କଟକ, ୮/୧୦: ରବିବାର ସନ୍ଧ୍ୟାରେ କଟକ ଦରଘାବଜାର ଥାନା ପାଖରେ ହୋଇଥିବା ଗଣ୍ଡଗୋଳରେ ସଂପୃକ୍ତ ଅସାମାଜିକ ତତ୍ତ୍ୱଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏବେ ଯାଞ୍ଚ୍ କରୁଛି । ସାଇବର୍ ଥାନା ପୁଲିସ ଓ କଟକ ସ୍ପେସାଲ୍ ସ୍କ୍ୱାଡ୍ ଟିମ୍ ତନ୍ନତନ୍ନ କରି ଭିଡିଓ ଫୁଟେଜ୍ ଯାଞ୍ଚ ଚଳାଇଛି । ଏକ ସ୍ୱତନ୍ତ୍ର ଏଆଇ ସଫ୍ଟୱେର୍ ବ୍ୟବହାର କରାଯାଇ ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ର ଶହଶହ ଆକାଉଣ୍ଟ୍ ଯାଞ୍ଚ କରାଯାଉଛି ।
ଯେଉଁ ଭିଡିଓରେ ଅସାମାଜିକ ଯୁବକମାନେ ଦୋକାନ ବଜାର ଭାଙ୍ଗୁଛନ୍ତି, ଜାଳୁଛନ୍ତି ଓ ପୁଲିସ ଉପରକୁ ଟେକା ପଥର ମାରୁଛନ୍ତି ସେଭଳି ଭିଡ଼ିଓ ଫୁଟେଜ୍କୁ ପୁଲିସ ଅନୁଧ୍ୟାନ କରି ଦେଖୁଛି । ଉଭୟ ଗଣ୍ଡଗୋଳକାରୀ ଓ ଗଣ୍ଡଗୋଳ ଭିଡିଓ ଅପ୍ଲୋଡ୍ କରି ତାହାକୁ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କୁ ଏସବୁ ଭିଡିଓ, ଆକାଉଣ୍ଟ୍ରୁ ଠାବ କରାଯାଉଛି । କିଛି ଆକାଉଣ୍ଟରୁ ଭିଡିଓ ଡିଲିଟ୍ କରିବା ପାଇଁ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍କୁ ମଧ୍ୟ ପୁଲିସ ଲେଖିଛି । ଏସବୁ ଭିଡିଓ ଯାଞ୍ଚ୍ କରିବା ପରେ ଠୋସ୍ ପ୍ରମାଣ ଆଧାରରେ କିଛି ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିବା ଓ ଅନ୍ୟ କେତେକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଏପରିକି ପ୍ରାୟ ୮୩ ଜଣ ଯୁବକଙ୍କୁ ନେଇ ବିଭିନ୍ନ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।
ସେହିପରି ଗିରଫଦାରୀ ସଂଖ୍ୟା ୨୦ ଟପିବ ବୋଲି ଅସମର୍ଥିତ ସୂତ୍ରରୁ କୁହାଯାଉଛି । କେବଳ ଦରଘାବଜାର ଥାନା ନୁହେଁ, ସହରର ଅନ୍ୟ କେତେକ ଥାନା ସହିତ ସାଇବର ଥାନାରେ ମଧ୍ୟ ଏନେଇ କେସ୍ କରାଯାଉଛି । କୌଣସି ବିଶୃଙ୍ଖଳାକାରୀଙ୍କୁ ଛଡ଼ାଯିବନି ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । ପୁଲିସର ଏଭଳି କସରତ ବିଭିନ୍ନ ଗୋଷ୍ଠୀ ଭିତରେ ଭୟ ଖେଳାଇବା ପରେ କିଛି ଗଣ୍ଡଗୋଳକାରୀ ଅଣ୍ଡର୍ଗ୍ରାଉଣ୍ଡ୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।