ବୀଡ୍: ମହାରାଷ୍ଟ୍ରର ବୀଡ୍ ଜିଲ୍ଲାରେ ଦୁଇଦିନ ଧରି ଲାଗି ରହିଥିବା ଭାରୀ ବୃଷ୍ଟିପାତ ଯୋଗୁଁ ବନ୍ୟା ପାଣି ମାଡି ଆସିଛି। ଏହି ବନ୍ୟା ଯୋଗୁଁ ୬ଟି ଗାଁରେ ପ୍ରାୟ ୪୪ ଜଣ ଲୋକ ପାଣିଘେରରେ ଫଶିରହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ NDRF ଓ ଭାରତୀୟ ସେନା ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି।
ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଗାଁଗୁଡ଼ିକ ମଧ୍ୟରେ କଡାରେ ୧୧ ଜଣ, ଶୋଭା ନିମଗାଓଁରେ ୧୪ ଜଣ, ପିମ୍ପଲଗାଓଁରେ ୭ ଜଣ, ପିମ୍ପାରଖେଡରେ ୬ ଜଣ, ଧନୋରାରେ ୩ ଜଣ ଏବଂ ଡୋଙ୍ଗାରଗାଁରେ ୩ ଜଣ ଲୋକ ଫସି ରହିଛନ୍ତି। ପାଣି ମାଡିଯିବା ଯୋଗୁଁ ବୀଡ୍ ଜିଲ୍ଲାର ୧୬ଟି ମଧ୍ୟମ ଓ ୧୨୬ଟି ଛୋଟ ଜଳସେଚନ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ମୁତାବକ, ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ନଦୀରେ ଜଳପ୍ରବାହର ମତ୍ରା ବଢ଼ିଯାଇଥିଲା। ଯାହା ଏହି ବନ୍ୟାର ମୁଖ୍ୟ କାରଣ ବୋଲି ଜଣାପଡିଛି। NDRF ଓ ସେନା ଫସିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଅପରେସନ ଜାରି ରଖିଛନ୍ତି। NDRFର ଗୋଟିଏ ଦଳ କଡା ଗାଁରେ ସୋମବାର ଅପରାହ୍ନ ସୁଦ୍ଧା ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଏହାସହ ଫସିରହିଥିବା ଲୋକମାନଙ୍କ ଉଦ୍ଧାର ପାଇଁ ସେନାର ଏକ ହେଲିକପ୍ଟର ନାସିକରୁ ଆସି ବୀଡ୍ ଅଞ୍ଚଳରେ ପହଞ୍ଚିଛି। ଅହମଦନଗରରେ ସେନାର ଏକ ୟୁନିଟ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମୁମ୍ୱାଇସ୍ଥିତ ରାଜ୍ୟ ଜରୁରିକାଳିନ ଅପରେସନ ସେଣ୍ଟରରେ ପହଞ୍ଚିଛନ୍ତି। ସେ ସେଠାରୁ ମହାରାଷ୍ଟ୍ରର ବଭିନ୍ନ ଅଞ୍ଚଳରେ ହେବାକୁ ଥିବା ଭାରି ବୃଷ୍ଟିପାତର ତଦାରଖ କରୁଛନ୍ତି। ଏହାସହ ତୁରନ୍ତ ବୀଡ୍ ଅଞ୍ଚଳରେ ପାଣିଘେରରେ ଫଶି ରହିଥିବା ଲୋକମାନଙ୍କୁ ଏୟାର ଲିଫ୍ଚ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ଆଦେଶ ଜାରି କରିଛନ୍ତି।
ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି, କିନ୍ତୁ ଅଧିକ ବର୍ଷା ହେଲେ ସ୍ଥିତି ଜଟିଳ ହୋଇପାରେ। ତେବେ ଲୋକମାନଙ୍କୁ ସଚେତନ କରିବାକୁ ଗତ ୨୪ ଘଣ୍ଟା ମଧ୍ୟରେ ସଚେତ ଆପ ଯୋଗେ ୩.୫୦ କୋଟିରୁ ଅଧିକ ମେସେଜ ଲୋକମାନଙ୍କ ନିକଟକୁ ପଠାଯାଇଛି। ଏହାସହ ଭାରତୀୟ ପାଣିପାଗ ବିଭାଗ ପାଲଘର, ପୁନେ, ଅହିଲ୍ୟାନଗର ଓ ବୀଡ୍ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି।