ମୁସ୍ତାଫା ସେଣ୍ଟର ୩୦୦,୦୦୦ରୁ ଅଧିକ  ପଣ୍ୟ ବିକ୍ରୟ କରେ ଏବଂ ବିଭିନ୍ନ ସେବା  ଯେପରିକି ବିଦେଶୀ ମୁଦ୍ରା ପରିବର୍ତ୍ତନ ଏବଂ  ଯାତ୍ରା ବ୍ୟବସ୍ଥାପନା ସୁବିଧା ପ୍ରଦାନ କରେ ।  ସେହି ସେଣ୍ଟରରେ ଗହଣାଠାରୁ ଆରମ୍ଭକରି  ମାଛ ମାଂସ ଯାଏ ଘରପାଇଁ ଯାହା ଯାହା  ଦରକାର ଯାବତୀୟ ଜିନିଷ ଉପଲବ୍ଧ ।  ପ୍ରତିଟି ଜିନିଷ ପ୍ରବଳ ମାତ୍ରାରେ ଉପଲବ୍ଧ ।

ଅଟଳ ବିହାରୀ ବାଜପେୟୀ ଆମର ପ୍ରଧାନମନ୍ତ୍ରୀ  ଥିବାବେଳେ ବେରୋଜଗାରୀ ଉପରେ  ସଂସଦରେ ଗୋଟିଏ ବିତର୍କରେ ଟିପ୍ପଣୀ ଦେଇଥିଲେ  ଯେ, ଦେଶର ସମସ୍ତ ଯୁବବର୍ଗଙ୍କୁ ସରକାରୀ ଚାକିରିରେ  ଭର୍ତ୍ତି କରିବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ  ସରକାର ଅର୍ଥବ୍ୟବସ୍ଥାକୁ ଏପରି ମଜବୁତ କରିବାକୁ  ଚେଷ୍ଟା କରିବେ ଯାହାଦ୍ୱାରା ଚାକିରିର ସୁଯୋଗ ସ୍ୱାଭାବିକ  ଭାବେ ଉଭାହେବ । ରୋଜଗାର ସୃଜନ ପାଇଁ ଏହା ହିଁ  ପ୍ରକୃତ ମାଧ୍ୟମ । ଏବେ ବିହାର ନିର୍ବାଚନରେ ଜଣେ  କମ୍‌ ଶିକ୍ଷିତ ଏବଂ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ପ୍ରତିଶ୍ରୁତି  ଦେଲେ ଯେ,ମୋର ସରକାର ଆସିଲେ ମୁଁ ପ୍ରତି  ପରିବାରର ଗୋଟିଏ ଲୋକକୁ ସରକାରୀ ଚାକିରି ଦେବି ।  ସେ କେବେ ଭାବିଲେନାହିଁ ଏତେ ଲୋକଙ୍କୁ ଚାକିରି  ଦେବାକୁ ଅର୍ଥ କେଉଁଠାରୁ ଆସିବ ଏବଂ ଏତେ ଲୋକ  କଣ କାମ କରିବେ । ପୃଥିବୀରେ ଏମିତି କୌଣସି  ଦେଶ କିମ୍ବା ରାଜ୍ୟ ନାହିଁ ଯେଉଁଠାରେ ସରକାର ପ୍ରତି  ପରିବାରର ଗୋଟିଏ ସଦସ୍ୟଙ୍କୁ ସରକାରୀ ଚାକିରି  ଯୋଗାଇ ଦେଇଛନ୍ତି । ଭୋଟ ହାତେଇବାକୁ ଏମିତି  ଅବାନ୍ତର ଓ ଉଦ୍ଭଟ ଘୋଷଣା ଯୁବବର୍ଗଙ୍କୁ ହତାଶ କରିବ  ଏବଂ ସରକାରୀ ଚାକିରି ନିଶାରେ ବେରୋଜଗାର କରିବ ।

ସମ୍ମାନଜନକ ଭାବରେ ରୋଜଗାର କରିବା  ଗୋଟିଏ ବଡ଼ କଥା ନୁହଁ । ଆପଣ ଯଦି ପୂର୍ବକାଳର  ଉଦ୍ଭାବନକାରୀଙ୍କ ଜୀବନ କାହାଣୀ ପଢ଼ିବେ, ଦେଖିବେ  ସେମାନଙ୍କ ପାଖରେ ଆଧୁନିକ ପ୍ରଯୁକ୍ତି, ଇଣ୍ଟରନେଟ୍‌  କିମ୍ବା ଉନ୍ନତ ସାଧନ ସାମଗ୍ରୀ ନଥିଲା । ତଥାପି ବଳିଷ୍ଠ  ଚିନ୍ତାଧାରା ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ  ବିଶ୍ୱପାଇଁ ଅଭୂତପୂର୍ବ ବିସ୍ମୟ ସୃଷ୍ଟି କରିଥିଲେ ।  ସେମାନଙ୍କ ମଧ୍ୟରୁ ଅଧିକାଂଶ ଧନୀ କିମ୍ବା ଉଚ୍ଚଶିକ୍ଷିତ  ହୋଇନଥିଲେ ମଧ୍ୟ ସେମାନଙ୍କର ସଂକଳ୍ପ ଏବଂ ଅଭିନବ  ଭାବନା ସେମାନଙ୍କୁ ବିଶ୍ୱବିଖ୍ୟାତ କରିପାରିଛି । ଯଦି ଯୁବ  ସମାଜ ପାରମ୍ପରିକ ଚାକିରି ଉପରେ ଅତ୍ୟଧିକ ନିର୍ଭର  କରି ରହିବେ, ତେବେ ସେମାନେ ନିଜସ୍ୱ ଉନ୍ନତି, ଧନ  ସୃଷ୍ଟି ଓ ସମାଜରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବାର  ସୁଯୋଗ ହରାଇଦେବେ । ସ୍ୱୟଂ ରୋଜଗାର ଗ୍ରହଣ  କରିବା, ମାନେ ନିଜକୁ ପାରମ୍ପରିକ ସୀମାରୁ ମୁକ୍ତ କରିବା  ସହିତ ନବଚିନ୍ତନ, ନେତୃତ୍ୱ ଓ ଆର୍ଥିକ ସ୍ୱାଧୀନତାକୁ  ମଜବୁତ କରିବା ।

ଇଂଲିଶରେ ଏକ ପ୍ରବାଦ ଅଛି ‘If the mind is cultivated, ideas germinate’. ଆମ  ଚାରିପାଖରେ ଦେଖୁଥିବା ପ୍ରତ୍ୟେକ ମହାନ ସଫଳତାକୁ  ପ୍ରଥମେ କିଏ ନା କିଏ କଳ୍ପନା କରିପାରିଥିଲେ । ଆମକୁ  ଘେରି ରହିଥିବା ପ୍ରାୟ ସବୁକିଛି, ସରଳ ଉପକରଣଠାରୁ  ଆରମ୍ଭକରି ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବ କଳ୍ପନା ଏବଂ  ପ୍ରୟାସର ସୃଷ୍ଟି । କେବଳ ପ୍ରକୃତି ବିଧିର ବିଧାନ ଭାବରେ  ପୃଥକ ଅଟେ, ଅନ୍ୟ ସବୁକିଛି ବିକଶିତ ଚିନ୍ତାଧାରାଦର୍ଶନ ଏବଂ ନିଷ୍ଠାର ଫଳାଫଳ ।

ପୃଥିବୀର ଇତିହାସ ସେମାନଙ୍କ ଦ୍ୱାରା ଗଠିତଯେଉଁମାନେ ନିଜେ ନିଜ ଉପରେ ଆସ୍ଥା ରଖି, ମାନବ  ସମାଜର ସୁବିଧା ପାଇଁ ମହାନ କାର୍ଯ୍ୟ ସାଧିବାକୁ ସାହସ  କରିଥିଲେ । ଗୋଟିଏ ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ  ସଶକ୍ତ ହେବା ସଙ୍ଗେ ସଙ୍ଗେ ସମାଜର ଜନସାଧାରଣଙ୍କ  ପାଇଁ ବଞ୍ଚିବାର ସାହାରା ହେବା ନିଶ୍ଚୟ ଗୋଟିଏ ମହାନ  କାମ । ସାହସ କଲେ ଯେକୌଣସି ଯୁବପିଢ଼ି ଏହି ଦାୟିତ୍ୱ  ସମ୍ପନ୍ନ କରିପାରିବେ ।

ଆମ ରାଜ୍ୟରେ, ଆମ ଦେଶରେ ଓ ସାରା  ବିଶ୍ୱରେ ଏପରି ଅନେକ ଉଦାହରଣ ରହିଛି, ଯେଉଁଠି  ଅଧିକ ଶିକ୍ଷା ନଥିବା ଓ ଦରିଦ୍ର ପରିବାରରେ ଜନ୍ମିତ  ଲୋକମାନେ ଉଦ୍ୟମିତା ମାଧ୍ୟମରେ ବଡ଼ ସଫଳତା  ହାସଲ କରିଛନ୍ତି । ଜଣେ ପିଲା ପାଞ୍ଚବର୍ଷ ବୟସରେ  ସ୍ୱରୋଜଗାରୀ ହେବାପାଇଁ କରିଥିବା ଚେଷ୍ଟା ତାକୁ କେତେ  ଆନନ୍ଦ ଦେଲା ତାହା ଉପରେ ଲେଖୁଛି । ମୁଁ ସିଙ୍ଗାପୁରରେ  ଅବସ୍ଥିତ ମୁସ୍ତାଫା ସେଣ୍ଟରକୁ କେବେ କେବେ  ଯାଏ । ଏହାର ବିଶାଳତା ମୋତେ ଆଶ୍ଚର୍ଯ୍ୟ କଲା ।  ଏହି ବିରାଟ ଷ୍ଟୋରର ପ୍ରମୋଟରଙ୍କ ବିଷୟରେ  ଜାଣିବାକୁ ମୁଁ ଆଗ୍ରହୀ ହେଲି । ଯାହା ଜାଣିଲି ତାହା  ଲେଖୁଛି । 

ହାଜୀ ମୋହମ୍ମଦ ମୁସ୍ତାଫା ଭାରତର  ଉତ୍ତର ପ୍ରଦେଶରେ ଏକ କୃଷକ ପରିବାରରେ  ଜନ୍ମଗ୍ରହଣ କରିଥିଲେ । ୧୯୫୦ ମସିହାରେ  ସେ ମାଲେସିଆର ମୁଆରକୁ ଚାଲିଗଲେ ଏବଂ  ସେଠାରେ ଗାଁ ଗାଁକୁ ଘୂରି ମୋମୋ ବିକିବାକୁ  ଆରମ୍ଭ କଲେ । ତାଙ୍କ ପୁଅ ମୁସ୍ତାକ ଅହମଦ୍‌୧୯୫୧ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ  କରିଥିଲେ ଏବଂ ମାତାଙ୍କ ଦେହାନ୍ତ ହେବାରୁ, ମାତ୍ର  ପାଞ୍ଚବର୍ଷ ବୟସରେ ସେ ତାଙ୍କର ବାପାଙ୍କ ସହିତ  ଯୋଗଦେଲେ । ମାଲେସିଆର ମୁଆର ସିଙ୍ଗାପୁରର  ନିକଟବର୍ତ୍ତୀ । ବଡ଼ ହେବା ସହିତ ସେ ତାଙ୍କ ବାପାଙ୍କ  କାମରେ ସହଯୋଗ କରି, ଚା ଓ ପାଉଁରୁଟି ବିକିବାକୁ  ଲାଗିଲେ ।

ବାପାଙ୍କୁ ସାହାଯ୍ୟ କରିବା ସହିତ ଅହମଦ୍‌  ବାପାଙ୍କଠାରୁ ମିଳୁଥିବା ହାତଖର୍ଚ୍ଚ ଅର୍ଥ ସଂଚୟ କରି  ରୁମାଲ କିଣି ବିକିବା ଆରମ୍ଭ କଲେ । ତାପରେ ସେ  ଆସ୍ତେ ଆସ୍ତେ ପୋଷାକ କିଣି ବିକିଲେ । ତାଙ୍କ ପୁଅଙ୍କ  ବ୍ୟାବସାୟିକ କୌଶଳରେ ଅନୁପ୍ରେରିତ ହୋଇ ଏବଂ  ପୋଷାକ ବିକ୍ରୟ ବ୍ୟବସାୟରେ ସମ୍ଭାବନା ଦେଖିହାଜୀ ମୋହମ୍ମଦ ମୁସ୍ତାଫା ତାଙ୍କ ଷ୍ଟଲରେ ଖାଦ୍ୟ ବିକ୍ରୟ  ବନ୍ଦ କରିଦେଲେ ଏବଂ ୧୯୬୦ ଦଶକରେ ପିଲା ଓ  ବୟସ୍କମାନଙ୍କ ପାଇଁ ପୋଷାକ ବ୍ୟବସାୟ ଆରମ୍ଭ କଲେ ।  ୧୯୭୧ ମସିହାରେ, ଅହମ୍ମଦ୍‌ ପାରିବାରିକ  ବ୍ୟବସାୟକୁ ବିସ୍ତାର କରି ସିଙ୍ଗାପୁରର ଲିଟିଲ ଇଣ୍ଡିଆ  ପାଖ କ୍ୟାମ୍ପବେଲ୍‌ ଲେନ୍‌ରେ ୫୦୦ ବର୍ଗଫୁଟର ଏକ  ଛୋଟ ଦୋକାନ ଖୋଲିଥିଲେ, ଯେଉଁଠାରେ ପ୍ରସ୍ତୁତ  ପୋଷାକ ବିକ୍ରୟ ହେଲା ଏବଂ ସେ ଏହାର ନାମ ତାଙ୍କ  ବାପାଙ୍କ ନାମରେ ମୋହମ୍ମଦ ମୁସ୍ତାଫା' ରଖିଥିଲେ । 

୧୯୭୩ରେ ହାଜୀ ମୋହମ୍ମଦ ମୁସ୍ତାଫା ଓ ତାଙ୍କ  ଜଣେ ଭାଇ ସମସୁଦ୍ଦିନ୍‌ ମିଶି ଏକ ଭାଗୀଦାରୀ ରୂପେ  ମୋହମ୍ମଦ ମୁସ୍ତାଫା ଏଣ୍ଡ ସମସୁଦ୍ଦିନ କୋ' ନାମକ ଏକ  ହୋଲସେଲ୍‌ ବ୍ୟବସାୟ ଆରମ୍ଭ କରିଥିଲେ । ଏଠାରେ  ପ୍ରଧାନତଃ ପ୍ରସ୍ତୁତ ପୋଷାକ ବିକ୍ରୟ ହେଲା, ପରେ ଏହି  ବ୍ୟବସାୟ ଇଲେକଟ୍ରୋନିକ୍‌ ସାମଗ୍ରୀ ବିକ୍ରୟ ପର୍ଯ୍ୟନ୍ତ  ବିସ୍ତାରିତ ହୋଇଥିଲା ।

୧୯୯୦ ମସିହାରେ ବ୍ୟବସାୟ ବିସ୍ତାର ପାଇଁ  ସେମାନେ ସ୍ୟେଦ୍‌ ଅଲ୍‌ବି ରୋଡରେ ଏକ ଦୋକାନ ଘର  କିଣିଥିଲେ । ପରେ, ସେମାନେ ପାଖପାଖି ଘରଗୁଡିକୁ  ମଧ୍ୟ କିଣିଥିଲେ ଏବଂ ତାଙ୍କ ବ୍ୟବସାୟ ପାଇଁ ଏକ  ନୂଆ ସପିଂ ମଲ୍‌ ନିର୍ମାଣ କରିବାକୁ ସିଦ୍ଧାନ୍ତ ନେଲେ ।  ଶେଷରେ, ୧୯୯୫ ମସିହାରେ ସେହି ଦୋକାନ ବିସ୍ତାର  ହୋଇ ମୁସ୍ତାଫା ସେଣ୍ଟର' ରୂପେ ପରିଣତ ହେଲା ।  ଏହା ହେଉଛି ୭୫,୦୦୦ ବର୍ଗଫୁଟ୍‌ ଆୟତନ ଥିବା ଏକ  ବଡ଼ ବିଭାଗୀୟ ଷ୍ଟୋର, ଯାହାର ୧୩୦ଟି ଘରବିଶିଷ୍ଟ  ଏକ ହୋଟେଲ ମଧ୍ୟ ଅଛି। ମୁସ୍ତାଫା ସେଣ୍ଟର ୨୦୧୧  ମସିହାରେ ପବ୍ଲିକ କମ୍ପାନୀରେ ପରିଣତ ହେଲା ଓ  ୨୦୧୪ ଫେବ୍ରୁଆରୀରେ ପ୍ରଥମ ବଣ୍ଡ୍‌ ବିକ୍ରୟ କରିଥିଲା ।  ୨୦୦୮ ମସିହାରେ ମୁସ୍ତାକ୍‌ ଅହମଦ୍‌ ଫୋର୍ବସ ଦ୍ୱାରା  ପ୍ରକାଶିତ ସିଙ୍ଗାପୁରର ୪୦ଜଣ ସର୍ବାଧିକ ଧନୀ ବ୍ୟକ୍ତିଙ୍କ  ତାଲିକାରେ (ସ୍ଥାନ ୩୮) ଅନ୍ତର୍ଭୁକ୍ତ ହୋଇଥିଲେ ।

ଏହି ଷ୍ଟୋର ଦୁଇଟି ସପିଂ କେନ୍ଦ୍ରରେ ବିଭକ୍ତ:  ଗୋଟିଏ ହେଉଛି ଗହଣା ଓ ଘରୋଇ ସାଧନ ସାମଗ୍ରୀ  ବିକ୍ରୟ ସୁପରମାର୍କେଟ୍‌ ଭାବେ କାର୍ଯ୍ୟରତ ଏବଂ ଅନ୍ୟଟି  ଅନେକ ପ୍ରକାର ପଣ୍ୟ ବିକ୍ରୟ କରେ³ ଯେଉଁଥିରେ  ପୁସ୍ତକ, ଡିଭିଡି, ଘଡ଼ି, ଇଲେକଟ୍ରୋନିକ୍‌ ସାମଗ୍ରୀଜୋତା, ଖେଳନା ଓ ପୋଷାକ ଥାଏ ।

ମୁସ୍ତାଫା ସେଣ୍ଟର ୩୦୦,୦୦୦ରୁ ଅଧିକ ପଣ୍ୟ  ବିକ୍ରୟ କରେ ଏବଂ ବିଭିନ୍ନ ସେବା ଯେପରିକି ବିଦେଶୀ  ମୁଦ୍ରା ପରିବର୍ତ୍ତନ ଏବଂ ଯାତ୍ରା ବ୍ୟବସ୍ଥାପନା ସୁବିଧା  ପ୍ରଦାନ କରେ । ସେହି ସେଣ୍ଟରରେ ଗହଣାଠାରୁ  ଆରମ୍ଭକରି ମାଛ ମାଂସ ଯାଏ ଘରପାଇଁ ଯାହା ଯାହା  ଦରକାର ଯାବତୀୟ ଜିନିଷ ଉପଲବ୍ଧ । ପ୍ରତିଟି ଜିନିଷ  ପ୍ରବଳ ମାତ୍ରାରେ ଉପଲବ୍ଧ । ଯେମିତି ଗହଣା ପୂରା  ଖେମଜୀ ଦୋକାନ ଠାରୁ ଅଧିକ ତାଭିତରେ, ଚପଲଜୋତା ଯେମିତି ଷ୍ଟୋର ଭିତରେ ବିଶାଳ ଷ୍ଟୋର, ସେମିତି  ପ୍ରାୟ ସବୁ ଆଇଟମ । ବ୍ୟବସାୟ ଅନ୍ତର୍ଜାତୀୟ ଭାବରେ  ବିସ୍ତାରିତ ହୋଇ ସଂପ୍ରତି ଚେନ୍ନାଇ (ଭାରତ), ଢାକା  (ବାଙ୍ଗଲାଦେଶ), ମାଲେସିଆ ଓ ଇଣ୍ଡୋନେସିଆ ପହଞ୍ଚି  ସାରିଲାଣି ।

ଅହମ୍ମଦଙ୍କର କୌଣସି ଆନୁଷ୍ଠାନିକ ଶିକ୍ଷା  ନଥିଲା । ସେ ମାତ୍ର ପାଞ୍ଚବର୍ଷ ବୟସରେ ନିଜ  ପିତାଙ୍କ ବ୍ୟବସାୟରେ ଯୋଗ ଦେଇଥିଲେ ।  ପାଞ୍ଚବର୍ଷର ପିଲା ବାପାଙ୍କ କାମରେ ଯୋଗଦେଇ  ବ୍ୟବସାୟକୁ ଏକ ନୂତନ ଦିଶା ଦେଖାଇ ଏତେ  ବିଶାଳ ଷ୍ଟୋରରେ ପରିଣତ କଲେ ଯାହାକୁ  ଦେଖିଲେ ଅବାକ୍‌ ହୋଇଯିବେ । ଏହି କାରଣରୁ  ବେଳେବେଳେ କୁହାଯାଏ- ଆତ୍ମଶିକ୍ଷା ହେଉଛି  ସର୍ବୋତ୍ତମ ଶିକ୍ଷା (Self education is the best education).

ଅଭିନବ ଚିନ୍ତାଧାରା କେବଳ ଧନୀ କିମ୍ବା  ଉଚ୍ଚଶିକ୍ଷିତମାନଙ୍କର ମୁଣ୍ଡରୁ ବାହାରେ ନାହିଁ । ଏହା  ଆରମ୍ଭ ହୁଏ ଜିଜ୍ଞାସା, ନିରୀକ୍ଷଣ ଓ ନୂତନ କିଛି କରିବାର  ସାହସରୁ । ଯଦି ଠିକ୍‌ ଦିଗ୍‌ଦର୍ଶନ, ପ୍ରଶିକ୍ଷଣ ଓ ଟିକେ  ସହଯୋଗ ମିଳେ, ତେବେ ଏକ ସାଧାରଣ ଲୋକଙ୍କ  ଛୋଟ ଧାରଣା ମଧ୍ୟ ଜୀବିକା, ବ୍ୟବସାୟ ଓ ଗର୍ବର  କାରଣ ହୋଇପାରେ । ସ୍ୱୟଂ ରୋଜଗାରର ପଥ ହେଉଛି  ସମ୍ମାନ, ସ୍ୱାଧୀନତା ଓ ସଶକ୍ତିକରଣର ପଥ ।

ଏହି ଚିନ୍ତାଧାରା ଆପଣଙ୍କ ମନରେ କେହି ରୋପଣ  କରିପାରିବେ ନାହିଁ । ଧାରଣାକୁ ଜନ୍ମ ଦେବା, ପୋଷଣ  କରିବା ଓ ତାହାକୁ ବ୍ୟବସାୟରେ ପରିଣତ କରିବା  ତୁମର ନିଜ ଦାୟିତ୍ୱ । ନିଜ ଚିନ୍ତାଧାରାରୁ ଜନ୍ମିଥିବା  ଛୋଟ ଦୋକାନଟିଏ ଦିନେ ବଡ଼ ସଫଳତାରେ ପରିଣତ  ହୋଇପାରେ ।