ଭୁବନେଶ୍ୱର,୧୯/୧୦: ଦର ଲକ୍ଷେ ୩୦ ହଜାର ଉପରେ । ତଥାପି ଧନ୍ତେରାସ୍ରେ ସୁନା କିଣାରୁ ଦୂରେଇ ନାହାନ୍ତି ଗ୍ରାହକ । ଭରିଏ ଜାଗାରେ ଗୋଟିଏ ଗ୍ରାମରେ କାମ ଚଳାଇଛନ୍ତି ସତ କିନ୍ତୁ ଘରକୁ ସୁନା କିଣି ନେଇଛନ୍ତି ରାଜ୍ୟବାସୀ । ଏ ପର୍ବରେ ସୁନା କିମ୍ବା ରୁପା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି କେଉଁ କାଳରୁ ବିଶ୍ୱାସ ରହିଆସିଛି । ଏହି ବିଶ୍ୱାସ ଯୋଗୁ ଧନ୍ତେରାସ୍ ବଜାରକୁ ମାନ୍ଦା କରିପାରିନାହିଁ ଚଢ଼ା ଦର । ଗତକାଲି ସକାଳ ୮ଟା ପରେ ସୋ’ରୁମ୍ଗୁଡ଼ିକ ଖୋଲିଯାଇଥିଲା । ଭଲ ପାଗ ଏବଂ ସପ୍ତାହାନ୍ତ ହୋଇଥିବାରୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଚଢ଼ା ଦରରେ ବି ଭିଡ଼ ଜୋର ରହିଥିଲା । ତା’ସହିତ ଗତକାଲି ଦର ମଧ୍ୟ କିଛି ମାତ୍ରାରେ ଖସିଛି । ୧୦ ଗ୍ରାମ ପିଛା ସୁନା ପାଖାପାଖି ୨,୦୦୦ ଟଙ୍କା ଏବଂ କିଲୋ ପିଛା ରୁପା ୧୩,୦୦୦ ଟଙ୍କା ଶସ୍ତା ହୋଇଛି । କିଏ ବିବାହ ପାଇଁ ତ କିଏ ନିବେଶ ଉଦ୍ଦେଶ୍ୟରେ ସୁନା କିଣିଛନ୍ତି । ଅଧିକାଂଶ ଗ୍ରାହକ ହାଲୁକା ଗହଣା କିଣି ଧନ୍ତେରାସ ପର୍ବକୁ ପାଳିଛନ୍ତି । ଏହିଭଳି ଭାବେ ଗତକାଲି ରାଜ୍ୟରେ ବିକ୍ରି ହୋଇଛି ୨୫୦ କୋଟି ଟଙ୍କାର ସୁନା ଆଉ ରୁପା ଗହଣା । ଏଥର ଉଭୟ ଧାତୁ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଛି ।
୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଲକ୍ଷେ ୨୦ ହଜାର । ଏହା ସତ୍ତେ୍ୱ ଚଳିତ ବର୍ଷ ଧନ୍ତେରାସ୍ରେ ଭଲ ବେପାର ହୋଇଛି । ଉଚ୍ଚ ଦର ଯୋଗୁ ଲୋକଙ୍କୁ ଟାଣିବାକୁ ସୋ’ରୁମ୍ଗୁଡ଼ିକ ଆଣିଛନ୍ତି ଲୋଭନୀୟ ଅଫର । ଗଢ଼ା ମଜୁରିରେ ରହିଛି ଆଖିଦୃଶିଆ ରିହାତି । ଟ୍ରେଣ୍ଡ୍ରେ ହାଲୁକା ଗହଣା । କମ୍ ଓଜନରେ ଆସିଛି ଭଳିକି ଭଳି ଡିଜାଇନ୍ । ଲାଲଚାନ୍ଦ ଜୁଏଲର୍ସର ଅଧ୍ୟକ୍ଷ ଡ. ସଞ୍ଜୟ ହଂସ କହିଛନ୍ତି, ଚଳିତ ବର୍ଷ ଧନତେରାସରେ ଆମର ସମସ୍ତ ସୋ’ରୁମରେ ପ୍ରଦର୍ଶନ ଆଶାନୁରୂପ ରହିଛି । ଗ୍ରାହକଙ୍କ ଉତ୍ସାହଜନକ ସମାଗମ ଦେଖିବାକୁ ମିଳିଛି । ସବୁଠାରୁ କମ୍ ମେକିଂ ଚାର୍ଜ ଏବଂ ଆକର୍ଷଣୀୟ ଉପହାର ଯୋଗୁ ଗ୍ରାହକ ସୋ’ରୁମ ଆସିବା ସହ କିଣାକିଣି କରୁଛନ୍ତି । ସୁନା ଦର ବଢ଼ିଲେ ମଧ୍ୟ ହାଲୁକା ଗହଣା କିଣିବାକୁ ବେଶ ପସନ୍ଦ କରୁଛନ୍ତି । ନିବେଶ ଦୃଷ୍ଟିରୁ ଲୋକେ ସୁନା କିଣୁଥିବା ଦେଖାଯାଉଛି । ଏମ୍ଏମ୍ଟିସି ପାମ୍ପ ସୁନାର ଅଧିକୃତ ବିକ୍ରେତା ଭାବେ ଆମେ ସୁନା ମୁଦ୍ରାର ଶୁଦ୍ଧତା, ବିଶ୍ୱସନୀୟତା ଓ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରୁଛୁ । ସୁନା ଦରରେ ଐତିହାସିକ ରେକର୍ଡ ଦେଖାଯାଇଛି । ଏଥିରେ ନିବେଶ କରିବା ବୁଦ୍ଧିମତା ପାଲଟିଛି । ଅନେକ ପରିବାର ବିବାହକୁ ନଜରରେ ରଖି ଗହଣା କିଣୁଛନ୍ତି । ଧନ୍ତେରାସ ଓ ଦୀପାବଳିକୁ ନଜରରେ ରଖି ଗୃହିଣୀଙ୍କଠାରୁ କର୍ମଜୀବିଙ୍କ ପାଇଁ ବିସ୍ତୃତ ବର୍ଗର ଗହଣା ସହ ଆମେ ପ୍ରସ୍ତୁତ ରହିଛୁ । ହାର୍, ବ୍ରେସ୍ଲେଟ, ଚେନ, ମୁଦି, କାନଫୁଲରେ ପରମ୍ପରା ଏବଂ ଆଧୁନିକ ସୌନ୍ଦର୍ଯ୍ୟର ମିଶ୍ରଣ ରହିଛି । ଗ୍ରାହକଙ୍କ ଭଲପାଇବା ଏବଂ ବିଶ୍ୱାସ ଯୋଗୁ ଧନତେରାସରେ ରେକର୍ଡ ବିକ୍ରି ହାସଲ କରିଛୁ ।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ଧନତେରାସ ଏଥର ୨ ଦିନ ପାଳନ ହେଉଛି । ଶନିବାର ସୋ’ରୁମ ୮.୩୦ରୁ ଖୋଲିଥିଲା । ରାତି ୧୦ଟା ଯାଏ ଲୋକେ କିଣାକିଣି କରିଥିଲେ । ଗତବର୍ଷ ତୁଳନାରେ ସୁନା ଦର ପ୍ରାୟ ୬୦% ବଢ଼ିଛି । ତେବେ ଦର ବୃଦ୍ଧି ସତ୍ତେ୍ୱ ମଧ୍ୟ ଭଲ ରେସପନ୍ସ ପାଇଛୁ । ଶୁକ୍ରବାର ତୁଳନାରେ ଶନିବାର ସୁନା ଦର ୧୭୫୦ ଟଙ୍କା କମିଛି । ଲୋକେ ହାଲୁକା ଗହଣା କିଣାକୁ ପସନ୍ଦ କରୁଛନ୍ତି । ଆଗୁଆ ବୁକିଂ କରୁଥିବା ଗ୍ରାହକମାନେ ଆଜି ଗହଣା ଡେଲିଭରି ନେଇଛନ୍ତି । ରବିବାର ମଧ୍ୟ କିଛି ଗ୍ରାହକ ଡେଲିଭରି ନେବେ । ରବିବାର ସୋ’ରୁମ ୯.୩୦ରୁ ଖୋଲା ରହିବ । ଆମେ ବିଭିନ୍ନ ଅଫର ସହ ସୁନା ଗହଣା ଗଢ଼ା ମଜୁରୀ ଉପରେ ୩୦% ଯାଏ ରିହାତି ଦେଉଛୁ । ଚଳିତ ମାସ ୩୦ ଯାଏ ଗ୍ରାହକ ଏହି ଅଫରର ଲାଭ ଉଠାଇପାରିବେ । ଫାଇନାନ୍ସିଆଲ ଆଡଭାଇଜରୀ କମ୍ପାନି ୱାଲେଟ ଫର୍ ୱେଲଥର ଏମ୍ଡି ତ୍ରିନାଥ ଲେଙ୍କା କହିଛନ୍ତି, ଧନ୍ତେରାସରେ ସୁନା କିଣା ପରମ୍ପରା ଥିବାରୁ ଏହିଦିନ ସୁନା କିଣାକୁ ନେଇ କ୍ରେଜ୍ ରହୁଛି । ଏହିଦିନ ସୁନା କିଣିବା ଏବେ ଫ୍ୟାସନ ହୋଇଗଲାଣି । ଯୁଦ୍ଧ ଏବଂ ଅନିଶ୍ଚିତତା ସ୍ଥିତିରେ ଲୋକେ ସୁନାକୁ ସୁରକ୍ଷିତ ନିବେଶ ଭାବି ଏଥିରେ ନିବେଶ କରୁଛନ୍ତି । ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ବଢ଼ାଇଥିବାରୁ ଏହାର ଦର ଉଭୟ ଘରୋଇ ବଜାର ଏବଂ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଛୁଇଁଛି । ଗତ ବର୍ଷେ ହେବ ସୁନା ଦର ବଡ଼ ଆକାରରେ ବଢ଼ିଛି । ଦେଶର ମହିଳାମାନେ ସୁନା କିଣାକୁ ପ୍ରାଥମିକତା ଦେଉଛନ୍ତି । ସୁନା ଇଟିଏଫ୍ରେ ନିବେଶ ବଢ଼ୁଛି । ତେବେ ସାଧାରଣ ଲୋକେ ବର୍ଦ୍ଧିତ ଦରରେ ସୁନା କିଣିବା କଷ୍ଟକର ହୋଇପଡ଼ୁଛି । ଏଭଳି ସ୍ଥିତିରେ ନିଜ ବଜେଟ ବାହାରକୁ ନ ଗଲେ ଲୋକେ ଡେଟ୍ ଟ୍ରାପ୍ରେ ଫସିବେ ନାହିଁ । ଲୋକେ ପ୍ଲାଟିନମ ଜୁଏଲେରୀକୁ ମଧ୍ୟ ବିକଳ୍ପ ଭାବେ ଗ୍ରହଣ କରିପାରିବେ ।