ମୁମ୍ବାଇ, ୦୧/୧୧: ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ  ବିମାନବନ୍ଦରରୁ ଡିଆରଆଇ  (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ)  ମୁମ୍ବାଇ ଜୋନାଲ ଅଫିସ ପକ୍ଷରୁ  ଜଣେ ବିମାନଯାତ୍ରୀଙ୍କ ନିକଟରୁ  ୪.୭ କିଲୋଗ୍ରାମ କୋକେନ ଜବତ  କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ  ୪୭ କୋଟି ଟଙ୍କା ହେବ ।

ଜଣେ  ଅଧିକାରୀଙ୍କ କହିବାନୁଯାୟୀ କଲମ୍ବୋରୁ  ଜଣେ ମହିଳା ଯାତ୍ରୀ ବିପୁଳ ପରିମାଣର ଡ୍ରଗ୍ସ ଧରି ଆସୁଥିବା ନେଇ ଖବର  ମିଳିଥିଲା । ସମ୍ପୃକ୍ତ ମହିଳା ଯାତ୍ରୀଙ୍କ  ବ୍ୟାଗ ଯାଞ୍ଚ କରାଯିବାରୁ ତା ଭିତରେ  ୯ଟି କଫି ପ୍ୟାକେଟ ରହିଥିଲା । ସେହି  କଫି ପ୍ୟାକେଟ ଭିତରେ କିଛି ଧଳା  ପାଉଡର ଭଳି ସାମଗ୍ରୀ ରଖାଯାଇଥିବା  ଜଣାପଡିଥିଲା । ସେହି ପାଉଡରକୁ  ଜବତ କରି ପରୀକ୍ଷା କରାଯିବାରୁ ତାହା  କୋକେନ ବୋଲି ଜଣାପଡିଥିଲା । ଉକ୍ତ  ମହିଳା ଯାତ୍ରୀଙ୍କୁ ଧରି ପଚରାଉଚୁରା  କରାଯିବା ପରେ ଆଉ ୪ ଜଣଙ୍କୁ ଗିରଫ  କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ଏହି  ଡ୍ରଗ୍ସକୁ ବିଭିନ୍ନ ସ୍ଥାନକୁ ପଠାଉଥିଲେ ।