ନୂଆଦିଲ୍ଲୀ,୦୭/୧୧: ଯଦି ଆପଣ ପ୍ରାକୃତିକ ପରିବେଶ ଓ ବିଳାସପୂର୍ଣ୍ଣତାର ଫେଣ୍ଟାଫେଣ୍ଟି ଅନୁଭବ ପାଇବାକୁ ଚାହୁଁଛନ୍ତି, ତେବେ ପୂର୍ବ ଗ୍ରୀନ୍‌ଲାଣ୍ଡର କୁଲୁସୁକରେ ଅବସ୍ଥିତ ଭାସମାନ ଗ୍ଲେସିୟର କୁଡ଼ିଆ ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ । ସରମରସୂକ୍‌ ନଗରନିଗମରେ ଅବସ୍ଥିତ ଏହି ସ୍ଥଳୀ ଛୁଟିକୁ ଉପଭୋଗ କରିବାର ଅନନ୍ୟ ସ୍ଥାନ । ଭାସମାନ କୁଡ଼ିଆ ସମଗ୍ର ଗ୍ରୀନ୍‌ଲାଣ୍ଡରେ ଏକମାତ୍ର ସ୍ଥଳୀ, ଯାହା ଉକ୍ତ କ୍ଷେତ୍ରକୁ ସ୍ୱତନ୍ତ୍ର କରିଛି । ସୁଉଚ୍ଚ ହିମଖଣ୍ଡ ଓ ନାଟକୀୟ ମେରୁ ଭୂଖଣ୍ଡ ମଧ୍ୟରେ ଏକ ଶାନ୍ତ ସଂକୀର୍ଣ୍ଣ ମାର୍ଗରେ ରହିଛି ଏହି ଭାସମାନ କୁଡ଼ିଆ । ନିଜ ସହ ଯୋଡ଼ିହେବାକୁ ଚାହୁଁଥିବା ଏବଂ ଆଭ୍ୟନ୍ତର ଶାନ୍ତି ଖୋଜୁଥିବା ଲୋକଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ । 

ଭୀଷଣ ଥଣ୍ଡା, ଜନଶୂନ୍ୟତା ଓ ବିନା ୱାଇଫାଇରେ ରହିପାରୁଥିବା ବ୍ୟକ୍ତିଙ୍କୁ ଏହା ସ୍ୱାଗତ କରେ । ସେତିକି ନୁହେଁ, ଏଠାରେ ରହଣି ଆଗନ୍ତୁକଙ୍କୁ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପଡ଼େ । ଏହି ସୁଦୂର ଘରୋଇ ଭାସମାନ ଗ୍ଲେସିୟର କୁଡ଼ିଆ କେବଳ ଦୁଇଜଣ ଅତିଥିଙ୍କ ପାଇଁ ବର୍ଷକୁ ମାତ୍ର ୭ ସପ୍ତାହ ଉପଲବ୍ଧ ହୋଇଥାଏ । ଏଠାରେ ରାତିକୁ ଭଡ଼ା ପ୍ରାୟ ୭୫ ହଜାର ଟଙ୍କା । ଏଥିରେ କୁଲୁସୁକରୁ ଘରୋଇ ଡଙ୍ଗାରେ ଯାତ୍ରା ଓ ସ୍ୱାଦିଷ୍ଟ ରାତ୍ରିଭୋଜନ ଅନ୍ତର୍ଭୁକ୍ତ । ଅତିରିକ୍ତ ଶୁଳ୍କ ବିନିମୟରେ ତସିଲାକ ଟାଉନ୍‌ରୁ ସ୍ଥାନାନ୍ତର ସୁବିଧା ମଧ୍ୟ ମିଳେ । ସବୁଜ ରଙ୍ଗର ଏହି ଛୋଟ ଷଟ୍‌କୋଣୀୟ କୁଡ଼ିଆର ଝରକାରୁ ଗ୍ଲେସିୟର ଦୃଶ୍ୟକୁ ଉପଭୋଗ କରିବା ହେଉ, ଗ୍ଲେସିୟର୍‌ରେ ଚାଲିବା, ବରଫ ଗୁମ୍ଫାକୁ ଯିବା, ବରଫାଚ୍ଛନ୍ନ ଚର୍ଚ୍ଚ ପରିଦର୍ଶନ କିମ୍ବା ମେରୁର ତାରକାପୂର୍ଣ୍ଣ ଆକାଶକୁ ଆଲୋକିତ କରୁଥିବା ନର୍ଦ୍ଦନ ଲାଇଟ୍‌ର ଚମତ୍କାର ଦୃଶ୍ୟ³ ଏହି କୁଡ଼ିଆ ନିଶ୍ଚିତ ଭାବେ ଆଗନ୍ତୁକଙ୍କ ସମୟ ଓ ଅର୍ଥର ଉଚିତ୍‌ ମୂଲ୍ୟ ପରିଶୋଧ କରିବ ।