ଭଞ୍ଜନଗର, ୧/୧୧ : ଥମୁନି ହାତୀ ମଣିଷ ଲଢେଇ, ସଂରକ୍ଷିତ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ। ଶନିବାର ସକାଳେ​​​​​​​ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବାଇବାଲି ସେକ୍ସନ ବାଣିଆପଲ୍ଲୀ ସଂରକ୍ଷିତ ଜଙ୍ଗଲର ଭାଗ -୬ ରୁ ବନ ବିଭାଗ ଏକ ଦନ୍ତା ହାତୀର ମୃତଦେହ ଠାବ କରିଛି। ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଉଛନ୍ତି। ସେହିପରି ବ୍ରହ୍ମପୁରରୁ ଆରସିସିଏଫ ମଧ୍ୟ ଘଟଣାସ୍ଥଳକୁ ଆସୁଥିବା ଜଣାପଡିଛି।  

ଦନ୍ତା ହାତୀଟିର ଦୁଇ ତଳେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବାଣିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏବେ ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାଶ ବସାଉଛନ୍ତି। ଏଥିରେ ଲାଗି ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅପରାହ୍ନରେ ଜେଟିଏଫ ଟିମ୍ ଭୁବନେଶରରୁ ଆସି ପହଞ୍ଚିବା ପରେ ହାତୀଟିର ବ୍ୟବଚ୍ଛେଦ କରାଯିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଜାଗଡ ରେଞ୍ଜର ବାଲାଟୁନ ଠାରେ ଏକ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି।