ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ପ୍ରଦୁଷଣଯୁକ୍ତ ବାୟୁ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗାଡିବାରେ ଲାଗିଛି। ନିକଟରେ ଏକ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସରକଲ ଦ୍ୱାରା ହୋଇଥିବା ସର୍ଭେରେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଏହି ସର୍ଭେରେ ଭାଗନେଇଥିବା ଅନେକ ଲୋକ ବର୍ତ୍ତମାନ ଅନେକ ପ୍ରକାର ଶ୍ୱାସ ଜନିତ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ତଥ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରୁ ଦିଲ୍ଲୀ ପବନରେ ରହିଥିବା କ୍ଷତିକାରକ ତତ୍ତ୍ୱ ଧିରେଧିରେ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗାଡିବାରେ ଲାଗିଛି ବୋଲି ଅନିମାନ କରାଯାଉଛି।
ଏହି ସର୍ଭେରେ ଦିଲ୍ଲୀ, ଗୁରୁଗ୍ରାମ, ନୋଇଡା, ଫରିଦାବାଦ ଓ ଗାଜିଆବାଦରୁ ୧୫ ହଜାରରୁ ଅଧିକ ଲୋକ ଭାଗନେଇଥିଲେ। ତେବେ ଏଥିରେ ଲୋକମାନେ ଦେଇଥିବା ପ୍ରତିକ୍ରିୟା ଦିଲ୍ଲୀର ସାଂଘାତିକ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବାରେ ଲାଗିଛି। ଏହି ସର୍ଭେରେ ଭାଗ ନେଇଥିବା ପ୍ରାୟ ୫୬ ପ୍ରତିଶତ ଲୋକ ସେପ୍ଚେମ୍ୱର ଶେଷରେ ସେମାନଙ୍କ ପରିବାରରେ ଅଧିକ ଲୋକ ଅସୁସ୍ଥ ହେଉଥିବା ନେଇ ସୂଚନା ଦେଇଥିଲେ। ଯାହା ବର୍ତ୍ତମାନ ପ୍ରାୟ ୭୫ ପ୍ରତିଶତ ଅଙ୍କ ପାର କରିସାରିଲାଣି।
ଦିଲ୍ଲୀର ଥିବା ବିଭିନ୍ନ ହସପିଟାଲର ଡାକ୍ତରମାନେ ବର୍ତ୍ତମାନ H3N2 ଇନଫ୍ଲୁଏନ୍ଜା ଓ ଭାଇରାଲ ଫିବର ରୋଗିଙ୍କ ସଂଖ୍ୟା ବଡୁଥିବା ନେଇ ଚେତାବନି ଜାରି କରିଛନ୍ତି। ତେବେ ଏହି ରୋଗରେ ପୀଡିତ ଲୋକମାନଙ୍କର ଗମ୍ଭୀର ଭାବରେ ଗଳା ସଂକ୍ରମଣରେ ଆକ୍ରାନ୍ତ ହେବା ସହ ଲୋକମାନେ ବହୁ ଜଲଦି ଥକିଯାଉଥିବା ଦେଖିବାକୁ ମିଳିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ସାଧାରଣ ରୋଗରୁ ମୁକ୍ତି ପାଇବା ପାଇଁ ୧୦ ଦିନରୁ ଅଧିକ ସମୟ ଲାଗୁଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି।
ଏହି ସଂକ୍ରମଣ ଅଧିକ ପରିମାଣରେ ଶିଶୁ ଓ ବୟୋଜ୍ୟେଷ୍ଠ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି ସଂକ୍ରମଣରେ ଦେହରେ ତାତି ବଢିଯିବା ସହ ବାରମ୍ୱାର ଛିଙ୍କ ଆସିବାରେ ଲାଗୁଛି। ଯାହା ଆକ୍ରନ୍ତମାନଙ୍କୁ ଅସ୍ତବ୍ୟସ୍ତ କରିପକାଉଛି।
ଦୀପାବଳି ଯିବା ପରେ ମଧ୍ୟ ଦିଲ୍ଲୀର ବାୟୁ ସୂଚକାଙ୍କରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିପାରୁନାହିଁ। କାରଣ ବାୟୁର AQI ମାନ ୪୦୦ରୁ ୫୦୦ ମଧ୍ୟରେ ରହୁଛି। ଦିଲ୍ଲୀର ବାୟୁରେ ବହୁଳ ପରିମାଣରେ ବାଣଫୁଟା ଧୁଆଁ, ପଡୋଶି ରାଜ୍ୟମାନଙ୍କର ନଡା ଜାଳିବା ଧୂଆଁ ସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ହେଉଥିବା ପ୍ରଦୁଷଣର ଅଂଶ ମିଶି ରହିଛି। ଯାହା ଲୋକଙ୍କ ପାଇଁ ଏକ ଘାତକ ପରିସ୍ଥିତି ସୃଷ୍ଟି କରିଛି।