ବିଶ୍ରା, ୮/୧୦ : ବଦଳୁଛି ପାଣିପାଗ । ବିଗୁଡ଼ୁଛି ପରିବେଶ ସନ୍ତୁଳନ । ବଢୁଥିବା ଜନସଂଖ୍ୟା ଅନୁପାତରେ ଫସଲ ଉତ୍ପାଦନ କରିବାକୁ ଜମିରେ ମାତ୍ରାଧିକ ରାସାୟନିକ ସାର ବ୍ୟବହାର କରାଯାଉଛି । ଏହାର ପରିଣାମ ଭୟାବହ ହେଲାଣି । ମୃତ୍ତିକାରେ ଅମ୍ଳତା ବଢିବା ସାଙ୍ଗକୁ ଚାଷ ଜମି ଉର୍ବରତା ହରାଉଛି । କେବଳ ଏତିକି ନୁହେଁ ଜମିର ଜୈବ ବିବିଧତା, ପରିସଂସ୍ଥା ମଧ୍ୟ ପ୍ରଭାବିତ ହେଉଛି । ବର୍ଷାଦିନେ ପ୍ରଚୁର ମାତ୍ରାରେ ମିଳୁଥିବା ବିଲ କଙ୍କଡ଼ା ଏବଂ ଦେଶୀ ଚୁନା ମାଛ ବିଲୁପ୍ତ ଅବସ୍ଥାକୁ ଆସିଗଲେଣି । ଗତ ଦୁଇଦଶନ୍ଧି ମଧ୍ୟରେ କଙ୍କଡ଼ା ଓ ମାଛ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ।
ବିଶ୍ରା ବ୍ଲକର ଅଧିକାଂଶ ଜମିରେ ଅମ୍ଳତା ପରିମାଣ ୭୦ ପ୍ରତିଶତ ଟପିଛି । ଏହାର ପ୍ରମୁଖ କାରଣ ଜୈବିକ ସାର ପରିବର୍ତ୍ତେ ମାତ୍ରାଧିକ ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାର ବୋଲି କୁହାଯାଉଛି । ଚାଷରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ମଧ୍ୟ ଏହାର ଆଉ ଏକ କାରଣ ବୋଲି କୁହାଯାଉଛି । ଚାଷୀଙ୍କ କହିବା କଥା, ଜମିରେ ଊଠୁଥିବା ଅନାବନା ଘାସକୁ ହାତରେ ବାଛିବା କମିଗଲାଣି । ଘାସମରା ଔଷଧରେ ଘାସ ମୂଳୋତ୍ପାଟନ କରାଯାଉଛି । ଏହା ଯଦିଓ ସାମୟିକ ସମସ୍ୟାର ସମାଧାନ କରିଦେଉଛି । ହେଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି । ଘାସମରା ଔଷଧ ଚାଷୀଙ୍କ ବନ୍ଧୁ କୁହାଯାଉଥିବା ଜିଆବଂଶକୁ ଲୋପ କରିବାକୁ ବସିଲାଣି । ଦିନ ଥିଲା ଧାନ ବିଲରୁ ପ୍ରଚୁର କଙ୍କଡ଼ା, ମାଗୁର, ଲଇର, ଗେଟୁ, ବାମ୍ବି, ଗେରସା ଭଳି ଭଳିକି ଭଳି ଚୁନାମାଛ ମିଳୁଥିଲା । ବର୍ଷାଦିନେ ନଦୀନାଳର ପାଣି ଉଛୁଳି ଜମିରେ ମାଡୁଥିଲା । ମାଛ ଓ କଙ୍କଡ଼ା ବଂଶ ବିସ୍ତାର କରୁଥିଲେ । ଏବେ ଏହା ଦେଖିବାକୁ ବିରଳ ହେଲାଣି ।
ସମସ୍ୟା ସମ୍ପର୍କରେ ବ୍ଲକର ଅଗ୍ରଣୀ ଚାଷୀ ହରିଶ ମାହାତୋ କୁହନ୍ତି, ଗୋମହିଷାଦି ପ୍ରାଣୀ ସମ୍ପଦ ହ୍ରାସ ପାଇବା ଫଳରେ ଜୈବିକ ସାର ଯୋଗାଡ଼ କରିବା କଷ୍ଟକର ହେଉଛି । ଗୋବର ଖତ ଟ୍ରାକ୍ଟର ପିଛା ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବର୍ଷକୁ ବର୍ଷ ସାର ବ୍ୟବହାର ପରିମାଣ ବଢ଼ିବାରେ ଲାଗିଛି । ୨୦ ବର୍ଷ ପୂର୍ବେ ଖରିଫ ଚାଷ ସମୟରେ ବିଲରୁ ପ୍ରଚୁର କଙ୍କଡ଼ା, ମାଛ ମିଳୁଥିଲେ । ଏହା ଏବେ ଦେଖିବାକୁ ସ୍ୱପ୍ନ ହେଲାଣି । ପୂର୍ବରୁ ଜମିରେ ହିଡ଼ ଚଉଡ଼ା ୪ରୁ ୫ଫୁଟ ରହୁଥିଲା । ଦୁଇ ଜଣ ସହଜରେ ଚାଲି ଚାଲି ଯାଇ ପାରୁଥିଲେ । ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ହିଡ଼ ଚଉଡ଼ା ୧ ଫୁଟ୍ରେ ପହଞ୍ଚିଲାଣି । ତେଣୁ ସଂକୀର୍ଣ୍ଣ ହିଡ଼ ତଳେ ମାଛ, କଙ୍କଡ଼ା ବଂଶବିସ୍ତାର କରିପାରୁନାହାନ୍ତି । ସରକାର ଜୈବିକ କୃଷିକୁ ଗୁରୁତ୍ୱ ଦେଉଛନ୍ତି । ଜମି ଉର୍ବରତା ଫେରାଇ ଆଣିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଗୋ-ପାଳନ, ଜୈବିକ ଖତ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଗଲେ ସମସ୍ୟା ଅନେକ ପରିମାଣରେ ସମାଧାନ ହୋଇପାରିବ ବୋଲି ଚାଷୀ ହରିଶ କହିଛନ୍ତି ।