୮ ତାରିଖରେ ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। CDSCO ଅନୁଯାୟୀ, ଔଷଧ କ୍ଷେତ୍ରରେ ଜାଲ ସୂଚନା ଏବଂ ଡକ୍ୟୁମେଣ୍ଟ ଜାଲିଆତିକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ନିୟମରେ ଖିଲାପ କଲେ ଯେକୌଣସି ଔଷଧ କମ୍ପାନୀ, ବିତରକ କିମ୍ବା ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ଗତ କିଛି ବର୍ଷ ମଧ୍ୟରେ କିଛି ଔଷଧ କମ୍ପାନୀମାନେ ଔଷଧ ତିଆରି କରିବା ପାଇଁ ପଞ୍ଜିକରଣ କରିବାକୁ ନକଲି ପ୍ରମାଣପତ୍ର ଦାଖଲ କରିଥିବା ନଜରକୁ ଆସିଛି। ଏହାଦ୍ଵାରା ଔଷଧ ଗୁଣବତ୍ତା ଉପରେ ପ୍ରଭାବ ପଡ଼ିବା ସହ ଜନସ୍ଵାସ୍ଥ୍ୟ ପ୍ରତି ବିପଦ ରହିଛି। ତାମିଲନାଡୁର ଶ୍ରୀ ସନ୍ ଫାର୍ମା କମ୍ପାନୀ ମଧ୍ୟ ଭୁଲ୍ ପ୍ରମାଣପତ୍ର ଦାଖଲ କରି ଲାଇସେନ୍ସ ରିନ୍ୟୁଉ କରିଥିଲା। ଏହି କମ୍ପାନୀର କଫ୍ସିରପ ଖାଇ ୨୪ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର କଠୋର ହୋଇଛନ୍ତି।