ଭୁବନେଶ୍ୱର, ୮/୧୦ (ଚାନ୍ଦିନୀ ମହାପାତ୍ର): ମୁଁ ସାରା ରାତି ଉଜାଗର ଜାଗର, ତୁମେ ବ୍ୟସ୍ତ ବହୁଳ ଦଶହରା ବଜାର... ପ୍ରେମରେ ତ ସମସ୍ତେ ଫୁଲ ଦିଅନ୍ତି, ତୁମେ ମୋତେ ପତ୍ରଟିଏ ଦବ । ଠିକଣାରେ ହୃଦୟ ଆଉ ମାର୍ଫତରେ ମୋ ଯା’ ଆସ ବାଟ ବାଛିବ । ବିଷୟର ନାଁ ପ୍ରେମ ନୁହେଁ, ପ୍ରତିଶ୍ରୁତି ଦେବ... । କୌଣସି ପ୍ରେମପତ୍ରର ଏ ଲେଖା ନୁହେଁ । ସାମାଜିକ ଗଣମାଧ୍ୟମରେ ଓଡ଼ିଆ ସାହିତ୍ୟର ସୁନ୍ଦରତାକୁ ଲୋକଲୋଚନକୁ ଆଣୁଥିବା କେତେକ ଯୁବ ସାହିତ୍ୟକଙ୍କ ଲେଖା । ଯାହା ଆଜିର ଯୁବପିଢିଙ୍କୁ ବେଶ୍ ପସନ୍ଦ ଆସୁଛି । ଏହାଦ୍ୱାରା ଓଡ଼ିଆ ସାହିତ୍ୟର କେବଳ ପ୍ରଚାର ପ୍ରସାର ହେଉନି ବରଂ ଯୁବ ଲେଖକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି ।
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବହିଟିଏ ପଢିବା ଯୁବପିଢିଙ୍କ ପାଇଁ କଷ୍ଟକର କଥା । ନା ସେମାନଙ୍କ ପାଖରେ ସମୟ ଅଛି ନା ଅଛି ଧୈର୍ଯ୍ୟ । ଏହାକୁ ଲକ୍ଷ୍ୟକରି ଅନେକ ଯୁବ ସାହିତ୍ୟିକ ଏବେ ନିଜର ତଥା ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଲେଖକଙ୍କ ଲେଖାକୁ ଭିନ୍ନ ଢଙ୍ଗରେ ରିଲ୍ସ ଏବଂ ଛୋଟ ଭିଡିଓ ମାଧ୍ୟମରେ ପରିବେଷଣ କରୁଛନ୍ତି । ଯେଉଁଥିରେ କବିତାକୁ ସୁହାଇଲା ଭଳି ଫଟୋ, ବ୍ୟାକ୍ଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଭଏସ୍ ଓଭର ରହୁଛି । ଏହାକୁ ଶୁଣିବା ପାଇଁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ଏମିତିକି ଅନେକ ଯୁବପିଢି କବିତା ଓ ଗଳ୍ପ ଦ୍ୱାରା ପ୍ରଭାବିତ ହୋଇ ଓଡ଼ିଆ ପୁସ୍ତକ ପଢିବା ଆରମ୍ଭ କରିଦେଲେଣି । ରୋମାଣ୍ଟିକ ଗପ, କବିତା, ବାପା, ମା’, ଗାଁ, ଓଡ଼ିଆ ପର୍ବପର୍ବାଣୀ ସମ୍ପର୍କିତ ଲେଖା ଚର୍ଚ୍ଚା ହେଉଛି । ଭାଇରାଲ୍ ହେଉଥିବା କବିତା ମଧ୍ୟରେ ରହିଛି କବି ମାୟାଧର ମାନସିଂହଙ୍କ କବିତାର କେଇଧାଡ଼ି ‘ସକଳେ ଡାକନ୍ତି ତମେ ତମେ ବୋଲି, ସେ ତମେର ମୂଲ ନାହିଁ, ତମେ ଯେବେ ମତେ ତମେ ବୋଲି କହ ଏତେ ମିଠା କାହିଁ ପାଇଁ..ଏତେ ମିଠା କାହିଁ ପାଇଁ । ଏହାବାଦ୍ ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’, କବି ରମାକାନ୍ତ ରଥଙ୍କର ‘ଶ୍ରୀରାଧା’, କବି ବିଭୂତି ପଟ୍ଟନାୟକଙ୍କର ‘ପ୍ରେମିକା’.... ଭଳି ଅନେକ ରଚନାକୁ ଏବର ଯୁବପିଢି ସେମାନଙ୍କ ମନୋରଞ୍ଜନ ତାଲିକାରେ ଯୋଡ଼ିବା ଆରମ୍ଭ କରିଦେଲେଣି।
ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ହେବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ଯୁବ ସାହିତ୍ୟିକମାନେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି । ଆଉ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କ ହୃଦୟରେ ଛାଡ଼ୁଛନ୍ତି ନିଜର ଏକ ସ୍ୱତନ୍ତ୍ର ଛାପ । ଏହାବାଦ୍ ଏହି ସାହିତ୍ୟିକମାନେ ବିଭିନ୍ନ ପୁସ୍ତକ ସମୀକ୍ଷା ଓ ବିଜ୍ଞାପନ ମାଧ୍ୟମରେ ବେଶ୍ ଭଲ ରୋଜଗାର କରିପାରିବାର ମଧ୍ୟ ସୁଯୋଗ ରହୁଛି । ବର୍ତ୍ତମାନ ଅନେକ ବ୍ୟକ୍ତିବିଶେଷ ଏମାନଙ୍କଠୁ ଅନୁପ୍ରାଣିତ ହୋଇ କବିତା ଲେଖିବା ବି ଆରମ୍ଭ କରିଦେଲେଣି ।
ସାହିତ୍ୟ ଯେଉଁଠି ଆସେ ବିଶ୍ରାମ ନିଏ
ସାମାଜିକ ଗଣମାଧ୍ୟମରେ ତାଙ୍କୁ ‘ଉତ୍କଳ କନ୍ୟା’ ଭାବେ ଅନେକେ ଜାଣନ୍ତି । ଘର ବାଲେଶ୍ୱର । ଅଳ୍ପ ବୟସରେ ସାହିତ୍ୟ ପରିବେଷଣ କରୁଥିବା ଶୈଳୀ ଯୋଗୁଁ ସେ ପରିଚିତି ଲାଭ କରିଛନ୍ତି । ସେ କୁହନ୍ତି, ସାହିତ୍ୟ ମୋର ରୁଚି । ସାହିତ୍ୟକୁ ଛାଡ଼ିଦେଲ ଅନ୍ୟ ସବୁକିଛି ମୋ ପାଇଁ ଗୋଟେ ଦୌଡ଼ ପ୍ରତିଯୋଗିତା ଭଳି । ଆଉ ସାହିତ୍ୟ ଯେଉଁଠି ଆସେ ମୁଁ ଘଡ଼ିଏ ବିଶ୍ରାମ ନେବା ପାଇଁ ବସିଯାଏ । ପିଲାବେଳୁ ସାହିତ୍ୟ ପ୍ରତି ଦୁର୍ବଳତା ଥିଲା, ହେଲେ ୨୦୨୩ ମସିହାଠୁ ଏଭଳି ଲେଖିବା ଆରମ୍ଭ କଲି । ମୋ ସାଙ୍ଗମାନଙ୍କ ଭିତରେ ଅନୁଭବ କଲି ଯେ, ସେମାନଙ୍କୁ ପଢିବାକୁ ସମୟ ନାହିଁ । କିନ୍ତୁ ଯେତେବେଳେ ମୁଁ କିଛି ଓଡ଼ିଆ ଲେଖା ଶୁଣାଏ ସେମାନେ ବସି ଶୁଣନ୍ତି । ମୋତେ ଲାଗିଲା ମୋ ପ୍ରିୟ ସାଙ୍ଗମାନଙ୍କ କ୍ଷେତ୍ରରେ ଯଦି ଏମିତି ବ୍ୟବହାର ଦେଖାଯାଉଛି, ତେବେ ମୋ ବୟସର ପିଲା ବହୁତ କମ୍ ଜଣ ବହି ପଢୁଥିବେ । ଏହାକୁ ଲକ୍ଷ୍ୟକରି ମୁଁ ଇନ୍ଷ୍ଟାଗ୍ରାମ୍ରେ ବିଭିନ୍ନ ଲେଖକ ତଥା ମୋର କିଛି ଲେଖାକୁ ରିଲ୍ସ ମାଧ୍ୟମରେ ପୋଷ୍ଟ କରିବା ଆରମ୍ଭ କରିଥିଲି । ଯାହା ଆଜି ମୋତେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।
ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ବି.ଟେକ୍ ଛାତ୍ରୀ
ସରଳ ଭାଷାରେ ଜଟିଳ ଭାବନା ପରସେ
୨୯ ବର୍ଷୀୟ ଯୁବକ ଶିବସୁନ୍ଦର । ଘର କଟକ । ବୃତ୍ତିରେ ବ୍ୟବସାୟୀ । ମାତ୍ର ସାହିତ୍ୟ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସାହିତ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଛୋଟ ଛୋଟ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିନ୍ତି ଶିବସୁନ୍ଦର । ଯାହାର ଚାହିଦା ଯୁବପିଢିଙ୍କ ଭିତରେ ବେଶ୍ ଅଧିକ । ସେ କହନ୍ତି ସାହିତ୍ୟକୁ ବୃତ୍ତି ଅପେକ୍ଷା ଜୀବନ ଭାବେ ଗ୍ରହଣ କରିବା ଅଧିକ ଶ୍ରେୟସ୍କର । ସାହିତ୍ୟର ଗୋଟିଏ ଧାଡ଼ିବି ଜୀବନ ବଦଳାଇବାର ସାମର୍ଥ୍ୟ ରଖେ । ଅଳଙ୍କାର ସୁନ୍ଦର ହେବା ଦରକାର ଓଜନିଆ ନୁହେଁ, ଅତଏବ ମୁଁ କଠିନ ଶବ୍ଦ ନୁହେଁ ବରଂ ସରଳ ଭାଷାରେ ଜଟିଳ ଭାବନା ପରସିବାକୁ ଚେଷ୍ଟାକରେ । ଏଥିସହିତ ବର୍ତ୍ତମାନର ପିଲାମାନେ ଆଗ୍ରହ ପ୍ରକାଶ କରୁଥିବା ପ୍ରେମ ପ୍ରସଙ୍ଗ, ବିଭିନ୍ନ ପର୍ବପର୍ବାଣୀ, ପରମ୍ପରା, ପିଲାବେଳ କଥା ଭଳି ବିଷୟରେ ଭିଡ଼ିଓରେ ଉଲ୍ଲେଖ କରିଥାଏ । ଯାହାକୁ ଶୁଣି ଜଣେ ଯେମିତି ତା’ ଜୀବନ ସହିତ ରିଲେଟ୍ କରିପାରିବ । ପୂର୍ବରୁ ଯେଉଁଠି ପୁସ୍ତକଟିଏ ଠିକ୍ ଭାବେ ପ୍ରଚାର ପ୍ରସାର ହୋଇପାରୁନଥିଲା ଏବେ ସାମଜିକ ଗଣମାଧ୍ୟମ ଦ୍ୱାରା ଅଧିକ ହେଉଛି । ପାଠକ ଓଡ଼ିଆ ପୁସ୍ତକ ପଢୁଛନ୍ତି ଓ କିଣୁଛନ୍ତି ।