ନୂଆଦିଲ୍ଲୀ: ଗୁରୁବାର ଦିନ ପଶ୍ଚିମ ନେପାଳର ସୁଦୁରପଶ୍ଚିମ ପ୍ରଦେଶରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଘଟଣା ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିପାରିନାହିଁ, କିନ୍ତୁ ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଗତ ମାସରେ ମଧ୍ୟ ନେପାଳରେ ଅନେକ ଥର ଭୂମିକମ୍ପ ଅନୁଭୁତ ହୋଇଥିଲା।
ଜାତୀୟ ଭୂମିକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଏହି ଭୂମିକମ୍ପକୁ ରାତି ପ୍ରାୟ ୧ଟା ୦୮ରେ ରେକର୍ଡ କରାଯାଇଥିଲା। ଯାହାର କେନ୍ଦ୍ରସ୍ଥଳ ବଝାଙ୍ଗ ଜିଲ୍ଲାର ଦାନ୍ତୋଲା ଅଞ୍ଚଳରେ ଥିଲା। ବଝାଙ୍ଗ ଜିଲ୍ଲା କାଠମାଣ୍ଡୁରୁ ପ୍ରାୟ ୪୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ। ପଡ଼ୋଶୀ ଜିଲ୍ଲା ବାଜୁରା, ବୈତାଡି ଏବଂ ଦାର୍ଚୁଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପରେ ହୋଇଥିବା କୌଣସି କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ମିଳିପାରିନାହିଁ। ନେପାଳ ସବୁଠାରୁ ସକ୍ରିୟ ଟେକ୍ଟୋନିକ୍ ଜୋନ୍ (ଭୂମିକମ୍ପ ଜୋନ୍ IV ଏବଂ V) ମଧ୍ୟରୁ ଗୋଟିଏରେ ଅବସ୍ଥିତ। ଯାହା ଏହି ଅଞ୍ଚଳକୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ। ପ୍ରତିବର୍ଷ ଏଠାରେ ଅନେକ ଭୂମିକମ୍ପ ଅନୁଭୂତ ହୋଇଥାଏ।
ଆପଣଙ୍କୁ ଜଣାଇରଖୁ ଯେ, ପୃଥିବୀ ଭିତରେ ସାତଟି ପ୍ଲେଟ୍ ଅଛି, ଯାହା ନିରନ୍ତର ଭାବେ ଘୂର୍ଣ୍ଣନ ଜାରି ରଖିଛି। ଏହି ପ୍ଲେଟ୍ଗୁଡ଼ିକ ଯେଉଁ ସ୍ଥାନରେ ସର୍ବାଧିକ ଧକ୍କା ଖାଆନ୍ତି ସେହି ଅଞ୍ଚଳକୁ ଫଲ୍ଟ ଲାଇନ କୁହାଯାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟ୍ଗୁଡ଼ିକର କୋଣ ବଙ୍କା ହୋଇଯାଏ। ଯେତେବେଳେ ଏହି ପ୍ଲେଟ ଚଳନ ଯୋଗୁଁ ଅତ୍ୟଧିକ ଚାପ ସୃଷ୍ଟି ହୁଏ, ସେତେବେଳେ ପ୍ଲେଟ୍ଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କରେ। ତେବେ ଏହା ମଧ୍ୟରେ ତଳେ ଥିବା ଶକ୍ତି ଖସିଯିବାର ରାସ୍ତା ଖୋଜେ, ଏବଂ ଏହି ଅସ୍ଥିରତା ଭୂମିକମ୍ପ ସୃଷ୍ଟି କରିଥାଏ।